ସୋମବାରୀର ସ୍ୱପ୍ନ
ଭରତ ବେହେରା
ହୁଏତ ନିର୍ବାସିତ ଶ୍ରେଣୀ ଅର୍ଗଳିରୁ
ସୋମବାରୀ ଉଠି ଆସିଥିବ
ଜିଇବାର କଳା ହୋଇଥିବ
କ୍ଷେତ ଖଣି ଖାଦାନ ଖାଉନ୍ଦ
ସକାଳ ପାହିଲେ
ସତେଜ ଦେହକୁ ନେଇ
ଧାଇଁଥିବ ଅସମ୍ପୂର୍ଣ୍ଣ ଶ୍ରମ ବିପଣିକୁ
ମଳିନ ବିବର୍ଣ୍ଣ ହୋଇ ଲେଉଟି ଆସିବ
ପକ୍ଷୀମାନେ ଫେରିବା ପୂର୍ବରୁ
ଆପଣା ବସାକୁ ।
ତେଲ ଚିକିଟା ମଇଳା ଥଳିରେ
ସଂଭବତଃ କିଣି ଆଣିଥିବ
ଲୁଣ ତେଲ ଦୋକ୍ତା ଚାଉଳ
ଚୁନା ମାଛ ଶୁଖୁଆ କୁନ୍ଦୁଡ଼ି ।
ନିଶାର୍ଦ୍ଧରେ
ଚାଙ୍ଗୁ ମାଦଳ ଧୁମୁସା ଶବ୍ଦରେ
ଗୀତିମୟ ହେଉଥିବ ସାହି,
ହାଣ୍ଡିଆ ନିଶାରେ
ମାତାଲ୍ ହେଉଥିବ ରାତି
ଲୋଟି ଯାଇଥିବ ଅବଶ ଦେହ
ହାତବୁଣା ଖଜୁରି ପତ୍ରର
ମସିଣା ଉପରେ ।
ହୁଏତ କେବେ
ଚୁଆ ପାଣିରେ ମେଣ୍ଟିଥିବ ଶୋଷ
କାଇ ଅଣ୍ଡାରେ ପୂରିଥିବ
ଚଉଠେ ଭୋକ
କେତେ ଛୋଟ ସ୍ୱପ୍ନର ଉଆସ
କେତେ ଫାଙ୍କା
ସୋମବାରୀ ସଂକଳ୍ପ ଦିଗନ୍ତ ।
ଦିଗସବୁ ହୋଇପାରେ ନିବିଡ଼ ଅନ୍ଧାର
କାଲି ଆଜି ଲାଗିପାରେ
ସମାନ ସରଳ
କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତ
କାବାର ହୋଇଥିବ
ସାଦାସିଧା ଗନ୍ତବ୍ୟ ରାସ୍ତାରେ ।
କାହାର ପ୍ରତିଭୂ
ସୋମବାରୀ ହେଉ କି ନ ହେଉ
ସେ କିନ୍ତୁ ହୋଇଥିବ
ନିଜ ମର୍ଜିରେ ଉତ୍ସ ଖୋଜୁଥିବା
ବେଗମତୀ ପାହାଡ଼ୀ ଝରଣା
ପଲାରେ ରହୁ କି ପଲ୍ଲୀରେ
ରୁଚିରେ ବାଛୁ କି ରୁନ୍ଧିହୋଇ
ସଂସାରକୁ ଗଢ଼ିବାର
ଅନ୍ୟତମ ପ୍ରିୟନାମ
ସୋମବାରୀମାନଙ୍କର
ନିଷ୍ଠାପର ଅହେତୁକ ପ୍ରେମ ।
Comments are closed.