Latest Odisha News

BREAKING NEWS

୨୦୨୦, ଭାରତୀୟ ଓ ଓଡିଆ ସିନେମା ପାଇଁ ଏକ ଭୟଙ୍କର ଶୂନ୍ୟତାର ବର୍ଷ

ଭାରତୀୟ ସିନେମା ଲାଗି ୨୦୨୦ ଗଭୀର ଶୂନ୍ୟତା ଓ ହାହାକାରର ବର୍ଷ। ବୋଧହୁଏ ସିନେମା ନିର୍ମାଣ ଓ ପ୍ରଦର୍ଶନର ଇତିହାସରେ ଏମିତି କେବେ ବି ହୋଇନଥିଲା। ଗତ ୯ ମାସ ଧରି ଦେଶର ପ୍ରାୟ ସବୁ ସିନେମା ହଲ ବନ୍ଦ ରହିଛି। ଆଜି ମଧ୍ୟ ଦେଶର ଅଧାରୁ ଅଧିକ ସିନେମା ହଲ ଖୋଲିନାହିଁ। ୨୦୧୯ରେ କେବଳ ମୁମ୍ବାଇ ସିନେମା ଜଗତରେ ମାସକୁ ହାରାହାରି ୩୦ଟି ସିନେମା ମୁକ୍ତିଲାଭ କରୁଥିଲା।

ଗତ ବର୍ଷ କେବଳ ସିନେମା ହଲ ଗୁଡିକରେ ୩୫୦ ରୁ ଅଧିକ ସିନେମା ମୁକ୍ତିଲାଭ କରିଥିବା ବେଳେ ଏ ବର୍ଷ ସେ ସଂଖ୍ୟା ମାତ୍ର ୮୦। ଗତ ବର୍ଷ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ସିନେମା ସଂଖ୍ୟା ୧୦ ରୁ ଅଧିକ ଥିବା ବେଳେ ଏବର୍ଷ ଜାନୁଆରୀ ମାସରେ ଅଜୟ ଦେବଗନଙ୍କ “ତନ୍ନାଜୀ” କେବଳ ୩୬୭ କୋଟି ଟଙ୍କାର ବ୍ୟବସାୟ କରିଛି। ତାପରେ ସିନେମା ହଲ ଗୁଡିକରେ କୌଣସି ସିନେମାର ବ୍ୟବସାୟ ଉତ୍ସାହଜନକ ନଥିଲା।

ଓଟିଟି, ସିନେମାର ନୂଆ ଠିକଣା 

ମାର୍ଚ୍ଚ ୨୪ର ଜାତୀୟ ଲକ ଡାଉନ ପରେ ଦେଶରେ ସିନେମା ଶିଳ୍ପ ଏକପ୍ରକାର ବନ୍ଦ ହୋଇ ଯାଇଥିଲା। ଶୁଟିଙ୍ଗ ବନ୍ଦ ରହିଲା, ସିନେମା ହଲ ଏବେ ବି ବନ୍ଦ ପଡିଛି ଓ ସିନେମା ନିର୍ମାଣ ପ୍ରକ୍ରିୟା ଆଜି ମଧ୍ୟ ସ୍ଵାଭାବିକ ହୋଇନାହିଁ। ତାରି ଭିତରେ ବଲିଉଡ ସିନେମା ନିଜ ପାଇଁ ଏକ ନୂଆ ମାଧ୍ୟମର ଆବିଷ୍କାର କରିଛି। ଓଭର ଦ ଟପ ବା ଓଟିଟି ମାଧ୍ୟମରେ ଗତ ବର୍ଷ ଅନେକ ନୂଆ ସିନେମା ମୁକ୍ତିଲାଭ କରିଛି ଓ ସଫଳ ମଧ୍ୟ ହୋଇଛି। ଇର୍ଫାନ ଖାଁ ଅଭିନୀତ “ଇଂରାଜୀ ମିଡିୟମ” ପରେ ସିନେମା ହଲ ଗୁଡିକରେ ତାଲା ପଡିଗଲା। ତା ପରଠୁ ଓଟିଟି ମାଧ୍ୟମରେ ନୂଆ ସିନେମା ସବୁ ଲୋକଙ୍କ ପାଖରେ ପହଞ୍ଚିଛି। ଅନୁରାଗ କାଶ୍ୟପଙ୍କର “ଚୋକଡ”, ମୁକେଶ ଛାବ୍ରାଙ୍କର “ଦିଲ ବେଚାରା” ସୂଚିତ ସରକାରଙ୍କ “ଗୁଲାବୋ ସିତାବୋ”, ଅନୁ ମେନନଙ୍କର “ଶକୁନ୍ତଲା ଦେବୀ”, ହନି ତ୍ରେହାନଙ୍କର “ରାତ ଅକେଲି ହୈ”, ଶରନ ଶର୍ମାଙ୍କର “ଗୁଞ୍ଜନ ସକ୍ସେନା, ଦ କାର୍ଗିଲ ଗାର୍ଲ”, ଫାରୁକ କବୀରଙ୍କର “ଖୁଦା ହାଫିଜ”, ମହେଶ ଭଟ୍ଟଙ୍କ “ସଡକ-୨” ଅନୁରାଗ ବସୁଙ୍କର “ଲୁଡୋ” ଭଳି ସିନେମା ବ୍ୟାବସାୟିକ ଭାବରେ ଓ କଳାତ୍ମକ ଭାବେ ବେଶ ଆଦୃତି ପାଇଛି। ଏହି ସମୟରେ ଓଡିଆ ସିନେମା ମଧ୍ୟ ଓଟିଟିକୁ ନିଜର ନୂଆ ଠିକଣା ଭାବେ ଆପଣାର କରିବା ଆରମ୍ଭ କରିଛି।

