Latest Odisha News

BREAKING NEWS

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ କାଟୁଛନ୍ତି ବୋଲି କହିଛନ୍ତି| ଅଳ୍ପକିଛି ଦିନ ବାହାରକୁ ନଯିବା ଯୋଗୁ ମନସ୍ଥିତି ଯେ ଏପରି ବିଗିଡ଼ିଯିବ ତାହା ଅବିଶ୍ବାସ ଲାଗୁଥିଲେ ମଧ୍ୟ ଏହି ଘଟଣା ମଣିଷର ଅସ୍ଥିର ମନୋଭାବକୁ ଇଙ୍ଗିତ କରୁଛି| ରୋଗ ଗ୍ରାସର ଭୟ ସେମାନଙ୍କୁ ଘାରିଥିବା କଥା କହିଥିଲେ ବରଂ ଅର୍ଥପୂର୍ଣ୍ଣ ଲାଗିଥାନ୍ତା ଯେଉଁଥିପାଇଁ ସାମାଜିକ ଦୂରତାରକ୍ଷା କରିବା ଅତ୍ୟନ୍ତ ପ୍ରୟୋଜନ|

ତେବେ ଏକାନ୍ତବାସ ଯୋଗୁ ଚାପବଢୁଥିବା ନେଇ କିଛି ଅତ୍ୟୁକ୍ତିକୁ ଛାଡ଼ିଦେଲେ କୋଭିଡ କାରଣରୁ ପ୍ରକୃତରେ କେତେକ ବିଶେଷ ବର୍ଗର ସଦସ୍ୟମାନେ ଯେ ମାନସିକ ତଥା ଗଭୀର ମନସ୍ତାତ୍ତ୍ବିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ନିଃସନ୍ଦେହ| କିନ୍ତୁ ଏହି ସମସ୍ୟା ଅବରୋଧର ଅର୍ଗଳି ଭିତରେ ତୁଛାଟାରେ ଛନ୍ଦିହୋଇ ରହିଛନ୍ତି ବୋଲି କହୁଥିବା କିଛି ଲୋକଙ୍କ ଭାବନା ଠାରୁ ସମ୍ପୂର୍ଣ୍ଣ ଅଲଗା| ଭିନ୍ନ ଭାବରେ କହିଲେ, ଦୈନିକ ରୋଜଗାର ହରାଇଥିବା ଶ୍ରମଜୀବୀ ତଥା ନିମ୍ନ ମଧ୍ୟବିତ୍ତ ବର୍ଗର କ୍ରମାଗତ ବଢ଼ିଚାଲିଥିବା ଆର୍ଥିକ ଦୁରବସ୍ଥା ହେତୁ ସେମାନଙ୍କ ଭିତରେ ଏପରି ନୈରାଶ୍ୟ ସୃଷ୍ଟିହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ| ଏତଦବ୍ୟତୀତ ସଂକ୍ରାମକ କୋଭିଡ-୧୯ ରୋଗରେ ପୀଡ଼ିତ, ସୁସ୍ଥ ହୋଇସାରିଥିବା ବ୍ୟକ୍ତି, ରୋଗ ଚିକିତ୍ସାରେ ସମ୍ପୃକ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀମାନେ ବିଭିନ୍ନ ସ୍ଥାନରେ ଲୋକଙ୍କ ଭ୍ରାନ୍ତି ବା ଭୁଲ ବୁଝାମଣା ଯୋଗୁ ଘୃଣା, ଅପମାନ ଓ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି, ଯେତେବେଳେ କି ସେମାନେ ଶ୍ରଦ୍ଧା, ସହାନୁଭୂତି ଓ ସମ୍ମାନର ପାତ୍ର ହେବା କଥା| ଏପରିକି କେତେକ ଅଞ୍ଚଳରେ ସେମାନେ କେତେକଙ୍କ ଆକ୍ରୋଶ ଓ ଆକ୍ରମଣର ମଧ୍ୟ ସାମ୍ନା କରୁଛନ୍ତି| ଏସବୁ ଅଭାବନୀୟ ପରିସ୍ଥିତି ସେମାନଙ୍କ ମନରେ ନିଶ୍ଚିତ ତୀବ୍ର ଆଘାତ ବା ମାନସିକ ଚାପ ସୃଷ୍ଟି କରୁଥିବ|

