Latest Odisha News

ଅଣ୍ଡା ଦେଇ ପାରି କଷ୍ଟ ପାଉଥିଲା ନାଗ, ଓୟୁଏଟିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ହେଲା ସୁସ୍ଥ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ଵରରେ ପୁନାମା ଗେଟ୍ ଅଞ୍ଚଳରେ ଏକ ଜଳଖିଆ ଦୋକାନରେ ପଶି ଯାଇଥିଲା ନାଗ ସାପ । ଦୋକାନୀ ସାପଟିକୁ ବାହାର କରି ନପାରି ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଡାକିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର କରିବା ବେଳେ, ସାପର ଶରୀର ଭିତରେ ମଳଦ୍ୱାର ପାଖରେ କିଛି ଗୋଟେ ଟାଣ ପଦାର୍ଥ ଦେଖିବାକୁ ପାଇଥିଲେ । ସାପଟିର ସ୍ବାସ୍ଥ୍ୟ ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ତାହା ଦୁର୍ବଳ ଦେଖା ଯାଉଥିଲା ।

ଅରୁଣ ସାପଟିକୁ ଛାଡ଼ିବା ପୂର୍ବରୁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ଆଣିଥିଲେ। ଶୁଭେନ୍ଦୁ ସାପଟିକୁ ଦେଖିବା ପରେ ସେଇଟି ଡିହାଇଡ୍ରେସନ ଶିକାର ହୋଇଥିବା ଏବଂ ଅନେକ ଦିନ ହେଲେ ଖାଦ୍ୟ ଗ୍ରହଣ କରି ନଥିବା ଜାଣିବାକୁ ପାଇଥିଲେ । ତେବେ ପେଟରେ ଥିବା କଠିନ ପଦାର୍ଥ ଟି କଣ ସେଇଟି ଅନୁମାନ କରି ପାରି ନଥିଲେ।

ଆଜି ସକାଳେ ମଞ୍ଚେଶ୍ୱର ରେଞ୍ଜ ଅଧିକାରୀ ସତ୍ୟାନନ୍ଦ ପାଲଙ୍କ ଅନୁମତି କ୍ରମେ ସାପଟିକୁ ଓୟୁଏଟି ସ୍ଥିତ ଭେଟେରିନାରି କଲେଜକୁ ନିଆଯାଇଥିଲା । ସେଠାରେ ଭେଟେରିନାରି ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ଵଦୀପ ଜେନା ସତର୍କତା ର ସହିତ ଧୀରେ ଧୀରେ ସାପ ପେଟ ଭିତରେ ଥିବା ଏକ ନଷ୍ଟ ହୋଇଯାଇଥିବା ଅଣ୍ଡାକୁ ବାହାର କରିଥିଲେ । ସାପକୁ ଆଣ୍ଟିବାୟୋଟିକ ଇଞ୍ଜେକସନ ଦେବା ପରେ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।

ଏନେଇ ଡାକ୍ତର ବିଶ୍ଵଦିପ କହିଚନ୍ତି “କୌଣସି କାରଣ ବଶତଃ ସାପଟିର Egg binding ହୋଇ ଯାଇଥିଲା । ସାପଟି ଅଣ୍ଡା ଦେବା ସମୟରେ କିଛି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ସମ୍ଭାବନା । ସରୀସୃପ ମାନେ ଏଇ Egg binding ରୋଗ ରେ ମରିବାର ଅନେକ ଉଦାହରଣ ଅଛି। ଏଇ ଅଣ୍ଡା ଯଦି ବାହାର କରା ଯାଇ ନଥାନ୍ତା , ସାପ ଟି କିଛି ଦିନ ପରେ ନିଶ୍ଚୟ ମୃତ୍ୟୁ ବରଣ କରି ଥାନ୍ତା” । ସାପଟିକୁ ଚିକିତ୍ସା କଲା ବେଳେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ ନିହାରିକା ମହାପାତ୍ର ସହାୟତା କରିଥିଲେ।

Leave A Reply

Your email address will not be published.