ଭୁବନେଶ୍ୱର: ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲ ନଂ ୨ ବା ଗୋଦାବରୀଶ ଛାତ୍ରାବାସରେ ବାହାରିଲା ନାଗ ସାପ। ନାଗ ସାପ ଦେଖି ଭୟରେ ସମସ୍ତ ଛାତ୍ର। ସୂଚନା ଅନୁସାରେ ଜଣେ ଛାତ୍ର ପରିସ୍ରା କରିବା ପାଇଁ ଗାଧୁଆ ଘର ଭିତରେ ପଶିବା ବେଳକୁ ଏକ ନାଗ ସାପ ପାଣି ନଳା ପାଖରେ ଥିବା କାଲି ଭିତରେ ମୁଣ୍ଡ ଭର୍ତ୍ତି କରିଥିବା ଦେଖିବାକୁ ମିଳିଲା। ଏହା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ଛାତ୍ରମାନେ।
ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାପ ମୁଣ୍ଡରେ ଜାଲିଟି ଷ୍ଟିଲ ନିର୍ମିତ ହୋଇଥିବାରୁ କୌଣସି ପ୍ରକାରେ ସାପ କୁ ଭିଡ଼ି ବାହାର କରିବା ସମ୍ଭାବନା ନଥିଲା। କାରଣ ସାପର ଦେହରେ ଖଣ୍ଡିଆ ହୋଇଯିବାର ଆଶଙ୍କା ଥିଲା। ତେଣୁ ଅରୁଣ ଏକ ଶାବଳ ମଗେଇ, ଶାବଳ ସାହାଯ୍ୟରେ ପୁରା ଜାଲିଟିକୁ ତାଡି ଦେଇଥିଲେ। ପ୍ରାୟ ୪ ଫୁଟ ଲମ୍ବ ନାଗ ସାପଟିର ମୁଣ୍ଡ ସେଇ ଷ୍ଟିଲ ଜାଲିରେ ଫସି ଥିବା ଅବସ୍ଥାରେ ହିଁ ସାପକୁ ବ୍ୟାଗରେ ଭର୍ତ୍ତି କରି ନେଇ ଆସିଥିଲେ ଅରୁଣ।
ଆଜି ସକାଳେ ଶୁଭେନ୍ଦୁ ମଲ୍ଲିକ ଏବଂ ଅରୁଣ ମିଶି ମେଟାଲ କଟର ସାହାଯ୍ୟରେ ଷ୍ଟିଲ ଜାଲିକୁ କାଟିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହା ପରେ ଛେଣୀ ମାର୍ତୁଲ ବ୍ୟବହାର କରି ଧୀରେ ଧୀରେ ଜାଲିଟିକୁ କାଟିବା ପରେ ସାପଟି ମୁକ୍ତ ହୋଇଥଲା। ସାପଟିର ଫଣାର ଡାହାଣ ପାଖରେ ସାମାନ୍ୟ କ୍ଷତ ହୋଇଥିଲା, ଯାହା ସେଇ ଗାଧୁଆ ଘରେ ଭିଡ଼ି ମୋଡି ହେବା ଫଳରେ ହୋଇଥିଲା। କ୍ଷତ ସ୍ଥାନରେ ବେଟାଡିନ୍ ଲୋସନ୍ ଲଗେଇବା ପରେ, ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।
Comments are closed.