Latest Odisha News

ସୋଆର ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ: ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ

ଭୁବନେଶ୍ୱର: ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ । ୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜକୁ ମଧ୍ୟ ସୋଆର ଜଣେ ପୁରାତନ ଛାତ୍ର ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ। ସୋଆର ପ୍ରଥମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ପ୍ରଫେସର ଆଚାର୍ଯ୍ୟ ନିଜକୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ନିଜ ଶିକ୍ଷାନୁଷ୍ଠାନ ସହ ପୁରାତନ ଛାତ୍ରଛାତ୍ରୀ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅଭିନେତା ତଥା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୧୩ ବ୍ୟାଚର ଛାତ୍ର ଦୀପନ୍ୱୀତ ଦାସମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିନୟ ଜୀବନ ସୋଆରୁ ଆରମ୍ଭ ହୋଇଥିଲା ବୋଲି କହିଥିଲେ । ସୋଆ ଡ୍ରାମା କ୍ଲବ୍‌ ‘ଟନେଲ୍ ଷ୍ଟୁକ୍‌‌’ରେ ଅଭିନୟ କରିବା ପରଠାରୁ ହିଁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ବଢ଼ିଥିଲା ବୋଲି ସେ କହିଥିଲେ । ‘ଦମନ୍‌’, ‘ପ୍ରତୀକ୍ଷା’ ଏବଂ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ ପରବ’ର ଅଭିନେତା ତଥା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଥିବା ଶ୍ରୀ ଦାସମହାପାତ୍ର ନିଜ କ୍ୟାରିୟରର ଶ୍ରେୟ ସୋଆକୁ ହିଁ ଦେଇଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମାବେଶରେ ସାମିଲ ହୋଇଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଶିକ୍ଷାନୁଷ୍ଠାନ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କ ମା’ ଓ ସନ୍ତାନ ସଦୃଶ ବୋଲି ପ୍ରଫେସର ନନ୍ଦ କହିଥିଲେ। ତେଣୁ କେହି କାହାଠାରୁ କେବେ ବି ଦୂରେଇ ରହିପାରିବେ ନାହିଁ । ସୋଆର ପୁରାତନ ଛାତ୍ରଛାତ୍ରୀମାନେ ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ଥିବାବେଳେ ନିଜ ବିଶ୍ୱବିଦ୍ୟାଳୟକୁ ନେଇ ଗର୍ବ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ ଆଲୁମିନଜ୍‌ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନରେ ସୋଆର ପୁରାତନ ଛାତ୍ରଛାତ୍ରୀମାନଙ୍କର ଅନେକ ଭୂମିକା ରହିବ ବୋଲି ଛାତ୍ରମଙ୍ଗଳ ଡିନ୍ ତଥା ଡିନ୍ ଆଲୁମିନାୟୀ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ।

ସେହିପରି ସୋଆର  ଇଣ୍ଡଷ୍ଟ୍ରି ଏନଗେଜ୍‌ମେଣ୍ଟ ଆଣ୍ଡ କର୍ପୋରେଟ ରିଲେସନ୍ସର ନିର୍ଦ୍ଦେଶକ ରିପ୍ତି ରଞ୍ଜନ ଦାଶ କହିଥିଲେ, ଛାତ୍ରଛାତ୍ରୀ ନିଜ ନିଜ ମଧ୍ୟରେ ଯୋଗାଯୋଗ, ଉତ୍ତମ ସମ୍ପର୍କ, ଜ୍ଞାନର ଆଦାନ ପ୍ରଦାନ ଓ କ୍ୟାରିୟରରେ ସହଯୋଗ କଲାଭଳି କାର୍ଯ୍ୟ କରିବା ଉଚିତ୍। ଆଲୁମିନାୟୀମାନେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କର ଲାଟେରାଲ କ୍ୟାମ୍ପସ ନିଯୁକ୍ତିରେ ସହାୟକ ହେବା ସହ ସେମାନଙ୍କର ମାର୍ଗଦର୍ଶକ ହୁଅନ୍ତୁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ- ଅଟଳ ଇନ୍‌କ୍ୟୁବେସନ୍ ସେଣ୍ଟରର ଡିଜିଏମ୍ ରାଜୀବ କୁମାର ଅନୁଷ୍ଠାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ସମାବେଶରେ ସୋଆର ୨୦ ଜଣ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୋଆ ଆଲୁମିନାୟୀଜ୍‌ର ଆବାହକ ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶାର ସ୍ୱାନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 

Leave A Reply

Your email address will not be published.