Latest Odisha News

BREAKING NEWS

Solar eclipse 2026: ଦେଖି ନଥିବେ କେବେ ଏପରି ଦୃଶ୍ୟ! ଆକାଶରେ ଚନ୍ଦ୍ର-ସୂର୍ଯ୍ୟଙ୍କ ଅଦ୍ଭୁତ ମିଳନ…

ନୂଆଦିଲ୍ଲୀ: ଇଣ୍ଟରନେଟର ମନ ମୋହୁଛି ଅପୂର୍ବ ଦୃଶ୍ୟ!

ହଠାତ୍ ଛାଇଗଲା ଅନ୍ଧାର!

ଆକାଶରେ ଚନ୍ଦ୍ର-ସୂର୍ଯ୍ୟଙ୍କ ଅଦ୍ଭୁତ ମିଳନ!

ଆକାଶରେ ଘଟିଲା ଏକ ବିରଳ ମହାଜାଗତିକ ଘଟଣା। ଅଗଷ୍ଟ ୧୨ ତାରିଖରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନା ଦେଇ ଗତି କରିବା ସହ ସୃଷ୍ଟି ହେଲା ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ। ଗ୍ରହଣ ସମୟରେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳ ମୁହଁକୁ ଚନ୍ଦ୍ର ସମ୍ପୂର୍ଣ୍ଣ ଢାଙ୍କି ଦେବାରୁ ଆକାଶରେ ଦେଖାଦେଇଥିଲା ଅବିଶ୍ୱସନୀୟ ଦୃଶ୍ୟ। ଅନ୍ଧାରିଆ ଆକାଶ, ଚନ୍ଦ୍ରର କଳା ଛାୟା ଓ ସୂର୍ଯ୍ୟର ଉଜ୍ଜ୍ୱଳ କୋରୋନା ଏହି ଦୃଶ୍ୟକୁ ଆହୁରି ମନମୁଗ୍ଧକର କରିଥିଲା। ଯାହାର ଫଟୋ ଇଣ୍ଟରନେଟରେ ଛାଇଥିବା ବେଳେ ପ୍ରତିଟି ବ୍ୟକ୍ତିଙ୍କ ମନ ମୋହୁଛି ।

ଏହା ୨୦୨୬ର ଦ୍ୱିତୀୟ ସୂର୍ଯ୍ୟଗ୍ରହଣ ହୋଇଥିବାବେଳେ ବର୍ଷର ପ୍ରଥମ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଥିଲା। ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ରୁଷିଆ, ଆଟଲାଣ୍ଟିକ୍ ମହାସାଗର, ସ୍ପେନ୍ ଓ ପର୍ତ୍ତୁଗାଲର କିଛି ଅଞ୍ଚଳରୁ ଏହାର ପୂର୍ଣ୍ଣ ରୂପ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୟୁରୋପ, ଉତ୍ତର ଆମେରିକା ଓ ଉତ୍ତର-ପଶ୍ଚିମ ଆଫ୍ରିକାର ଅନେକ ଅଞ୍ଚଳରେ ଲୋକେ ଆଂଶିକ ସୂର୍ଯ୍ୟଗ୍ରହଣ ଦେଖିଥିଲେ।

ପୂର୍ଣ୍ଣତାର ସମୟରେ ଚନ୍ଦ୍ର ସୂର୍ଯ୍ୟର ଆଲୋକମୟ ପୃଷ୍ଠକୁ ସମ୍ପୂର୍ଣ୍ଣ ଢାଙ୍କି ଦେଇଥିଲା। ଆଉ ଦିନ ମଝିରେ ମଧ୍ୟ ଆକାଶ ହଠାତ୍ ସନ୍ଧ୍ୟା କିମ୍ବା ପାହାନ୍ତିଆ ସକାଳ ଭଳି ଅନ୍ଧାର ଦେଖାଯାଇଥିଲା। ସେହି ସମୟରେ ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳ କୋରୋନା ପୂରା ଚମକି ଉଠିଥିଲା।

ତେବେ ଭାରତୀୟ ଆକାଶପ୍ରେମୀଙ୍କ ପାଇଁ ଏହି ଦୃଶ୍ୟ ରହିଥିଲା ନିରାଶାଜନକ। ଅଗଷ୍ଟ ୧୨ର ଏହି ସୂର୍ଯ୍ୟଗ୍ରହଣ ଭାରତରୁ ଦେଖାଯାଇନଥିଲା, କାରଣ ଦେଶଟି ଗ୍ରହଣ ଦୃଶ୍ୟମାନ ଅଞ୍ଚଳ ବାହାରେ ଥିଲା।

ସୂର୍ଯ୍ୟଗ୍ରହଣ ପ୍ରତି ଅମାବାସ୍ୟାରେ ହୁଏ ନାହିଁ। ଚନ୍ଦ୍ରର କକ୍ଷପଥ ଟିକେ ଢଳିକି ଥିବାରୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଠିକ୍ ଭାବେ ଏକ ସରଳ ରେଖାରେ ଆସିଲେ ହିଁ ଏଭଳି ଘଟଣା ଘଟେ। ଚନ୍ଦ୍ରର ଛାୟା ପୃଥିବୀ ଉପରେ ଗତି କରିବା ସମୟରେ ଏକ ସଂକୀର୍ଣ୍ଣ ଅଞ୍ଚଳରେ ହିଁ ପୂର୍ଣ୍ଣ ଗ୍ରହଣ ଦେଖାଯାଏ। ଏହି ଗ୍ରହଣକୁ ନେଇ ଆଉ ଏକ ବିଶେଷ କଥା ହେଉଛି, ପୃଥିବୀରେ ୨୮ ମାସ ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିଥିଲା। ଯାହା ଥିଲା ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ । ୨୦୨୬ର ପ୍ରଥମ ସୂର୍ଯ୍ୟଗ୍ରହଣ ଫେବ୍ରୁଆରୀ ୧୭ରେ ହୋଇଥିବା ବେଳେ ଏହା ଏକ ବଳୟାକାର ସୂର୍ଯ୍ୟଗ୍ରହଣ ଥିଲା। ଏବେ ପରବର୍ତ୍ତୀ ସୂର୍ଯ୍ୟଗ୍ରହଣ ୨୦୨୭ ଫେବ୍ରୁଆରୀ ୬ରେ ହେବ।

ଆଉ ଏବେ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୨୦୨୭ ଅଗଷ୍ଟ ୨ ପର୍ଯ୍ୟନ୍ତ। ସେହି ଦିନର ଗ୍ରହଣ ଦକ୍ଷିଣ ୟୁରୋପ, ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟର କିଛି ଅଞ୍ଚଳ ଦେଇ ଗତି କରିବ ବୋଲି ଆଶା କରାଯାଉଛି। ସୂର୍ଯ୍ୟଗ୍ରହଣ ଦେଖିବା ସମୟରେ ସୁରକ୍ଷା ମଧ୍ୟ ଜରୁରୀ। ପୂର୍ଣ୍ଣତା ପୂର୍ବରୁ ଓ ପରେ ସୁରକ୍ଷିତ ସୋଲାର ଫିଲ୍ଟର ବିନା ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବା ଆଖି ପାଇଁ ଗୁରୁତର କ୍ଷତିକାରକ ହୋଇପାରେ।

Leave A Reply

Your email address will not be published.