ଭୁବନେଶ୍ୱର: ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ ଏବଂ ଆକାଉଣ୍ଟ)ଙ୍କ ଅଫିସରେ ୫୦ରୁ ଉର୍ଦ୍ଧ୍ବ ଅଧିକାରୀମାନଙ୍କୁ ସାପ କାମୁଡ଼ା ରକ୍ଷା ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜି ଏହି ସର୍ପ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ସୁବୁ ଆର (Subu R) । ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ବିମଲେଶ କୁମାର ଏବଂ ଅନ୍ୟ ଉଚ୍ଚ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଆଜିର କାର୍ଯ୍ୟକ୍ରମରେ ସାପ ମାନଙ୍କର ପ୍ରକାର ଭେଦ, ବିଷଧର ଏବଂ ବିଷହୀନ ସାପଙ୍କୁ କିପରି ଚିହ୍ନଟ କରାଯିବ, ସାପ କାମୁଡାର ଲକ୍ଷଣ, ବିଷଧର ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା, ସାପକୁ ନେଇ ସମାଜରେ ପ୍ରଚଳିତ ଭ୍ରାନ୍ତି ଓ ଅନ୍ଧ ବିଶ୍ୱାସ ଇତ୍ୟାଦି ବିଷୟରେ ଆକାଉଣ୍ଟ ଏବଂ ଅଡିଟ ଅଧକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଆଜିର ଏଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ୱେଲଫେୟାର ଅଫିସର ଅଶୋକ କୁମାର ପଣ୍ଡା ।
ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ରାଜସ୍ବ ମନ୍ତ୍ରୀ ବିଧାନ ସଭାରେ ରଖିଥିବା ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ୧୧୫୦ମୃତ୍ୟୁ ହେଇଥିବା ବେଳେ, ସେଇ ବର୍ଷ ପାଇଁ ସ୍ଵତନ୍ତ୍ର ରିଲିଫ କମିଶନର (SRC)ଙ୍କ ତଥ୍ୟରେ ୧୦୧୬ଟି ମୃତ୍ୟୁ ଏବଂ ସେହିପରି SRCଙ୍କ ତଥ୍ୟରେ ୭୩୦ ଲୋକଙ୍କୁ ମୁଣ୍ଡ ପିଛା ₹୪ ଲକ୍ଷ ମିଳିଥିଲା ବେଳେ ମନ୍ତ୍ରୀଙ୍କ ତଥ୍ୟରେ ୧୦୨୨ ଲୋକଙ୍କୁ ଅନୁକମ୍ପା ରାଶି ମିଳିବା ଉଲ୍ଲେଖ ରହିବା ଏକ ବଡ ଦୁର୍ନୀତି ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି । ଆକାଉଣ୍ଟାଣ୍ଟ ଜେନେରାଲ ଙ୍କ ଦ୍ଵାରା ୨୦୧୫ ମସିହାରୁ ଆଜି ଯାଏଁ ସମସ୍ତ ସାପ କାମୁଡ଼ା ମୃତ୍ୟୁ ଏବଂ ଅନୁକମ୍ପା ରାଶିର ପୁଙ୍ଖାନୁପୁଙ୍ଖ ଅଡିଟ କରାଗଲେ ସତ ସାମ୍ନାକୁ ଆସିବ ବୋଲି ମୋର ବିଶ୍ବାସ” । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
Comments are closed.