Latest Odisha News

BREAKING NEWS

ସୋଆ ନର୍ସିଂ କନ୍‌କ୍ଲେଭ୍‌-୨୦୨୪: ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ରବିବାର ସୋଆ ନର୍ସିଂ କନ୍‌କ୍ଲେଭ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ପ୍ରମୁଖ ସ୍ତମ୍ଭ ରହିଛି । ଗୋଟିଏ ସ୍ତମ୍ଭ ଡାକ୍ତର, ଦ୍ୱିତୀୟ ସ୍ତମ୍ଭ ଫାର୍ମାସିଷ୍ଟ ଓ ତୃତୀୟ ସ୍ତମ୍ଭରେ ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ସୋଆ ବିଶ୍ୱବିଦ୍ୟାଳୟରେ ନର୍ସଙ୍କ ଦ୍ୱାରା ଉତ୍ତମ ସେବା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ  ‘ପେସେଂଟ୍ ସେଫ୍ଟି ଇଜ୍ ଆୱାର ପ୍ରାୟୋରିଟି’ ଶୀର୍ଷକ ଆଲୋଚନା କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ନର୍ସମାନେ ନିଜ ନିଜ କେସ୍ ଷ୍ଟଡି ଉପରେ ଗୁରୁତ୍ୱ ଦେବା ସହିତ ନୂଆ ଚିକିତ୍ସା ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ କହିଥିଲେ।  ନର୍ସଙ୍କ କଥାରେ ରୋଗୀର ଅଧା ରୋଗ ଭଲ ହୋଇଥାଏ । ତେଣୁ ରୋଗୀଙ୍କ ପ୍ରତି ସବୁବେଳେ ଉତ୍ତମ ବ୍ୟବହାର କରିବା ଦରକାର । ନର୍ସଙ୍କ ପାଖରେ ଅନେକ ସମସ୍ୟା ରହିଛି। ତଥାପି ସେମାନେ ରୋଗୀଙ୍କ ସମ୍ମୁଖରେ ହସ ହସ ମୁହଁରେ ଠିଆ ହେବାକୁ ପଡିବ ବୋଲି ସେ କହିଥିଲେ।

ରୋଗୀଙ୍କ ସନ୍ତୁଷ୍ଟି ହିଁ ନର୍ସଙ୍କ ସେବାକୁ ସାର୍ଥକ କରିଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଥିଲେ। ନର୍ସମାନେ ହସ୍ପିଟାଲ୍‌ରେ ଚିିକିତ୍ସିତ ରୋଗୀଙ୍କ ଏକ ତାଲିକା ପ୍ରସ୍ତୁତ କରି, କେଉଁ ରୋଗୀଙ୍କୁ ଜରୁରୀକାଳୀନ ସେବା ଦରକାରତାହା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ନିଜ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପରାମର୍ଶ ଦେଇଥିଲେ। ରୋଗୀଙ୍କ ଉତ୍ତମ ଚିକିତ୍ସା ସହ ଯତ୍ନ ଆମର ଉତ୍ତର ଦାୟିତ୍ୱ ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଣ୍ଟ ମିନତି ମିଶ୍ର କହିଥିଲେ ।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଡାକ୍ତର ସତ୍ୟବ୍ରତ ଛୋଟରାୟ, ଟିଏନ୍‌ଏଆଇ ଓଡିଶା ଶାଖାର ସଭାପତି ଫୁଲଣା କୁମାରୀ ଦେଈ ଓ ଅତିରିକ୍ତ ନର୍ସିଂ ସୁପରିଟେଣ୍ଡେଂଟ  ଶୋଭାମଞ୍ଜରୀ ସାମଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ନର୍ସିଂ ଅଫିସରମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.