ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ଛୋଟିଆ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
୨୦୦୮ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅଫିସର ଅନ ସ୍ପେସାଲ ଡ୍ୟୁଟି (ଓଏସଡି) ଭାବେ ନିୟୋଜିତ ଥିଲେ। ସେ ସଂଗ୍ରାନ କେଶରୀ ମହାପାତ୍ରଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ ବୋଲି ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି।
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏଭିଏସ୍ ପଦବିକୁ ଅତିରିକ୍ତ ସଚିବ ପଦବି ଭଳି ମାନ୍ୟତା ଓ ଦାୟିତ୍ୱରେ ସମକକ୍ଷ ଘୋଷଣା କରାଯାଇଛି। ସେହିପରି ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୧୨ ବ୍ୟାଚ୍ ଆଇଏଏସ୍ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।
ସେହିପରି ବେଦ ଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୦ ବ୍ୟାଚର ଆଇଏଏସ୍ ଅଧିକାରୀ ପୂର୍ବରୁ ଧର୍ମଗଡ଼ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏବଂ ଅତିରିକ୍ତ ଦାୟିତ୍ୱରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।
ସମ୍ବଲପୁର ମହାନଗର ନିଗମର କମିସନର ପଦବୀକୁ ମାନ୍ୟତା ଓ ଦାୟିତ୍ୱବୋଧ ଦୃଷ୍ଟିରୁ ଅନୁଶାସନ ସଚିବ ପଦବୀ ସହ ସମକକ୍ଷ ଘୋଷଣା କରାଯାଇଛି। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୃସିଂହ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
Comments are closed.