ଗଞ୍ଜାମ: ଜଙ୍ଗଲ ଭିତରେ ଚାଲିଥିଲା କୁମ୍ବିଂ ଅପରେସନ। ଅସାବଧାନତା ଯୋଗୁଁ ହଠାତ ଯବାନଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟିଲା। ଏଥିରେ ଏସଓଜି ଯବାନ ସୁକାନ୍ତ ମାଝୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋରଡ଼ା, ପରେ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ରାତି ପ୍ରାୟ ୯ଟା ବେଳକୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତ ସୋରଡ଼ା ନିକଟ ଜଙ୍ଗଲରେ ବୁଧବାର ସନ୍ଧ୍ୟାରେ ଏପରି ଅଘଟଣ ଘଟିଛି।
ଆରମ୍ଭରୁ ଏହା ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବୋଲି କୁହାଯାଉଥିଲା। ହେଲେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଏହାକୁ ଖଣ୍ଡନ କରିଛନ୍ତି। ଜଙ୍ଗଲରେ ନିୟମିତ କୁମ୍ବିଂ ଅପରେସନ ଚାଲିଥିଲା ବେଳେ ସୁରକ୍ଷାକର୍ମୀଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟିଥିବା ଉଭୟ ସ୍ପଷ୍ଟ କରିଛନ୍ତି। ଏମକେସିଜିରେ ସୁକାନ୍ତଙ୍କ ସିଟି ସ୍କାନ ପରେ ଚିକିତ୍ସା ଜାରି ରହିଛି। ସ୍ୱାସ୍ଥବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଦକ୍ଷିଣାଞ୍ଚଳ ଆଇଜି ଓ ବ୍ରହ୍ମପୁର ଏସପି ରାତିରେ ଏମକେସିଜି ଯାଇ ଗୁରୁତର ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଉଭୟ ଆଲୋଚନା କରିଛନ୍ତି। ସୂଚନା ଥାଉକି ରାତିସାରା ଜଙ୍ଗଲରେ ନିୟମିତ କୁମ୍ବିଂ ଅପରେସନ ଚାଲିଛି।
ଅନ୍ୟପଟେ ମାଓବାଦୀଙ୍କ ସଂଖ୍ୟା ଏବେ ୯ ରେ ପହଞ୍ଚିଛି । ଆଉ ୭ ଦିନ ସମୟ ଅଛି, ଏହି ମାସ ଶେଷରେ ଓଡିଶା ସମ୍ପୂର୍ଣ୍ଣ ମାଓ ମୁକ୍ତ ହେବ । ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ରାଜ୍ୟର ଆନ୍ତରିକ ସୁରକ୍ଷା ଆହ୍ୱାନ ଥିଲା । ୪ ଦଶନ୍ଧୀ ଧରି ମାଓ ସଂଖ୍ୟା ବଢୁଥିଲା, କିନ୍ତୁ କମୁ ନଥିଲା । ବର୍ତ୍ତମାନ ପ୍ରତିଦିନ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଆଉ ୭ ଦିନ ଭିତରେ ମାଓ ମୁକ୍ତ ହେବ ଭାରତ, ଓଡିଶା ନକ୍ସଲ ମୁକ୍ତ ହେବ । ୨୦୨୫ ରୁ ୨ କେନ୍ଦ୍ରୀୟ କ୍ୟାଡର ସହ ୨୭ ଜଣଙ୍କୁ ହତ୍ୟା କରାଯାଇଛି । ୭୭ ଜଣ ଆତ୍ମ ସମର୍ପଣ କରିଛନ୍ତି । ବୁଧବାର ମାଓ ନେତା ଶୁକୃ ଆତ୍ମ ସମର୍ପଣ କରିଛି ।