Latest Odisha News

BREAKING NEWS

ଜାଣନ୍ତୁ, ଗାନ୍ଧିଜୀଙ୍କୁ ନେଇ ନିର୍ମିତ ହୋଇଥିବା କିଛି ଫିଲ୍ମ ସମ୍ପର୍କରେ…

ଭୁବନେଶ୍ୱର : ୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ ଦିନ ଆତତାୟୀଙ୍କ ଗୁଳିରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କ ଦେହାନ୍ତ ଘଟିଥିଲା । ଆଜିର ଦିବସକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଇଥାଏ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି ।

ଗାନ୍ଧୀଜିଙ୍କ ଉପରେ ନିର୍ମିତ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା କାହିଁକି, ଏସବୁ ଚଳଚ୍ଚିତ୍ରକିନ୍ତୁ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଜାଣନ୍ତୁ ସେହି ସବୁ ଫିଲ୍ମ ସମ୍ପର୍କରେ…

ମହାତ୍ମା: ଲାଇଫ ଅଫ ଗାନ୍ଧୀ ‘୧୮୬୯-୧୯୪୮’- ଏହା ଗାନ୍ଧୀଜିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଥିଲା । ବିଠଲ ଭାଇ ଜାଭେରୀ ଏହାର ନିର୍ଦ୍ଦେଶନା ଦେଇଥିଲା ବେଳେ ଆନିମେସନ, ଲାଇଭ ଫଟୋଗ୍ରାଫି ଓ କିଛି ପୁରୁଣା ଫଟୋଗ୍ରାଫ ସହାୟତାରେ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ର ଟି ।

ମେନେ ଗାନ୍ଧିକୋ ନେହିଁ ମାରା- ୨୦୦୫ ମସିହାରେ ଜହୁନ ବରୁଆ ଏହି ଫିଲ୍ମର ନିର୍ମାଣ କରିଥିଲେ । ଏହି ଫିଲ୍ମର କାହାଣୀ ଅନୁଯାୟୀ ଜଣେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଯିଏକି ନିଜର ପିଲାଦିନର ଏକ ଘଟଣାକୁ ନେଇ ବିଶ୍ୱାସ କରୁଥିଲେ ଯେ ସେ ହିଁ ଗାନ୍ଧୀଜିଙ୍କୁ ହତ୍ୟା କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅବସରପ୍ରାପ୍ତ ପ୍ରଫେସର ଭୂମିକାରେ ଅନୁପମ ଖେର ଅଭିନୟ କରିଥିବାବେଳେ ତାଙ୍କ ଝିଅ ଚରିତ୍ରରେ ଉର୍ମିଳା ମାତୋଣ୍ଡକର ଦେଖିବାକୁ ମିଳିଥିଲେ ।

‘ଗାନ୍ଧୀ ଟୁ ହିଟଲର’- ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ନଥିଲେ ମଧ୍ୟ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ, ସଂଗ୍ରାମରେ ବଳିଦାନ ଦେଇଥିବା ଅନ୍ୟାନ୍ୟ ଦେଶପ୍ରେମୀଙ୍କ ଜୀବନ କାହାଣୀକୁ ଆଧାର କରି ଯେତେବେଳେ ବି ଫିଲ୍ମ ନିର୍ମାଣ ହୋଇଛି, ସେତେବେଳ ଗାନ୍ଧୀ ଚରିତ୍ରକୁ ସଂଯୋଜିତ କରିଛନ୍ତି ନିର୍ମାତା ନିର୍ଦ୍ଦେଶକ ।

‘ଗାନ୍ଧୀ’- ପ୍ରଥମକରି ରିଚାର୍ଡ ଏଟନବରୋ ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଗାନ୍ଧୀ’ ର ନିର୍ମାଣ କରିଥିଲେ । ପାଖାପାଖି ୧୯୮୨ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ଏଥିରେ ହଲିଉଡ କଳାକାର ବେନ କିନସ୍ଲେ ଗାନ୍ଧୀଜିଙ୍କ ଭୂମିକା ନିଭାଇଥିଲେ । ରାଚାର୍ଡଙ୍କ ଏହି ଚଳଚ୍ଚିତ୍ରକୁ ପରବର୍ତ୍ତି ସମୟରେ ଓସ୍କାର ଆୱାର୍ଡ ମିଳିପାରିଥିଲା ।

