Latest Odisha News

BREAKING NEWS

ସୁଧୁରୁ ନାହାନ୍ତି ଟ୍ରୁଡୋ, ଭାରତର କଡା ଭର୍ତ୍ସନା

ନୂଆଦିଲ୍ଲୀ: କଡା ତାଗିଦ ସତ୍ତ୍ୱେ ସୁଧୁରୁ ନାହାନ୍ତି କାନାଡା ସରକାର । ନେଉଛନ୍ତି ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ । ମିଛ ଅଭିଯୋଗ ଆଣି ବାରମ୍ବାର ଭାରତ ବିରୋଧୀ ବୟାନ ଦେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏବେ କାନାଡା ସରକାରଙ୍କ ଆଉ ଏକ ପଦକ୍ଷେପରେ ନୂଆଦିଲ୍ଲୀ ଖପ୍ପା। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ଭାରତକୁ ଚିଡାଇଛନ୍ତି । ଆଉ କଡା ଭାଷାରେ ଜବାବ ଦେଇଛି ଭାରତ ।

ଜଷ୍ଟିନ ଟ୍ରୁଡୋ ସରକାରଙ୍କ ନୂଆ ଅଭିଯୋଗ

କାନାଡାର ଜଷ୍ଟିନ ଟ୍ରୁଡୋ ସରକାରଙ୍କର ଏବେ ଭାରତ ବିରୋଧୀ ଆଉ ଏକ ପଦକ୍ଷେପ । କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଂଜୟ କୁମାର ବର୍ମା ଏକ ମାମଲାର ଯାଂଚ ପରିସରରେ ଅଛନ୍ତି ବୋଲି କହିଛନ୍ତି ଟ୍ରୁଡୋ ସରକାର । ସଂଜୟ ବର୍ମାଙ୍କୁ ପର୍ସନ ଅଫ୍ ଇଂଟ୍ରେଷ୍ଟ ବୋଲି କାନାଡା ସରକାର କହିବା ପରେ କଡା ଆପତ୍ତି ପ୍ରକାଶ କରିଛି ଭାରତ । ଏକ ଫୌଜଦାରୀ ମାମଲାରେ ସନ୍ଦିଗ୍ଧଙ୍କୁ ପର୍ସନ ଅଫ୍ ଇଂଟ୍ରେଷ୍ଟ ବୋଲି କିଛି ଦେଶରେ କୁହାଯାଇଥାଏ । ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି ଔପଚାରିକ ଅଭିଯୋଗ କରାଯାଇ ନଥାଏ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର କଡା ପ୍ରତିକ୍ରିୟା

ଭାରତୀୟ ହାଇକମିଶନର ସଂଜୟ ବର୍ମା ଏକ ମାମଲାର ଯାଂଚରେ ପର୍ସନ ଅଫ୍ ଇଂଟ୍ରେଷ୍ଟ ବୋଲି କାନାଡା ଜଣାଇବା ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । କାନାଡାର ପଦକ୍ଷେପକୁ କଡା ଭାଷାରେ ବିରୋଧ କରି ବିବୃତି ଜାରି କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। କାନାଡା ସରକାରଙ୍କ ପଦକ୍ଷେର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଭାରତ ସରକାର ଦୃଢ ଭାବେ ଭିତ୍ତିହୀନ ଅଭିଯୋଗକୁ ଖାରଜ କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟର ବିବୃତିରେ କୁହାଯାଇଛି । ଏହା ପଛରେ ଟ୍ରୁଡୋ ସରକାରର ରାଜନୈତିକ ଏଜେଣ୍ଡା ରହିଛି, ଯାହା କି ଭୋଟ୍ ବ୍ୟାଙ୍କ୍ ରାଜନୀତିରୁ ପ୍ରେରିତ ।

ଭାରତ ବିରୋଧୀ ଓ ଆତଙ୍କବାଦୀଙ୍କୁ ପ୍ରଶ୍ରୟ

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବିବୃତିରେ କାନାଡାର ଟ୍ରୁଡୋ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରାଯାଇଛି । ଟ୍ରୁଡୋ ସରକାର ଜାଣିଶୁଣି କାନାଡାରେ ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟମାନଙ୍କୁ ଧମକାଉଥିବା କଠୋରପନ୍ଥୀ ଓ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ସ୍ୱତନ୍ତ୍ର ଅଭିବ୍ୟକ୍ତି ନାଁରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ବୈଧ ବୋଲି କାନାଡା ସରକାର ଦର୍ଶାଉଛନ୍ତି । ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ନାଗରିକତା ଦିଆଯାଇଛି । ଆତଙ୍କବାଦୀ ଓ ଅପରାଧୀଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତର ଅନୁରୋଧକୁ କାନାଡା ଉପେକ୍ଷା କରିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ପୂର୍ବରୁ ପ୍ରମାଣିତ ହୋଇସାରିଛି । ୨୦୧୮ରେ ଟ୍ରୁଡୋ ଭୋଟ୍ ବ୍ୟାଙ୍କ୍ ରାଜନୀତି ପାଇଁ ଭାରତ ଗସ୍ତରେ ଆସିଥିଲେ । ଭାରତ ବିରୋଧୀ ଓ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଟ୍ରୁଡୋଙ୍କ କ୍ୟାବିନେଟରେ ସ୍ଥାନ ମିଳିଛି । ନିଜର ରାଜନୈତିକ ଫାଇଦା ପାଇଁ ଜଷ୍ଟିନ ଟ୍ରୁଡୋ ୨୦୨୦ରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିଲେ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଟ୍ରୁଡୋ ସରକାର ଏପରି ଏକ ରାଜନୈତିକ ଦଳ ଉପରେ ନିର୍ଭକଶୀଳ, ଯାହାର ନେତା ଖୋଲାଖୋଲି ଭାରତ ବିରୋଧରେ ବିଚ୍ଛିନ୍ନତାବାଦ ବିଚାରଧାରାର ସମର୍ଥନ କରନ୍ତି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଖଲିସ୍ତାନୀଙ୍କୁ ସମର୍ଥନ କରୁଛି କାନାଡା

ଭାରତ ବିରୋଧୀ, ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଭୂସ୍ୱର୍ଗ ପାଲଟିଛି କାନାଡା । ଖଲିସ୍ତାନୀ ଓ ଭାରତ ବିରୋଧୀମାନେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାର୍ଟିର ସମର୍ଥକ ଭାବେ ଜଣାଶୁଣା । ୨୦୨୩ ସେପଟେମ୍ବରରେ ଭାରତ ବିରୋଧୀ ବୟାନ ଦେଇଥିଲେ ଟ୍ରୁଡୋ । ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତୀୟ ଏଜେଂଟମାନେ ସାମିଲ ବୋଲି ଅଭିଯୋଗ କରିଥିଲେ ଟ୍ରୁଡୋ । କାନାଡାର ଅଭିଯୋଗକୁ ଭାରତ ଖାରଜ କରିଦେବା ସହ ପ୍ରମାଣ ମାଗିଥିଲା । ଟ୍ରୁଡୋଙ୍କ ବୟାନ ପରେ ଭାରତ-କାନାଡା ସଂପର୍କରେ ତିକ୍ତତା ଆସିଛି ।

Leave A Reply

Your email address will not be published.