ମୃତ୍ୟୁ ଓ ଶୂନ୍ୟସ୍ଥାନର ବର୍ଷ 

କରୋନା ସଙ୍କଟ ଓ ଲକ ଡାଉନର ହତାଶା ଭିତରେ ବଲିଉଡ ସିନେମାର ବହୁ ପ୍ରଭାବଶାଳୀ କଳାକାର ମୃତ୍ୟୁବରଣ କରିଛନ୍ତି। ଉଦୀୟମାନ ଚିତ୍ରତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏହି ବର୍ଷ ବଲିଉଡ ସିନେମାକୁ ଦୋହଲାଇ ଦେଇଥିଲା। ଏହି ଆତ୍ମହତ୍ୟାକୁ ନେଇ ରାଜନୀତି ଓ ବିବାଦ, ପୂରା ବଲିଉଡ ଉପରେ ଏକ ବଡ ବିପଦ ସୃଷ୍ଟି କରିଥିଲା। ପ୍ରଖ୍ୟାତ ଚିତ୍ରତାରକା ଇର୍ଫାନ, ରିଷି କପୁର, ପ୍ରସିଦ୍ଧ ଗାୟକ ଏସ.ପି.ବାଲସୁବ୍ରମନ୍ୟମ, ସଂଗୀତକାର ୱାଜିଦ ଖାଁ, ପୁରୁଣା ଦିନର ହାସ୍ୟ କଳାକାର ଜଗଦୀପ, ପ୍ରସିଦ୍ଧ ନାୟିକା ନିମ୍ମି, ନିର୍ଦ୍ଦେଶକ ବାସୁ ଚାଟାର୍ଜି, ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ ପ୍ରମୁଖ ଏ ବର୍ଷ ସବୁଦିନ ପାଇଁ ବିଦାୟ ନେଇଥିଲେ। ବଙ୍ଗଳା ସିନେମାର କିମ୍ବଦନ୍ତୀ ପୁରୁଷ ସୌମିତ୍ର ଚାଟାର୍ଜୀଙ୍କ ମୃତ୍ୟୁ ଭାରତୀୟ ସିନେମା ଲାଗି ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ଓଡିଆ ସିନେମା ଲାଗି ଏବର୍ଷ ଭୟଙ୍କର ଧକ୍କା ଦେଇଛି। ଓଡିଆ ସିନେମାର ଚର୍ଚ୍ଚିତ ଲେଖକ, ସଂଳାପକାର ଓ ନାଟ୍ୟକାର ବିଜୟ ମିଶ୍ର, ମହାନାୟକ ବିଜୟ ମହାନ୍ତି ଓ ଅଜିତ ଦାସ, ଗୀତିକାର ଓ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ ପ୍ରମୁଖ ଓଡିଆ ସିନେମାରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି।

ସବୁ ହତାଶା ଓ ବିଫଳତା ଭିତରେ ୨୦୨୦ଆମ ସିନେମା ରୁ ବିଦାୟ ନେଉଛି। ଆଶା, ୨୦୨୧ ଭାରତୀୟ ସିନେମା ଲାଗି ନୂଆ ସମ୍ଭାବନାର ବର୍ଷ ହେବ।

Leave A Reply

Your email address will not be published.