ନୂଆଦିଲ୍ଲୀ: କଂଗ୍ରେସର ବଡ଼ ଚେହେରା ରାହୁଲ ଗାନ୍ଧୀ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଯେଉଁ ପ୍ରଦର୍ଶନ କରିଛି, ତାହାର ପୂରା ଶ୍ରେୟ ରାହୁଲଙ୍କୁ ଯାଇଛି। ଦେଶରେ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ସଂସଦ ଓ ସଂସଦ ବାହାରେ ସରକାରଙ୍କୁ ଏବେ ଘେରୁଛନ୍ତି ରାହୁଲ। କୁହାଯାଉଛି ରାହୁଲଙ୍କ ରାଜନୈତିକ ଜୀବନରେ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଭାରତ ଯୋଡ ଯାତ୍ରା। ପୂର୍ବରୁ ରାହୁଲଙ୍କ ଭିତରେ ଯେଉଁ ମନୋଭାବ ରହିଥିଲା ଭାରତ ଯୋଡୋ ଯାତ୍ରା ପରେ ବଦଳିଛି ନିଶ୍ଚୟ। ହେଲେ ରାହୁଲ ଯେତେ ଆଗକୁ ବଢୁଛନ୍ତି ବିଭିନ୍ନ ବିବାଦରେ ମଧ୍ୟ ସେତିକି ଛନ୍ଦି ହେଉଛନ୍ତି। ନିକଟରେ ସଂସଦରେ ହୋଇଥିବା ଧସ୍ତାଧସ୍ତି ଘଟଣା ପୁଣିଥରେ ରାହୁଲଙ୍କୁ ନୂଆ ବିବାଦରେ ଛନ୍ଦି ଦେଇଛି। ଏମିତିକି ରାହୁଲଙ୍କ ବିରୋଧରେ ଗୁଡାଏ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ଏହି ମାମଲାକୁ ମିଶାଇ ରାହୁଲଙ୍କ ବିରୋଧରେ କେତେ ମାମଲା ରୁଜୁ ହୋଇଛି ଆପଣ ଜାଣିଛନ୍ତି? ଜାଣିଲେ ଆପଣ ତାଜୁବ ହୋଇଯିବେ।
୨୦୧୪ ପରେ ଆଜିଯାଏ ରାହୁଲଙ୍କ ବିରୋଧରେ ୨୦ଟି ମାମଲା ରୁଜୁ ହୋଇଛି। ଆଉ ଏକଥା ଖୋଦ୍ କଂଗ୍ରେସ ନେତା କହିଛନ୍ତି। କଂଗ୍ରେସ ସାଂସଦ କେସି ଭେଣୁଗୋପାଲଙ୍କ କହିଛନ୍ତି, ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ ୨୦୧୪ ପରଠାରୁ ବର୍ତ୍ତମାନ ଯାଏ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି। କେବଳ ୨୦୧୯ରେ ରାହୁଲଙ୍କ ବିରୋଧରେ ସର୍ବାଧିକ ୫ଟି ମାମଲା ରୁଜୁ ହୋଇଥିଲା। ସେହିଭଳି ୨୦୨୪ରେ ରାହୁଲଙ୍କ ବିରୋଧରେ ୪ଟି ଏବଂ ୨୦୨୧ରେ ୩ଟି ମାମଲା ଦାୟର କରାଯାଇଛି। ଏସବୁ ମାମଲା ଭିତରୁ ଗୋଟିଏରେ ରାହୁଲ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି । ଆହୁରି ଅନେକ ମାମଲାର ଶୁଣାଣି କୋର୍ଟରେ ଏବେଯାଏ ଚାଲିଛି। ଏସବୁ ମାମଲା ଭିତରୁ ଦୁଇଟି ମାମଲା ହାଇକୋର୍ଟରେ ବିଚରାଧୀନ ରହିଛି।
୨୦୧୪ରେ ରାହୁଲଙ୍କ ବିରୋଧରେ ପ୍ରଥମେ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ମହାରାଷ୍ଟ୍ରର ଭୱାଣ୍ଡିରେ ଅବସ୍ଥିତ ଯୁଗ୍ମ ସିଭିଲ ଜଜଙ୍କ କୋର୍ଟରେ ପଞ୍ଜୀକୃତ ହୋଇଥିଲା। ଗାନ୍ଧୀଙ୍କ ହତ୍ୟାରେ ଆରଏସଏସର ଭୂମିକା ଥିବା ବୟାନ ଉପରେ ରାହୁଲଙ୍କ ବିରୋଧରେ ଏହି ମାମଲା ଦାୟର କରାଯାଇଥିଲା। ଏହି ମାମଲା ଅପରାଧିକ ଏବଂ ନାଗରିକ ମାନହାନୀ ସହିତ ଜଡିତ ହୋଇଥିଲା। ସେହିଭଳି ୨୦୧୬ରେ ଆସାମର ରାଜଧାନୀ ଗୁଆହାଟୀରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ରାଷ୍ଟ୍ରିୟ ସଂୟସେବକ ସଂଗଠନ ଉପରେ ଏକ ବୟାନକୁ ନେଇ ରାହୁଲଙ୍କ ବିରୋଧରେ ଏହି ମାମଲା ଦାୟର କରାଯାଇଥିଲା। ରାହୁଲ ଏକ ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଏଥିରେ ଫସିଥିଲେ। ସେମିତି ୨୦୧୮ରେ ରାହୁଲଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିଲା। ପ୍ରଥମ ମାମଲା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏବଂ ଦ୍ୱିତୀୟ ମାମଲା ସୁଲତାନପୁରରେ ପଞ୍ଜିକୃତ ହୋଇଥିଲା। ତୃତୀୟ ମାମଲା ଝାଡଖଣ୍ଡର ରାଞ୍ଚିରେ ପଞ୍ଜିକୃତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି କର୍ମୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଥିଲା।
୨୦୧୯ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସର୍ବାଧିକ ୫ଟି ମାମଲା ଦାୟର କରାଯାଇଥିଲା। ଏହି ମାମଲା ଦେଶର ବିଭିନ୍ନ ସ୍ଥାନରେ ପଞ୍ଜିକୃତ ହୋଇଥିଲା। ଏହି ମାମଲା ମୋଦିଙ୍କ ଉପନାମ ସହିତ ଜଡିତ ଥିଲା। ଏକ ରାଲିରେ ରାହୁଲ କହିଥିଲେ ଯେ ମୋଦି ଉପନାମ ଥିବା ସମସ୍ତ ଲୋକ ଚୋର କାହିଁକି? ସରନେମ ମାମଲାରେ ରାହୁଲଙ୍କ ବିରୋଧରେ ସୁରଟ, ପାଟନା, ରାଞ୍ଚି, ଅହମ୍ମଦାବାଦ ଏବଂ ନୂଆଦିଲ୍ଲୀରେ କେସ୍ କରାଯାଇଥିଲା। ସୁରଟ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅବଶିଷ୍ଟ ମାମଲାଗୁଡ଼ିକର ଶୁଣାଣି ଚାଲିଛି। ସୁରଟ ମାମଲା ହେତୁ ରାହୁଲ ଗାନ୍ଧୀ ୨୦୨୩ରେ ସଦସ୍ୟତା ହରାଇଥିଲେ।
୨୦୨୧ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ୩ଟି ମାମଲା ଦାୟର କରାଯାଇଥିଲା। ପ୍ରଥମ ମାମଲା ଝାଡଖଣ୍ଡର ଚାଇବାସା, ଦ୍ୱିତୀୟ ମାମଲା ଦିଲ୍ଲୀରେ ଏବଂ ତୃତୀୟ ମାମଲା ମୁମ୍ବାଇରେ ପଞ୍ଜିକୃତ ହୋଇଥିଲା। ୨୦୨୨ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୁଇଟି ମାମଲା ଦାୟର କରାଯାଇଥିଲା। ପ୍ରଥମ ମାମଲା ବେଙ୍ଗାଲୁରୁରେ ପଞ୍ଜିକୃତ ହୋଇଥିଲା। ଲକ୍ଷ୍ନୌରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ୨୦୨୩ରେ ସୁରଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ ହୋଇଥିଲା। ରାହୁଲ ମୋଦି ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ୨୦୨୪ରେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ ମୋଟ ୪ଟି ମାମଲା ରୁଜୁ ହୋଇଛି।