Latest Odisha News

BREAKING NEWS

ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ହିଂସା ଘଟଣା: କ୍ଷମା ମାଗିଲା ସଂଘ

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସା ଘଟଣାରେ କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ। ଏକ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି କହିଲେ ଦୀନବନ୍ଧୁ। ‘ଭୁଲ୍‌ଟା ଭୁଲ୍‌, ଭୁଲ୍‌କୁ ଆମେ ସ୍ୱୀକାର କରୁଛୁ.. ଏଇଟା ହେବାର ନଥିଲା। ହିଂସା ଘଟଣାରେ ରାଜନୀତି ଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ଦୀନବନ୍ଧୁ ନାୟକ।

ଦିନବନ୍ଧୁ ପୁଣି କହିଛନ୍ତି ଯେ, ‘ଆମେ ସମସ୍ତେ ଗରୀବ ଖଟିଖିଆ ଅଟୋ-ଟ୍ୟାକ୍ସି-ବାଇକ୍ ଚାଳକ। ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଚାକିରି ନପାଇ ଅଟୋ ଚଳାଉଛୁ । ଶାନ୍ତିପୂର୍ଣ୍ଣ ଧାରଣାରେ ଥିଲୁ । ତାପରେ ଗଣ୍ଡଗୋଳ ହେଲା । କିନ୍ତୁ ଆମେ ଗୁଣ୍ଡା ନୁହେଁ । ହକ୍ ପାଇଁ ଲଢେଇ କରୁଥିଲୁ। ପୋଲିସ ମାଇଲେଜ୍ ପାଇବା ପାଇଁ ଆମକୁ ଗୁଣ୍ଡା ସଜେଇ ଦେଲା।’ ଭିଡିଓ ବାର୍ତ୍ତାରେ ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରି ନିଜର ସମସ୍ୟା କଥା କହିଛନ୍ତି । ଏପରିକି ଗଣ୍ଡଗୋଳ ଘଟଣାରେ ଅଟୋ ଚାଳକଙ୍କୁ ଗୁଣ୍ଡା କହିବା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି।

ସୂଚନା ଥାଉକି, ଗତ ୧୯ ତାରିଖ ଭଙ୍ଗାରୁଜା ଓ ପୋଲିସକୁ ଆକ୍ରମଣ ପରଠୁ ଦୀନବନ୍ଧୁ ଫେରାର୍‌ ଥିଲେ। ଘଟଣାରେ ୧୧୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହା ସହ ୩୫୪ ଟି ଗାଡ଼ି ଜବତ କରିଛି ପୋଲିସ। ସେପଟେ ଗତକାଲି ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ। ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ। ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ସେମାନେ ଆଇନକୁ ହାତକୁ ନେଇଛନ୍ତି। ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ସରକାରୀ ଗାଡି ଭାଙ୍ଗିଛନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ। ସେମାନଙ୍କୁ କ୍ଷମା କରାଯିବ ନାହିଁ। ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ। ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.