ଅନ୍ୟପକ୍ଷରେ ଏହି ଚିକିତ୍ସକ ଓ ସହାୟକ ଗୋଷ୍ଠି ନିଜ ପରିବାର ସହିତ ଘନିଷ୍ଠ ଭାବେ ମିଶିବାକୁ ବି ଉଚିତ ମଣୁନାହାଁନ୍ତି| କାରଣ ଏହି କାର୍ଯ୍ୟରତ ବ୍ୟକ୍ତିମାନେ ଭୂତାଣୁର ବାହକ ହେବାର ଆଶଙ୍କାରେ ରହୁଛନ୍ତି| ତେଣୁ ସାମାଜିକ ଦୂରତା ସହିତ ପାରିବାରିକ ଦୂରତାରକ୍ଷା କରିବାରେ ହିଁ ସେମାନେ ନିଜ ପ୍ରିୟ ପରିବାରକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବେ|

ଏହି ପରିପ୍ରେକ୍ଷୀରେ କିଛିଦିନ ତଳେ ଭାବାନ୍ତର ସୃଷ୍ଟିକଲା ଭଳି ଏକ ସମ୍ବାଦ ଚର୍ଚ୍ଚାକୁ ଆସିଥିଲା ଯେ, ଭୋପାଳର ଜଣେ ଡାକ୍ତର ପରିବାର ଠାରୁ ପୃଥକ ହୋଇ ରହିବା ଦାୟରେ ହସ୍ପିଟାଲ ବାହାରେ ଆପଣାର କାର ଭିତରେ କିପରି ଦୈନନ୍ଦିନ ଜୀବନ ବିତାଉଛନ୍ତି| ଏହି ମର୍ମରେ ଆଉଏକ ଚିନ୍ତାଜନକ ବିଷୟ ହେଲା, କିଛି ନିର୍ଦ୍ଦିଷ୍ଟ ସମୁଦାୟରେ କୌଣସି କାରଣରୁ ଅଧିକ ସଂକ୍ରମିତ ଚିହ୍ନଟହେବା ପରେ ସେହି ସମ୍ପ୍ରଦାୟକୁ ଆକ୍ଷେପକରିବା| ତାହା ଫଳରେ ସେହି ଗୋଷ୍ଠି ମନରେ ଭୟ ଓ ଅସହାୟତା ଦେଖାଦେଇ ସାମୁହିକ ମାନସକୁ ଚାପଗ୍ରସ୍ତ କରିପକାଉଛି|

ବର୍ତ୍ତମାନର ଅଭୂତପୂର୍ବ ସଂକ୍ରମଣ ଓ କଠୋର ଅବରୋଧ ସମୟରେ ସମଗ୍ର ବିଶ୍ବରେ କେତେକ ବ୍ୟକ୍ତିଙ୍କ ଭିତରେ ମାନସିକ ଅସନ୍ତୁଳନ ଉଦ୍ଭବ ହୋଇଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହା ଉପରେ ବରାବର ନଜର ରଖିଛି ଏବଂ ସମସ୍ୟାର ନିରାକରଣ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶିକା ମଧ୍ୟ ଜାରିକରିଛି| ଭାରତରେ ଏହି ସମସ୍ୟା ଦେଖାଦେବାର ଯଥେଷ୍ଟ ଆଗରୁ ଅନେକ ରାଷ୍ଟ୍ରରେ ମହାମାରୀର ପ୍ରକୋପ ଆରମ୍ଭ ହୋଇସାରିଥିବାରୁ ଡବ୍ଲୁଏଚଓ ଏଭଳି ସ୍ଥିତିକୁ ଆକଳନ କରି ମାର୍ଚ୍ଚ ୧୮ ତାରିଖରୁ ଏନେଇ ଗାଇଡ଼ଲାଇନ ପ୍ରକାଶ କରିସାରିଛି| ମାନସିକ ଦୁଶ୍ଚିନ୍ତା ଓ ଚାପ କିପରି କମିପାରିବ ସେନେଇ ସଙ୍ଗଠନ କେତେକ ପାଳନୀୟ ପରାମର୍ଶ ପ୍ରଦାନକରିଛି| ଏଥିପାଇଁ କୋଭିଡ-୧୯ ସହିତ ସମ୍ପୃକ୍ତ ସମସ୍ତଙ୍କ ପ୍ରତି ଉପଯୁକ୍ତ ଓ ମାନବୀୟ ଆଚରଣ ପ୍ରଦର୍ଶନକରିବା ଲାଗି ସର୍ବସାଧାରଣଙ୍କୁ ପରାମର୍ଶ ଦିଆଯାଇଛି|

