ବ୍ରହ୍ମପୁର: ସାମାଜିକ ବାସନ୍ଦ, ଜାତିରୁ ବାସନ୍ଦ ଭଳି କୁସଂସ୍କାର ଗଞ୍ଜାମ ଜିଲାରେ ଦିନକୁ ଦିନ ବଢିବାରେ ଲାଗିଛି। କିଛି ନିର୍ଦ୍ଧିଷ୍ଟ କୁଳ ସମାଜର ମୁଖିଆମାନେ ନିଜ ପତିଆରା ପାଇଁ ଏଭଳି କୁପ୍ରଥା ପ୍ରଚଳନ କରିଆସୁଛନ୍ତି। ଏକାଧିକ ଘଟଣା, ଦୁର୍ଘଟଣା ଓ ପୁଲିସର ତାଗିଦ ପରେ ମଧ୍ୟ ବାସନ୍ଦ ପ୍ରଥା କମିବାର ନାଁ ନେଉନି।
ପୂର୍ବରୁ ଛତ୍ରପୁର, ଗୋପାଳପୁର, ରମ୍ଭା ଅଞ୍ଚଳରୁ ବାସନ୍ଦ ଅଭିଯୋଗ ଆସିଥିବା ବେଳେ ଏବେ ଦିଗପହଣ୍ଡିରୁ ସମାନ ଅଭିଯୋଗ ଆସିଛି। ଅନ୍ୟ ଜାତିରେ ବିବାହ କରିଥିବା ଜଣେ ମହିଳା ସରପଞ୍ଚ ପ୍ରାର୍ଥୀ ନିଜ ବାପ ଘରକୁ ଆସିବାରୁ ତାଙ୍କୁ କୁଳ ସମାଜ ପକ୍ଷରୁ ଜୋରିମାନା ଧାର୍ଯ୍ୟ କରାଯିବା ସହ ବାସନ୍ଦ କରାଯାଇଛି। ଏନେଇ ସଂପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକେ ଆଜି ବ୍ରହ୍ମପୁର ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।
ସୂଚନା ପ୍ରକାରେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଥିବା କାଳିଆ ବେହେରାଙ୍କ ଝିଅ ରୋଜାଲିନ ବେହେରା ଆଜକୁ ୨ ବର୍ଷ ତଳେ ଅନ୍ୟ ଜାତିରେ ବିବାହ କରିଥିଲେ। ରୋଜାଲିନ ନିଜ ସ୍ୱାମୀଙ୍କ ସହ ବ୍ରହ୍ମପୁରରେ ରହି ଆସୁଥିଲେ। ହେଲେ ଗତ ନିର୍ବାଚନରେ ରୋଜାଲିନି ମୌଳାଭଞ୍ଜା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ। ସେହିକ୍ରମରେ ସେ ନିଜ ବାପ ଘରକୁ ଯାଇ କିଛି କାଜଗପତ୍ର ଆଣିଥିଲେ। ଆଉ ଏହି କଥାକୁ ନେଇ ରୋଜାଲିନି ଓ ତାଙ୍କ ବାପ ଘର ଲୋକଙ୍କୁ କୈବର୍ତ୍ତ କୂଳର ମୁଖଆମାନେ ବାସନ୍ଦ କରିଦେଇଥିଲେ।
ଏପରିକି ରୋଜାଲିନଙ୍କ ବାପା କାଳିଆ ବେହେରାଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ପକାଇଥିଲେ। ଏନେଇ କୁଳ ସମାଜ ବୈଠକ ବସିଥିଲା। ତେବେ ୫ ହଜାର ଟଙ୍କା ଦେବା ପରେ ବାସନ୍ଦ ଉଠାଇ ଦିଆଯିବ ବୋଲି କୁଳ ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଜି ଯାଏଁ ବାସନ୍ଦ ନ ଉଠାଇବାରୁ ରୋଜାଲିନଙ୍କ ପରିବାର ଲୋକେ ଆଜକୁ ୧୫ ଦିନ ତଳେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।
ସେଠାକାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପରିବାର ଲୋକେ ଶୁକ୍ରବାର ଏସପି ସର୍ବଣା ବିବେକ ଏମଙ୍କ ନିକଟକୁ ଆସି ନ୍ୟାୟ ଭିକ୍ଷା କରିଥିଲେ। ତେବେ ଶନିବାର ଅଭିଯୋଗକାରୀ, କୁଳସମାଜ କର୍ମକର୍ତ୍ତା, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜଣାପଡ଼ିଛି।
Comments are closed.