ଭୁବନେଶ୍ୱର: ସୂର୍ଯ୍ୟ ଗ୍ରହଣ ଜ୍ୟୋତିଷ ଶାସ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚିତ ହୋଇଥାଏ, ଯାହାର ପ୍ରଭାବ ଦେଶ-ଦୁନିଆର କାର୍ଯ୍ୟକଳାପ ଏବଂ ୧୨ଟି ରାଶି ଉପରେ ପଡ଼ିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟ ଦେଇ ଗତି କରିଥାଏ, ସେହି ସମୟରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀରେ ପହଞ୍ଚି ପାରି ନଥାଏ। ଏହି ଘଟଣାକୁ ସୂର୍ଯ୍ୟ ଗ୍ରହଣ କୁହାଯାଏ। ଚଳିତ ବର୍ଷ ଅର୍ଥାତ୍ ୨୦୨୫ ମସିହାରେ ପ୍ରଥମ ସୂର୍ଯ୍ୟ ଗ୍ରହଣ ମାର୍ଚ୍ଚ ୨୯ ତାରିଖରେ ହେବ। ଏହି ପ୍ରକ୍ରିୟା ଅପରାହ୍ନ ୨ଟା ୨୦ ମିନିଟ୍ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୬ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସୂର୍ଯ୍ୟ ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ଜଣା ପଡ଼ିଛି ।
ଜ୍ୟୋତିଷ ଦୃଷ୍ଟିରୁ ଏହି ସୂର୍ଯ୍ୟ ଗ୍ରହଣକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ସୂର୍ଯ୍ୟ ଗ୍ରହଣ ମୀନ ରାଶି ଏବଂ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଘଟିବ। ଏହି ସମୟରେ ସୂର୍ଯ୍ୟ, ରାହୁ, ଶୁକ୍ର, ବୁଧ ଏବଂ ଚନ୍ଦ୍ର ଏହି ସମସ୍ତ ଗ୍ରହ ମୀନ ରାଶିରେ ରହିବେ। ଏହି କାରଣରୁ ଗ୍ରହଣର ପ୍ରଭାବକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏପରି ସ୍ଥିତିରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନଙ୍କୁ କିଛି କାର୍ଯ୍ୟରୁ ଦୂରେଇ ରହିବାକୁ ପଡ଼ିବ, ନଚେତ୍ ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ।
ସୂର୍ଯ୍ୟ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି କାର୍ଯ୍ୟ କରନ୍ତୁ ନାହିଁ
୧.ଜ୍ୟୋତିଷ ମାନ୍ୟତା ଅନୁସାରେ, ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନଙ୍କୁ ରୋଷେଇ ଘରର କୌଣସି କାମ କରିବା ଉଚିତ୍ ନୁହେଁ। ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଖାଦ୍ୟ କିମ୍ବା ଅନ୍ୟ କୌଣସି ଜିନିଷ ସେବନ କରିବା ଉଚିତ୍ ନୁହେଁ।
୨.ଗ୍ରହଣ ସମୟରେ ଆପଣ କୌଣସି ସିଲେଇ କିମ୍ବା ବୁଣା କାମ କରନ୍ତୁ ନାହିଁ। ଏପରିକି ଛୁଞ୍ଚିରେ ସୂତା ପୂରାଇବା ଭଳି ଭୁଲ ମଧ୍ୟ କରନ୍ତୁ ନାହିଁ।
୩.ଏହି ସମୟରେ ଆପଣ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ।
୪. ଗ୍ରହଣ ଆରମ୍ଭ ହେବାରୁ ଶେଷ ହେବା ପର୍ଯ୍ୟନ୍ତ ଚଲା ବୁଲା କରନ୍ତୁ ନାହିଁ। ଏହା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇପାରେ। ଏହି ସମୟରେ ଆପଣ କୌଣସି ଦେବୀ-ଦେବତାଙ୍କ ପୂଜା ମଧ୍ୟ କରିବା ଉଚ୍ଚିତ ନୁହେଁ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।
Comments are closed.