ଏହା ସହିତ ଅଯଥା ଚାପ ସୃଷ୍ଟିହେଲା ଭଳି ସମ୍ବାଦ ପଢ଼ିବା, ଶୁଣିବା ଓ ଦେଖିବାକୁ କମ୍ କରିବା ସକାଶେ ନିର୍ଦ୍ଦେଶିକାରେ ଉଲ୍ଲେଖକରାଯିବା ସହିତ ରୋଗ ନେଇ ବିଭିନ୍ନ ଗୁଜବକୁ ନିଜ ସାଧାରଣ ଜ୍ଞାନ ପ୍ରୟୋଗ ଦ୍ବାରା ଏଡ଼ାଇ କେବଳ ସଠିକ୍ ସୂତ୍ରରୁ ଖବର ହାସଲକରିବା ଲାଗି କୁହାଯାଇଛି| ନିଜକୁ ସୁରକ୍ଷିତ ରଖିବା ଓ ଆପଣା କମ୍ୟୁନିଟିର ଅନ୍ୟ ସଦସ୍ୟମାନଙ୍କୁ ସହାୟତା କରିବାରେ ମନୋନିବେଶ କଲେ ଅଯଥା ଦୁଶ୍ଚିନ୍ତା ଦୂରହୋଇପାରିବ| କୋଭିଡରୁ ମୁକ୍ତ ହୋଇଥିବା ଲୋକଙ୍କ କାହାଣୀରୁ ନିଜ ଆତ୍ମବିଶ୍ବାସ ଦୃଢ଼କରନ୍ତୁ ଏବଂ ଏହି ଖବର ଅନ୍ୟମାନଙ୍କୁ ବାଣ୍ଟନ୍ତୁ| ଏହା ମନରେ ସକାରାତ୍ମକ ଭାବକୁ ବଢ଼ାଇବ| ଯେଉଁମାନେ ରୋଗର ନିରାକରଣ କାମରେ ଜୀବନପଣକରି ଲାଗିଛନ୍ତି ସେମାନଙ୍କ ପ୍ରତି ଆନ୍ତରିକ ଶ୍ରଦ୍ଧା ପୋଷଣ କରନ୍ତୁ ଯାହା ନିଜକୁ ପ୍ରେରିତ କରିବ ଉଦବେଗରୁ ମୁକ୍ତରଖିବ|

ଏଭଳି ସ୍ଥିତିରେ ଲୋକଙ୍କ ମାନସିକ ଚାପକୁ ନିୟନ୍ତ୍ରିତ କରିବା ଲାଗି ଏବେ କିଛି ଅନଲାଇନ୍ ମାନସିକ ସ୍ବାସ୍ଥ୍ୟ ସଙ୍ଗଠନ ଆଗେଇଆସିଛନ୍ତି| ସେଗୁଡ଼ିକ ମଧ୍ୟରେ ରିଫ୍ଲେକ୍ଟିଭ୍ ଏରିନା, ଅଲଟରନେଟିଭ୍ ଷ୍ଟୋରୀ, ବ୍ଲୁ ଡନ୍ ଆଦି ଅନ୍ୟତମ| ମାତ୍ର ଏମାନଙ୍କର ଉଦ୍ୟମ ଗରିବ ଜନସାଧାରଙ୍କ କ୍ଷେତ୍ରରେ, ଡିଜିଟାଲ୍ ଭିତ୍ତିଭୂମି ନଥିବା ସ୍ଥାନମାନଙ୍କରେ ତଥା ଉପଯୁକ୍ତ ସୁରକ୍ଷା ସତର୍କତା ଅବଲମ୍ବନକରି ଏକତ୍ରବସି ଭିଡିଓ କାଉନସେଲିଂ ଗ୍ରହଣକରିବା କାର୍ଯ୍ୟକ୍ରମ ଅତ୍ୟନ୍ତ ଅବାସ୍ତବ ଓ କଳ୍ପନାବିଳାସ ଭଳି ମନେହୁଏ| ଅନଲାଇନ ବ୍ୟବସ୍ଥାରେ ଘରୁ କାମକରିବା ୯୯ ପ୍ରତିଶତ କ୍ଷେତ୍ରରେ ସମ୍ଭବ ହେଉନାହିଁ ବୋଲି କମ୍ପାନୀମାନେ ଏବେ ସ୍ପଷ୍ଟ କରିଥିବା ବେଳେ ମେଣ୍ଟାଲ୍ ହେଲଥ୍ କ୍ଷେତ୍ରରେ ଏହି ପଦ୍ଧତି କେତେ ସହାୟକ ହେବ ତାହା ସହଜେ ଅନୁମେୟ| ଏହାକୁ ଦୃଷ୍ଟିରେ ରଖି ଲୋକେ ନିଜେ ସକାରାତ୍ମକ ପ୍ରୟାସ କରିବା ଜରୁରୀ| ଘରକାମରେ ସହାୟତାକରିବା, ବଗିଚାକାମ, ପୁସ୍ତକ ପଠନ ଓ ଲେଖାଲେଖି, ଚିତ୍ରଆଙ୍କିବା, ସଙ୍ଗୀତ ଶୁଣିବା ଓ ଅଭ୍ୟାସକରିବା ଭଳି ରୁଚିରେ ମନୋନିବେଶ କରିବା ଏପରି କାର୍ଯ୍ୟକଳାପର ଅନ୍ତର୍ଭୂକ୍ତ|

