Latest Odisha News

BREAKING NEWS

କରୋନା ସହ ଲଢେ଼ଇ କରିବ ସୌରଶକ୍ତି ଚାଳିତ ସାନିଟାଇଜର ମେସିନ

ଯାଜପୁର: ମହାମାରୀ କରୋନା ସହ ଲଢେଇରେ ସହାୟତା କରିବ ସୌରଶକ୍ତି ଚାଳିତ ସନିଟାଇଜର ମେସିନ। ଏହାକୁ ବ୍ୟବହାର କରି ସମସ୍ତେ ସୁରକ୍ଷିତ ରହିବେ।

ସମଗ୍ର ରାଜ୍ୟରେ କରୋନା ଜନିତ ବିଭିନ୍ନ କଟକଣା ଜାରି ରହିଥିବା ବେଳେ ଯାଜପୁର ଅଂଚଳର ଜଣେ ୨୧ ବର୍ଷୀୟ ଯୁବ ଇଞ୍ଜିନିୟରିଂ ଛାତ୍ର ଏକ ସ୍ୱତନ୍ତ୍ର ସାନିଟାଇଜର ମେସିନ ଉଦ୍ଭାବନ କରିଛନ୍ତି । ଯାହା ସୌରଶକ୍ତି ଦ୍ୱାରା ଚାଲିପାରୁଛି । ଯାଜପୁର ଜିଲ୍ଲା କୋରାଇ ବ୍ଲକ ବଡବିରୁହାଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପ୍ରଶାନ୍ତ କୁମାର ମହାପାତ୍ର ଭବାନୀପାଟଣା ସରକାରୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ର । ପିଲାଟି ଦିନରୁ କିଛି ନୂଆ କରିବାର ଅଭିଳାସ ରଖିଥିଲେ ପ୍ରଶାନ୍ତ । କରୋନା ଯୋଗୁଁ କଲେଜ ବନ୍ଦ ରହିଥିବାରୁ ସେ ୪ ମାସ ହେଲା ଘରେ ରହୁଛନ୍ତି ।

ପ୍ରଶାନ୍ତ କିଛିଦିନ ତଳେ ବଜାରକୁ ପରିବା ଆଣିବାକୁ ଯାଇଥିବା ବେଳେ ଦୋକାନୀ ରଖିଥିବା ସାନିଟାଇଜର କୁ ସମସ୍ତ ଗ୍ରାହକ ଛୁଇଁ ବ୍ୟବହାର କରୁଥିବା ଦେଖିଥିଲେ । ଯାହା ତାଙ୍କୁୂ ବ୍ୟଥିତ କରିଥିଲା । ସେଠାକୁ ଆସିଥିବା ଗ୍ରାହକଙ୍କ ମଧ୍ୟରୁ ଜଣେ ଯଦି କରୋନା ଆକ୍ରାନ୍ତ ହୋଇଥାନ୍ତି, ତାହାଲେ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବାର ଭୟ ରହିଛି ।

ତେଣୁ ସେ ଚିନ୍ତା କରିଥିଲେ ଏଭଳି ଏକ ମେଶିନ୍ ନିର୍ମାଣ କରିବେ, ଯାହାଦ୍ୱାରା ସାନିଟାଇଜର କୁ ନ ଛୁଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ପରେ ବାପାଙ୍କ ଠାରୁ କିଛି ଟଙ୍କା ନେଇ ସରଂଜାମ କିଣି ନିର୍ମାଣ କରିଛନ୍ତି ଏହି ସୌରଶକ୍ତି ଚାଳିତ ସାନିଟାଇଜର ଡିସ୍ପେନସର । କେବଳ ସୌରଶକ୍ତି ନୁହେଁ ବିଦ୍ୟୁତ୍ ଓ ବ୍ୟାଟେରୀ ଦ୍ୱାରା ବି ଏହା ଚାଲିପାରୁଛି । ତାଙ୍କ ଦ୍ୱାରା ନିର୍ମିତ ଏହି ମେସିନ ଭ୍ରାମ୍ୟମାଣ ହୋଇଥିବା ବେଳେ ବ୍ୟାଟେରୀ ବ୍ୟାକପରେ ଏହା ୧୦ ରୁ ୧୨ ଘଂଟା ଚାଲିପାରିବ । କରୋନା ମୁକାବିଲା କ୍ଷେତ୍ରରେ ସାନିଟାଇଜର ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସୌରଶକ୍ତି ଚାଳିତ ଏହି ସାନିଟାଇଜର ମେଶିନ ସାଧାରଣ ଲୋକଙ୍କ ପାଇଁ ବେଶ ଉପକାରୀ ହୋଇପାରିବ ବୋଲି ପ୍ରଶାନ୍ତ କହିଛନ୍ତି ।

ଆଗକୁ ଟଙ୍କା ଓ ମୋବାଇଲ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିପରି ସାନିଟାଇଜ୍ କରାଯାଇପାରିବ, ସେ ନେଇ ଏକ ମେସିନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେପଟେ ପ୍ରଶାନ୍ତଙ୍କ ଏଭଳି ଉଦ୍ଭାବନକୁ ନେଇ ତାଙ୍କ ମା ଓ ପରିବାର ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଏହି ସାନିଟାଇଜର ମେସିନ ବିଶେଷ ସହାୟକ ହେବ । ଏହାକୁ ସମସ୍ତ କୋଭିଡ୍ ହସ୍ପିଟାଲ୍, ସରକାରୀ ବେସରକାରୀ ଅଫିସ, ବ୍ୟାଙ୍କ, ଏ.ଟି.ଏମ୍, ଦୋକାନ ଓ ଘରେ ବ୍ୟବହାର କରାଯାଇପାରିବ । ଜଣେ ଟେଲର ଦୋକାନୀଙ୍କ ପୁଅର ଏଭଳି ଉଦ୍ଭାବନକୁ ଦେଖିବାକୁ ଆଖପାଖ ଅଂଚଳର ଲୋକଙ୍କ ଭିଡ ଜମୁଛି ।

Leave A Reply

Your email address will not be published.