Latest Odisha News

ପର ପୀଢ଼ିକୁ ଦ୍ୱେତ ମାନସିକତାର ଏ’ ଭୁଲ୍ ସନ୍ଦେଶ ନଯାଉ

– ଦେବଦତ୍ତ ରଥ

ଭୁବନେଶ୍ୱର: ପ୍ରଫେଟ୍ ମହମ୍ମଦଙ୍କ ସମ୍ବଦ୍ଧରେ ବିବାଦୀୟ ଟିପ୍ପଣୀ ଦେବା କାରଣରୁ ନୂପୁର ଶର୍ମାଙ୍କ ବିରୋଧରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାସ୍ତବରେ କାହାର ଧର୍ମକୁ ବା କୋୖଣସି ବି ଧର୍ମର ଦେବୀ, ଦେବତା, ମହାପୁରୁଷ, ବିଶ୍ୱାସ ବା ଆସ୍ଥାକୁ ଆଘାତ ପହଞ୍ଚାଇବା ପରି କେହି ମନ୍ତବ୍ୟ ଦେବା ଅନୁଚିତ୍। ବିଶେଷ କରି ଭାରତ ପରି ଏକ ସର୍ବବୃହତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ରାଷ୍ଟ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ। ଏଠାରେ ସବୁ ଧର୍ମର ଆସ୍ଥା ଏବଂ ବିଶ୍ୱାସକୁ ସମ୍ମାନ ଦିଆଯାଏ। ଯାହାକୁ କି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ବିଜେପି ନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।

ଟିଭି ବିତର୍କରେ ନୂପୁର ଶର୍ମାଙ୍କ ସାମ୍ନାରେ ପ୍ରତିପକ୍ଷ ପକ୍ଷରୁ ବାରମ୍ବାର ମହାଦେବଙ୍କୁ କ୍ରମାଗତ ଭାବରେ ଅପମାନିତ କରାଯାଉଥିଲା। ଏହା ଶିବଲିଙ୍ଗ ନୁହେଁ ବରଂ ଏକ ଧରାୟନ୍ତ (ଫାଉଣ୍ଟେନ୍) ବୋଲି କହି ଶିବଲିଙ୍ଗକୁ ପରିହାସ କରି କୁହାଯାଉଥିଲା। ରାସ୍ତା କଡ଼ର ପୋଲ୍ ସହିତ ତୁଳନା କରି ଦିଲ୍ଲୀର ପ୍ରତ୍ୟେକ ଫୁଟପାଥରେ ଅନେକ ଶିବଲିଙ୍ଗ ଅଛନ୍ତି, ଯାଇ ପୂଜା କର ବୋଲି କୁହାଯାଉଥିଲା। ମହାଦେବଙ୍କ ପ୍ରତି କ୍ରମାଗତ ଭାବରେ ଏପରି ଅପମାନ ଓ ଅସମ୍ମାନକୁ ସହ୍ୟ କରିନପାରି କ୍ରୋଧରେ ନୂପୁର ହୁଏତ ସେପରି କିଛି କହିଦେଇଛନ୍ତି। ନୂପୁର ଶର୍ମା ହୁଏତ ଭୁଲ୍ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛି। ସେଥିପାଇଁ ନୂପୁର ଶର୍ମା ମଧ୍ୟ କ୍ଷମା ପ୍ରାର୍ଥନା କରି ସାରିଛନ୍ତି।

