ଭୁବନେଶ୍ୱର: ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ), ଓଡ଼ିଶା ସରକାରଙ୍କ ଗ୍ରିଡକୋକୁ ୬୦୦ ମେଗାୱାଟ୍ ପବନ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବ । ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ୍ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି ।
ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ (ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ)ର ଭାଗ – XIII ଅଧୀନରେ 600 ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି କିଣିବ । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଆଇଏସଟିଏସ ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।
Solar Energy Corporation of India to supply 600 MW Wind Power to GRIDCO #Odisha under Power Sale Agreement
https://t.co/VDPNNh0oA2 pic.twitter.com/pS5wnxNBpk— PIB in Odisha (@PIBBhubaneswar) June 9, 2023
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଗ୍ରିଡକୋ ଦ୍ୱାରା ୬୦୦ ମେଗାୱାଡ୍ ପବନ ବିଦ୍ୟୁତ କ୍ରୟ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପୂର୍ବରୁ ନୀତିଗତ ମଞ୍ଜୁରି ଦେଇ ସାରିଛନ୍ତି । ବିଦ୍ୟୁତ ପ୍ରକଳ୍ପର ଉତ୍ପାଦନକାରୀଙ୍କ ସହିତ ବିଦ୍ୟୁତ କ୍ରୟ ରାଜିନାମା ସ୍ୱାକ୍ଷର ହେବା ତାରିଖ ଠାରୁ ୨୪ ମାସ ମଧ୍ୟରେ ବିଦ୍ୟୁତ ଯୋଗାଇ ଦିଆଯିବ । ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ ୬୦୦ ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ ।
ଏସଇସିଆଇ ହେଉଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଏକ ମିନିରତ୍ନ ପ୍ରଥମ ଶ୍ରେଣୀର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାହାକୁ ୨୦୧୧ରେ ଗଠନ କରାଯାଇଥିଲା । ଭାରତର ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଅକ୍ଷୟ ଶକ୍ତି ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏହା ମନ୍ତ୍ରଣାଳୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ ।
ବର୍ତ୍ତମାନ ସୁଦ୍ଧା ଏସଇସିଆଇ ୫୮ ଗିଗାୱାଟ୍ରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପର କ୍ଷମତା ପ୍ରସ୍ତୁତ କରିଛି । ଏସଇସିଆଇ ନିଜସ୍ୱ ନିବେଶ ସହିତ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (ପିଏମସି) ରୂପରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟ ସଂସ୍ଥାମାନଙ୍କ ଲାଗି ପ୍ରକଳ୍ପର ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ରହିଛି। ଏସଇସିଆଇକୁ ଆଇସିଆରଏର ଟ୍ରିପଲ୍ ଏ କ୍ରେଡିଟ୍ ରେଟିଂ ମିଳିଛି ।
ଗ୍ରିଡକୋ ବର୍ତ୍ତମାନ ଓଡ଼ିଶା ରାଜ୍ୟର ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ମୋଟ ଆକାରରେ ବିଦ୍ୟୁତ କିଣିବା ଓ ବିକ୍ରି କରିବା ଦାୟିତ୍ୱ ବହନ କରୁଛି । ପଡ଼ୋଶୀ ରାଜ୍ୟ ସହ ବିଦ୍ୟୁତ ବିନିମୟକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସାୟୀମାନଙ୍କ ମାଧ୍ୟମରେ ବଳକା ବିଦ୍ୟୁତ ବିକ୍ରି କରିବା କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରିଥାଏ ।
Comments are closed.