ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବର୍ଷର ଶେଷ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ ସଂଘଟିତ ହେବ। ତେବେ ଭାରତୀୟମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ, ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଦେଶରେ ‘ସୂତକ କାଳ’ ଲାଗୁ ହେବ ନାହିଁ କିମ୍ବା ମନ୍ଦିରର ଦ୍ୱାର ବନ୍ଦ ରହିବ ନାହିଁ ।
ଭାରତୀୟ ସମୟ ଅନୁଯାୟୀ, ଅଗଷ୍ଟ ୧୨ ତାରିଖ ରାତି ପ୍ରାୟ ୯ଟା ୪ ମିନିଟରୁ ଏହି ସୂର୍ଯ୍ୟପରାଗ ଆରମ୍ଭ ହୋଇ ମଧ୍ୟରାତ୍ରି ୧ଟା ୨୭ ମିନିଟରେ ଶେଷ ହେବ। ପରାଗ ଲାଗିବା ସମୟରେ ଭାରତରେ ରାତି ହୋଇଥିବାରୁ ଏହା ଦେଶର କୌଣସି ସ୍ଥାନରେ ଦେଖାଯିବ ନାହିଁ । ହିନ୍ଦୁ ଶାସ୍ତ୍ର ଏବଂ ଜ୍ୟୋତିଷ ଗଣନା ଅନୁସାରେ, ଯେଉଁ ସ୍ଥାନରେ ପରାଗ ଖାଲି ଆଖିକୁ ଦୃଶ୍ୟମାନ ହୋଇଥାଏ, କେବଳ ସେଠାରେ ହିଁ ସୂତକ ନିୟମ ପାଳନ କରାଯାଏ। ଯେହେତୁ ଭାରତରେ ଏହା ଅଦୃଶ୍ୟ ରହିବ, ତେଣୁ ସୂତକ ନିୟମ ଏଠାରେ ପ୍ରଭାବଶାଳୀ ହେବ ନାହିଁ ।
ସୂତକ ଲାଗୁ ନହେବା କାରଣରୁ ଦେଶର ଛୋଟବଡ଼ ସମସ୍ତ ଦେବାଦେବୀ ମନ୍ଦିର ପ୍ରତିଦିନ ଭଳି ଖୋଲା ରହିବ। ଠାକୁରଙ୍କ ଦୈନନ୍ଦିନ ପୂଜାନୀତି, ଆରତୀ ଏବଂ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ । ଭକ୍ତମାନେ ନିର୍ଭୟରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିପାରିବେ ଏବଂ ନିଜର ଦୈନନ୍ଦିନ ଶୁଭକର୍ମ ମଧ୍ୟ ଜାରି ରଖିପାରିବେ। ଲୋକଙ୍କ ମନରେ ଥିବା ଆଶଙ୍କାକୁ ଦୂର କରି ଜ୍ୟୋତିଷବିତ୍ମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ଦିନ କୌଣସି ଧାର୍ମିକ କଟକଣା ବା ନିୟମ ପାଳନ କରିବାର ଆବଶ୍ୟକତା ନାହିଁ।
ସୂଚନାଯୋଗ୍ୟ ଯେ, ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ମୁଖ୍ୟତଃ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ, ରୁଷିଆ ଏବଂ ଆଟଲାଣ୍ଟିକ ମହାସାଗରର କିଛି ଅଞ୍ଚଳରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ଅନ୍ୟପକ୍ଷରେ ୟୁରୋପର ଅନେକ ଦେଶ, ଉତ୍ତର ଆମେରିକା ଏବଂ ଆଫ୍ରିକାର କିଛି ଅଂଶରେ ଏହା ଏକ ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ। ଭାରତୀୟ ପରମ୍ପରାରେ ଗ୍ରହଣକୁ ନେଇ ଅନେକ ବିଶ୍ୱାସ ରହିଥିଲେ ମଧ୍ୟ ଚଳିତ ଥର ଏହା ଭାରତୀୟଙ୍କ ଜନଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