ତଥାପି ନୂପୁରଙ୍କ ବିରୋଧରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ବିରୋଧ, ବିକ୍ଷୋଭ ଏବଂ ପ୍ରଦର୍ଶନ ଜାରୀ ରହିଛି ଏବଂ କିଛି ବିରୋଧୀ ଦଳ ସେ ନିଆଁରେ ଘିଅ ଢାଳିବା କାମ କରୁଛନ୍ତି। ଯାହା ଫଳରେ ଅନେକ ସ୍ଥାନରେ ପ୍ରଦର୍ଶନ ଉଗ୍ରରୂପ ନେଉଛି। ଧନ ଜୀବନ ହାନି ଘଟୁଛି। ତେବେ, ଯେତେବେଳେ ହିନ୍ଦୁ ଧର୍ମ, ହିନ୍ଦୁ ଧର୍ମର ଦେବଦେବୀଙ୍କୁ ବିକୃତ କରି, ଅପମାନିତ କରି ମନ୍ତବ୍ୟ ଦିଆଯାଉଛି, ଚଳଚିତ୍ର ନିର୍ମାଣ କରାଯାଉଛି, ସେତେବେଳେ ଏହି ବିରୋଧୀ ଦଳ ତାକୁ ଅଭିବ୍ୟକ୍ତି ଆଜାଦୀର ନାମ ଦେଉଛନ୍ତି। ଏପରି ଦ୍ୱେତ ମାନସିକତା କାହିଁକି ବୋଲି ହରପ୍ରିୟା ସାହୁ ପ୍ରଶ୍ନ କରିଛନ୍ତି। ପ୍ରସିଦ୍ଧ ଚିତ୍ରକର ଏମ୍ ଏଫ୍ ହୁସେନ ହିନ୍ଦୁ ଧର୍ମର ଦେବାଦେବୀ ଏପରିକି ଭାରତ ମାତାର ଆପତ୍ତିଜନକ ତଥା ନଗ୍ନ ଚିତ୍ର ଆଙ୍କିଥିଲେ। ସେତେବେଳେ ଆଜିର ଏହି ବିକ୍ଷୋଭକାରୀ ତଥା ବିକ୍ଷୋଭକୁ ସମର୍ଥନ ଦେଉଥିବା ବିରୋଧୀ ଦଳ, ସେକୁଲାର ବୋଲାଉଥିବା ନେତାନେତ୍ରୀ ସବୁ କାହିଁକି ନିରବ ଥିଲେ? ଓଲଟି ଏମ୍ ଏଫ୍ ହୁସେନଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଆଦି ଗୋଟାଏ ପରେ ଗୋଟାଏ ଉପାଧିରେ ଭୂଷିତ କରାଯାଉଥିଲା!

ଧର୍ମନିରପେକ୍ଷତାର ମୂଖା ପିନ୍ଧି କେତେବେଳେ ଅଭିବ୍ୟକ୍ତି ଆଜାଦୀର କଥା କହି ତ’ ପୁଣି କେତେବେଳେ ଇନଟଲେରାନ୍ସ କଥା କହି ଚିଲାଉଥିବା ଛଦ୍ମ ଧର୍ମନିରପେକ୍ଷତାର ମୂଖା ପିନ୍ଧା ଏପରି ଦ୍ୱେତ ମାନସିକତା କାହିଁକି? ଯେପରି କିଛି ବିଶେଷ ଉପଲବ୍ଧି ପାଇଁ କାହାକୁ ମରଣୋତ୍ତର ଭାବରେ କିଛି ଉପାଧି ପ୍ରଦାନ କରାଯାଇଥାଏ, ସେହପରି ଏମ୍ ଏଫ୍ ହୁସେନଙ୍କ ଠାରୁ ମରଣୋତ୍ତର ଭାବରେ ସେ ସମସ୍ତ ଉପାଧି ଗୁଡ଼ିକୁ ଫେରାଇ ଅଣାଯିବା ଉଚିତ୍ ବୋଲି କହିବା ସହ ଧର୍ମନିରପେକ୍ଷତା ଏବଂ ଅଭିବ୍ୟକ୍ତି ଆଜାଦୀ ନେଇ ପର ପୀଢ଼ିକୁ ଏ’ ଦ୍ୱେତ ମାନସିକତାର ଏକ ଭୁଲ୍ ସନ୍ଦେଶ ନଯାଉ ବୋଲି ହରପ୍ରିୟା କହିଛନ୍ତି।

Leave A Reply

Your email address will not be published.