Latest Odisha News

BREAKING NEWS

 ନାଗ ଦେହରେ ଧଳା ରଙ୍ଗ ମାରି କହିଲେ ବିରଳ ଆଲବିନୋ !

ଭୁବନେଶ୍ୱର:ସାଧାରର ନାଗକୁ ଧରି ତା ଦେହରେ ବୋଳିଦେଲେ କେମିକାଲ ଦିଆ ଧଳାରଙ୍ଗ । କହିଲେ ବିରଳ ଧଳା ରଙ୍ଗର ଆଲବିନୋ । ଏହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା । ହେଲେ ଏହି ଘଟଣା  ମିଛ  ବୋଲି ଦାବି କରିଛନ୍ତି  ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସାପ ଦେହରେ ଏନମେଲ ପେଣ୍ଟ ବା ରଙ୍ଗ ବୋଳି ଜନସାଧାରଣଙ୍କୁ ମଧ୍ୟ ଠକିବାକୁ ଚେଷ୍ଟା କରୁଥିଲେ ରଣପୁରର ଏଇ ସାପ ଧରାଳି ।  ସାପ ଦେହରେ  ଏନାମେଲ ରଙ୍ଗ ବୋଳା ଯାଇଥିବା ପ୍ରମାଣ କରି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ତଦନ୍ତ ପାଇଁ ଇମେଲ କରିଛନ୍ତି ଶ୍ରୀ ମଲ୍ଲିକ ।
ଶ୍ରୀ ମଲ୍ଲିକ କହିଛନ୍ତି, ରାସାୟନିକ ଏନାମେଲ ରଙ୍ଗ ବୋଳା ଯାଇଥିବାରୁ ସାପଟିର ପେଟ ତଳ କାତି ଗୁଡିକ ଅଲଗା ଅଲଗା ନ ହୋଇ ମିଶିଗଲା ପରି ଦେଖାଯାଉଛି । ଏହା ଫଳରେ ସାପଟିକୁ ଚାଲିବାରେ ଅସୁବିଧା ହେଉଛି ।  ଯାହା ଫଳରେ ସାପଟିକୁ ଛାଡିବା ପରେ ସେ ଗୋଟିଏ ଜାଗାରେ ପଡି ରହୁଛି । ସେଇ ଭିଡିଓକୁ ମଧ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରମାଣ ହିସାବରେ ଦେଇଛନ୍ତି ।   ଏକ ସାଧାରଣ ନାଗ ସାପ ଦେହରେ ଧଳା ରଙ୍ଗ ବୋଳି ବିରଳ ଆଲବିନୋ ବୋଲି ଦେଖେଇବା ପାଇଁ ଚେଷ୍ଟା କରିବା ଦେଶରେ ସମ୍ଭବତଃ ପ୍ରଥମ ଘଟନା । କୌଣସି ପ୍ରାଣୀ ଶରୀରରେ ମେଲାନିନ କଣିକା ଅଭାବ ଯୋଗୁଁ ତାହା ଆଲବିନୋ ହୋଇଥାଏ, ଯାହାକି ଏକ ଜେନେଟିକ ମ୍ୟୁଟେସନ । କିନ୍ତୁ, ରଣପୁରରେ ସାପ ଧରାଳି ଅଜୟ କୁମାର ଦାସ ନିଜେ ଜଣେ ଚିତ୍ରକର ଏବଂ ରଙ୍ଗ କାରିଗର ହୋଇ ଥିବାରୁ ଏଭଳି ଉଦ୍ଭଟ କାମ କରିଛନ୍ତି ।
ଏପରି କରି  ସାପ ଏବଂ ପରିବେଶକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି rସଂପୃକ୍ତ ସାପ ଧରାଳି।  କାରଣ ମୋଟା ରାସାୟନିକ ରଙ୍ଗ ପ୍ରଲେପ ଯୋଗୁଁ ସାପଟିର ଦେହର ତାପମାତ୍ରା ଅଧିକ ରହୁଛି ।   ଏବେ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ରୁ ଅଧିକ ରହୁଥିବାରୁ ସାପଟି ତାତି ସହି ନ ପାରି  କଷ୍ଟ ପାଉଥିବ । ଏପରିକି ମରିଯିବାର ଆଶଙ୍କା ମଧ୍ୟ ଅଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସାପଟି ମୂଷା, ବେଙ୍ଗ, ଚଢେଇ ଆଦି ଶୀକାର କରି ପାରିବ ନାହିଁ ।   କାରଣ ଉଜ୍ଜଳ ଧଳା ରଙ୍ଗକୁ ସେମାନେ ଆଗୁଆ ଦେଖି  ପଳେଇବେ । ଖାଲି ସେତିକି ନୁହେଁ, ଅନ୍ୟ ନାଗ, ତମ୍ପ, ରଣା, ଅହିରାଜ ଆଦି ସାପ ଏବଂ ଇଗଲ ଆଦି କିଛି ପକ୍ଷୀ  ରଙ୍ଗ ବୋଳା ଧଳା ନାଗକୁ ଖାଇଦେବେ । ଏହା ଦ୍ୱାରା ସେମାନେ ବି ରାସାୟନିକ ପ୍ରତିକ୍ରିୟାର ଶିକାର ହେବେ ।
ତେବେ ଏପରି ଘଟଣା ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ର ଏହା ଖୋଲା ଉଲଂଘନ ହେଉଅଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧ ଏପ୍ରିଲ ୨୦୨୩ ଠାରୁ ନାଗ ସାପ ବନ୍ୟ ପ୍ରାଣୀ ସଂରକ୍ଷଣ ତାଲିକାରେ ତଫସିଲ ୧ କୁ ଉନ୍ନୀତ ହୋଇଅଛି । ଯାହାଫଳରେ ଏଇ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ଜେଲ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି ।  ଏଇଭଳି ଘଟନା ର ପୁନରାବୃତ୍ତି ନହେବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶୁଭେନ୍ଦୁ କ୍ରାଇମବ୍ରାଞ୍ଚ ଏଡିଜି ଙ୍କୁ ଅନୁରୋଧ କରିଛନ୍ତି ।

Comments are closed.