Latest Odisha News

ବବିଙ୍କୁ ନେଇ ବଢିଲା ଚର୍ଚ୍ଚା, ସରକାରୀ ବାସଭବନରେ ଚାଲିଛି ଭଙ୍ଗାରୁଜା

ଭୁବନେଶ୍ବର; ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଘରେ ଚାଲିଛି ଭଙ୍ଗାରୁଜା । ବବି ରହୁଥିବା ସରକାରୀ ବାସଭବନରେ ଭଙ୍ଗା ରୁଜା ଚାଲିଛି ବୋଲି ଖବର ମିଳିଛି । ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ବାହାରେ ଗେଟ୍ ତାଲା ପଡି ଭିତରେ ଚାଲିଛି ଭଙ୍ଗା କାର୍ଯ୍ୟ । ତେବେ ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇ ଏଭଳି କିଛି ନୂଆ ନିର୍ମାଣ କାର୍ଯ୍ୟ ହେଉଥିଲା ବୋଲି ସୁଚନା ମିଳୁଛି । ଏବେ ତାହା ଭଙ୍ଗା ଚାଲିଛି । ପାଖାପାଖି ୧୦ ରୁ ଅଧିକ ଶ୍ରମିକ  ଘର ଭାଙ୍ଗୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ କାହିଁକି ଭଙ୍ଗାରୁଜା ଚାଲିଛି  ? ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା? ସରକାରୀ ବାସଭବନରେ କାହିଁକି ଏତେ ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଥିଲା ? ଏଥିପାଇଁ କିଏ ଦେଇଥିଲା ଅନୁମତି? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବା ବେଳେ ଏନେଇ ଆରମ୍ଭ ହୋଇଛି ଖୋଳତାଳ ।

ତେବେ ଚଳିତ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ଏହା ସହିତ ଅତି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି ବିଜେଡିର ନମ୍ବର ୨ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ । ନିଜର ଭିଟାମାଟି ଯାଜପୁର ଛାଡି ଏଥର ପରୀକ୍ଷାମୂଳକ ଶୈଳୀରେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ବବି । କିନ୍ତୁ ପରୀକ୍ଷା ଫେଲ୍ ମାରିଲା । ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଛନ୍ତି ।

ଏଥର ହାରିଥିବାରୁ ସରକାରୀ ବାସଭବନ ବବିଙ୍କୁ ଛାଡିବାକୁ ପଡିପାରେ । ଯାହାକୁ ନେଇ ବବି ବାସ ଭବନ ଭାଙ୍ଗିଥିବା ଅନୁମାନ କରାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ ।

Leave A Reply

Your email address will not be published.