ବର୍ତ୍ତମାନର ପୃଷ୍ଠଭୂମିରେ ଏବେ ଗୋଟିଏ ରୋଚକ ତଥା ବିସ୍ମୟ ଉଦ୍ରେକକାରୀ ତଥ୍ୟ ଅନଲାଇନ ମାଗାଜିନ୍ ‘ଦି କନଭରସେସନ୍’ ରେ ପ୍ରକାଶିତ ହୋଇଛି, ଯାହା ସଂକ୍ରାମକ ରୋଗ ବ୍ୟାପିଥିବା ବେଳେ ସାମାଜିକ ଦୂରତା ଓ ପୃଥକବାସର ମହତ୍ତ୍ବ ଓ ଅନିବାର୍ଯ୍ୟତାକୁ ପ୍ରତିପାଦିତ କରିଛି| ସେଥିରେ ଉଲ୍ଲେଖ ରହିଛି ଯେ, କ୍ବାରାଣ୍ଟାଇନ୍ ତଥା ସୋସିଆଲ ଡିସଷ୍ଟାନସିଙ୍ଗ୍ କଦାପି ନୂଆକଥା ନୁହେଁ| ଏହା ପଶୁପକ୍ଷୀ-କୀଟପତଙ୍ଗ ଜଗତରେ ପ୍ରଚଳିତ| ସାମାଜିକ ବା ଗୋଷ୍ଠିଜୀବନ ବଞ୍ଚୁଥିବା ପ୍ରାଣୀମାନଙ୍କ କଲୋନୀରେ ସଂକ୍ରାମକ ରୋଗ ବ୍ୟାପିଲେ ସେମାନେ ପ୍ରଚଳିତ ଆଚରଣ ପରିବର୍ତ୍ତନ କରିଦିଅନ୍ତି|

ରୋଗଗ୍ରସ୍ତମାନେ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବା ବେଳେ ସୁସ୍ଥମାନେ ନିଜନିଜ ଭିତରେ ଘନିଷ୍ଠତାକୁ କମ୍ କରିଦିଅନ୍ତି| ପିମ୍ପୁଡ଼ି, ମାଙ୍କଡ଼, ବାଦୁଡ଼ି, ଚିଙ୍ଗୁଡ଼ି, କେତେକ ପ୍ରଜାତିର କୀଟପତଙ୍ଗ, ପକ୍ଷୀ ନିଜ ରହଣି ସ୍ଥଳରେ ଏହି ପ୍ରକାରର ନିୟମ ପାଳନକରି ବଂଶରକ୍ଷା କରନ୍ତି| ମାଣ୍ଡ୍ରିଲ ନାମକ ଏକ ଜାତିର ମାଙ୍କଡ଼ ଆପଣା ପରିବାରର ଅସୁସ୍ଥମାନଙ୍କ ସେବା ଶୂଶ୍ରୁଷା କରୁଥିବା ସମୟରେ ସେମାନଙ୍କ କୁଟୁମ୍ବ ବାହାରର ଅସୁସ୍ଥମାନଙ୍କ ଠାରୁ ଦୂରେଇ ରହନ୍ତି|

ଏଭଳି ଦୃଷ୍ଟାନ୍ତ ଆମ ପରିସଂସ୍ଥାରେ ରହିଥିବା ପଶୁମାନଙ୍କ ସମାଜରେ ରହିଥିବା ବେଳେ ଆମେ ଅବୁଝା ହେବା ଏବଂ ମାନସିକ ସନ୍ତୁଳନ ହରାଇବା କି’ପ୍ରକାର ବୁଦ୍ଧିମତାର ପରିଚୟ?

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.