Latest Odisha News

ଅତ୍ୟଧିକ କେଶ ଝଡୁଛିକି? କରନ୍ତୁ ଏହି କାମ..

ଭୁବନେଶ୍ବର: ମଣିଷର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମୁଣ୍ଡର କେଶ । ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସମସ୍ତଙ୍କ ପାଇଁ କେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସମସ୍ତଙ୍କୁ ସୁନ୍ଦର ଏବଂ ଗହଳିଆ କେଶ ପସନ୍ଦ । ହେଲେ ବର୍ତ୍ତମାନ ସମୟରେ କେଶ ପାଚିବା ଓ ଝଡିବା ଏକ ପ୍ରମୁଖ ସମସ୍ୟା ପାଲଟିଛି । ହେଲେ ଶରୀରରେ ଭିଟାମିନ୍ ଅଭାବ, ବର୍ତ୍ତମାନର ପାଣିପାଗ, ପ୍ରଦୂଷଣ, ଆମର ପରିବର୍ତ୍ତିତ ଜୀବନଶୈଳୀ, ଓ ମାନସିକ ଚିନ୍ତା ଏହାର ପ୍ରମୁଖ କାରଣ ।

ଯେଉଁଥିପାଇଁ ଲୋକମାନଙ୍କ ବୟସ ହେବା ପୂର୍ବରୁ ମଧ୍ୟ ଶୀଘ୍ର କେଶ ପାଚିବା ସହ ଝଡ଼ିବା ଆରମ୍ଭ କରୁଛି । ଖାଲି ସେତିକି ନୁହଁ ଏହା ବଢିବା ମଧ୍ୟ ବନ୍ଦ ହୋଇଯାଉଛି । ମେଲେନିନ ଅଭାବରୁ କେଶ ପାଚିବା ସମସ୍ୟା ଦେଖାଯାଏ ଯେଉଁଥିପାଇଁ ବୟସ ପୂର୍ବରୁ କେଶ ପାଚିଯାଉଛି । ସେହିପରି ଶରୀରରେ ଭିଟାମିନ-ବି, ଆଇରନ ଓ ଜିଙ୍କଅଭାବ ହେଲେ ଶୀଘ୍ର ଚୁଟି ପାଚେ ।

ଏଭଳି ପରିସ୍ଥିତିରେ ନିଜ ଖାଦ୍ୟରେ ସବୁଜ ପନିପରିବା ସେବନ ସହ ସମୟ ସମୟରେ ନଡିଆ ତେଲ, ଅଁଳା ତେଲରେ ନିଜ କେଶର ମାଲିସ୍ କରନ୍ତୁ । ଏହା ସହ ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିପାରିବେ । ଏହା ମଧ୍ୟ ପ୍ରଭାବଶାଳୀ ହୋଇଥାଏ ।

କେଉଁ ସବୁ ଯୋଗାସନ କରିବେ?

ବଜ୍ରାସନ: ଯଦି ଆପଣ ଫାଷ୍ଟଫୁଡ୍‌ କିମ୍ବା ଜଙ୍କଫୁଡ୍‌ ଆଦି ଖାଦ୍ୟ ଖାଉଛନ୍ତି ତେବେ ଏହାଠାରୁ ଦୂରେଇ ରୁହନ୍ତୁ । କାରଣ ଏହି ଖାଦ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରିବାର ପ୍ରମୁଖ କାରଣ । ଏହା କେଶ ଝଡ଼ିବାର କାରଣ ସାଜୁଛି । ଏଭଳି ସମସ୍ୟା ଥିଲେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଖାଇ ସାରିବାର ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ବଜ୍ରାସନରେ ବସନ୍ତୁ । ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ ଏବଂ ଅନ୍ୟାନ୍ୟ ପେଟଜନିତ ସମସ୍ୟା ଦୂର ହେବ । ଯାହା ଫଳରେ କେଶ ଝଡ଼ିବା ସମସ୍ୟା ମଧ୍ୟ କମ୍‌ ହେବ ।

ମତ୍ସ୍ୟାସନ: ଲମ୍ବା, ମଜଭୁତ ଏବଂ ଘନ କଳା କେଶ ଯଦି ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଆସନ ଖୁବ୍‌ ଲାଭଦାୟକ ହୋଇପାରିବ । କେବଳ କେଶ ପାଇଁ ନୁହେଁ, ଏହା ଶରୀରରୁ ମେଦବହୁଳତା ଦୂର କରିବା ସହ ବିଷାକ୍ତ ଉପାଦାନ ନିର୍ଗତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଶୀର୍ଷାସନ: କେଶ ଝଡ଼ିବା ହ୍ରାସ ପାଇବା ସହ କେଶ ମଜଭୁତ ଏବଂ ଗହଳିଆ କରିବାରେ ଏହି ଆସନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଆସନ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ ।

ଭୁଜଙ୍ଗାସନ: ଯଦି କେଶ ଅତ୍ୟଧିକ ଝଡୁଥାଏ ଏବଂ ପାଚି ଯାଉଥାଏ, ତେବେ ଭୁଜଙ୍ଗାସନ ଅଭ୍ୟାସ ବହୁତ ଲାଭ ଦିଏ । ଏହା ଶରୀରରେ ସଠିକ୍‌ ଭାବେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ । ଫଳରେ କେଶ ମୂଳକୁ ରକ୍ତ ସହ ଅମ୍ଳଜାନ ପହଞ୍ଚିପାରେ ।

Leave A Reply

Your email address will not be published.