‘ଦ ମେକିଙ୍ଗ ଅଫ୍ ଗାନ୍ଧୀ’- ପ୍ରସିଦ୍ଧ ଫିଲ୍ମ ନିର୍ମାତା ଶ୍ୟାମ ବେନେଗାଲ ବାପୁଜୀଙ୍କ ଜୀବନୀକୁ ନେଇ ‘ଦ ମେକିଙ୍ଗ ଅଫ୍ ଗାନ୍ଧୀ’ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ ।

ଏଥିରେ ବାପୁଜୀଙ୍କ ଭୂମିକାରେ ରଜତ କପୁର ଅଭିନୟ କରିଥିଲେ । ୧୯୯୬ ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମୋହନ ଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ବନିବା ଯାଏଁ ପ୍ରତିଟି କ୍ଷଣକୁ ଖୁବ୍ ସୁନ୍ଦରତାର ସହ ଦର୍ଶାଯାଇଛି ।

‘ହେ ରାମ’- ୨୦୦୦ ମସିହାରେ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ କମଲ ହାସନ ‘ହେ ରାମ’ ଫିଲ୍ମର ନିର୍ମାଣ କରିଥିଲେ । ଏହା ଗାନ୍ଧୀଜିଙ୍କ ହତ୍ୟାର ପୃଷ୍ଠଭୂମି ଉପରେ ଆଧାରିତ ଥିଲା । ‘ହେ ରାମ’ ଚଳଚ୍ଚିତ୍ରରେ ନାସିରୁଦିନ ଶାହା ମହାତ୍ମା ଗାନ୍ଧୀଙ୍କ ଭୂମିକା ତୁଲାଇଥିଲେ ।

 

‘ଲଗେ ରହୋ ମୁନ୍ନା ଭାଇ’- ୨୦୦୬ ମସିହାରେ ସୁପରହିଟ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ରେ ଗାନ୍ଧୀଜିଙ୍କ ଭୂମିକାକୁ ଦର୍ଶାଯାଇଥିଲା । କାହାଣୀ ଅନୁଯାୟୀ କେବଳ ମୁନ୍ନାଭାଇ (ସଞ୍ଜୟ ଦତ୍ତ)ଙ୍କୁ ହିଁ ଗାନ୍ଧୀଜି ଦୃଶ୍ୟମାନ ହୁଅନ୍ତି ଏବଂ ତାଙ୍କୁ ମାର୍ଗଦର୍ଶନ କରାଇବା ସହ ଆବଶ୍ୟକ ବେଳେ ଠିକ୍ ଭୁଲର ସୁବିଚାର ମଧ୍ୟ ଦେଇଥାନ୍ତି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦିଲ୍ଲୀପ ପ୍ରଭାକର ଗାନ୍ଧୀ ଭୂମିକାରେ ଅଭିନୟ କରିଥିଲେ ।

କହିବା ବାହୁଲ୍ୟ ଯେ ଗାନ୍ଧୀଜି ଅହିଂସା ଓ ଅସହଯୋଗକୁ ଅସ୍ତ୍ର କରି ସେ ବ୍ରିଟିଶ ରାଜର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢିଥିଲେ । ଗାନ୍ଧୀଜିଙ୍କର ଏହି ଅଭିନବ କୌଶଳ ସାରା ବିଶ୍ୱର ଜନ ମାନସକୁ ଛୁଇଁଥିବାବେଳେ ସେ ଜାତିର ପିତା ତଥା ମହାତ୍ମା ଗାନ୍ଧୀ ନାମରେ ବିଶ୍ୱ ସମୁଦାୟର ଆଦର୍ଶ ଭାବେ ଜଣାଶୁଣା ।

Leave A Reply

Your email address will not be published.