Latest Odisha News

BREAKING NEWS

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର: ସାଧାରଣତଃ ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ।

ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଗବେଷକ।

କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକ ଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି।

ସୋଆର ସେଂଟର ଫର୍ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇ ଗବେଷଣା ଆରମ୍ଭ କରାଯାଇଛି।

କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ତୁଳସୀ ସମ୍ବନ୍ଧୀୟ ଗବେଷଣା ଏବଂ ତୁଳସୀର ଜୈବିକ ଚାଷ
ନିମନ୍ତେ ସୋଆର ସେଂଟର୍ ଫର୍ ବାୟୋଟେକ୍ନୋଲଜିକୁ ଏକ ବିଭାଗକୁ ପ୍ରୋଜେକ୍ଟ ପ୍ରଦାନ କରାଯାଇଥିବା ଓ ଏଦିଗରେ ଗବେଷଣା ମଧ୍ୟ ଆରମ୍ଭ କରାଯାଇଥିବା ବିଷୟରେ ବିଭାଗର ପ୍ରଫେସର ତଥା ପ୍ରୋଜେକ୍ଟ ଇନ୍‌ଭେଷ୍ଟିଗେଟର୍ ଡଃ ବାସୁଦେବ କର ସୂଚନା ଦେଇଛନ୍ତି।

ତୁଳସୀ ଚାଷ ଦ୍ୱାରା ବିଭିନ୍ନ ରୋଗର ନିରାକରଣ ପାଇଁ ବାୟୋପେଷ୍ଟିସାଇଡ୍ସ ପ୍ରସ୍ତୁତ କରାଯିବା ସହ ତୁଳସୀରୁ
ଔଷଧୀୟ ତେଲ ପ୍ରସ୍ତୁତ କରିବା ନିମନ୍ତେ ଗବେଷଣା କରାଯାଉଛି ବୋଲି ସେ କହିଛନ୍ତି । ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ’ ଓ ବି’ ଏବଂ ଖଣିଜ ଦ୍ରବ୍ୟ ଯେପରିକି କ୍ୟାଲସିୟମ୍‌, ଜିଙ୍କ, ଲୌହ ଆଦି ରହିଥାଏ ଯାହା ଶରୀର ପାଇଁ ଉପକାରୀ ଏବଂ କରୋନାରୁ ମଧ୍ୟ ରକ୍ଷା କରିଥାଏ।

ଏଥିସହିତ କରୋନା ମହାମାରୀ ସମୟରେ ତୁଳସୀ ପତ୍ରରୁ କାଢ଼ା ପ୍ରସ୍ତୁତ କରି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ବୋଲି ମଧ୍ୟ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେଣୁ ଏହି ଗବେଷଣା ବେଶ ଉପକାରୀ ହେବ ବୋଲି ପ୍ରଫେସର କର କହିଛନ୍ତି।

କେବଳ କରୋନା ମହାମାରୀ ମୁକାବିଲା ନୁହେଁ ଚାଷୀମାନଙ୍କୁ ଆତ୍ମନିର୍ଭର କରାଇବା ନିମନ୍ତେ ଜୈବିକ ପଦ୍ଧତିରେ
ତୁଳସୀ ଚାଷ ପାଇଁ ମଧ୍ୟ ସୋଆ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏହାଦ୍ୱାରା ଚାଷୀମାନେ କିପରି ପ୍ରତ୍ୟକ୍ଷ ଭାବେ ଅର୍ଥନୈତିକ ଲାଭ ପାଇପାରିବେ ସେ ନେଇ ଚାଷୀମାନଙ୍କୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦିଆଯାଉଛି।

ଏନେଇ ଚାଷୀମାନଙ୍କୁ ମାଗଣା ତୁଳସୀ ମଞ୍ଜି ଏବଂ ତୈଳ ଉତ୍ପାଦନ ନିମନ୍ତେ ମେସିନ୍ ଓ ଅନ୍ୟାନ୍ୟ ଉପକରଣ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରପଡ଼ା, ଛତାବର ଓ ମେଣ୍ଢାଶାଳ ଭଳି ତିନୋଟି ଗ୍ରାମ ପଂଚାୟତରେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଆରମ୍ଭ କରାଯାଇଛି ବୋଲି ଏହି ପ୍ରୋଜେକ୍ଟର ମୁଖ୍ୟ ଡଃ କର ସୂଚନା ଦେଇଛନ୍ତି ।

ତୁଳସୀର ଔଷଧୀୟ ଗୁଣ, ଏହାର ମାନବୃଦ୍ଧିକରଣ ଏବଂ ଜୈବିକ ପଦ୍ଧତିରେ ଚାଷ ଦ୍ୱାରା ଚାଷୀମାନଙ୍କୁ ଆତ୍ମନିର୍ଭର କରିବା ହିଁ ଏହି ପ୍ରୋଜେକ୍ଟର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଏହି ପ୍ରୋଜେକ୍ଟର କୃଷି ଉପେଦଷ୍ଟା ପ୍ରଫେସର ନିରଞ୍ଜନ ନାୟକ ଏବଂ ପ୍ରଫେସର କର ଗବେଷଣାରତ ଟିମ୍‌ର ସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରୁଛନ୍ତି। ଏହି କାର୍ଯ୍ୟ ସିବିଟିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକଙ୍କ ସହଯୋଗିତାରେ କରାଯାଉଛି। ଚାଷୀ ମାନଙ୍କ ଦ୍ୱାରା ପ୍ରଥମ ଉତ୍ପାଦିତ ତୁଳସୀ ପତ୍ରକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଥିବା ଡଃ କର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.