Latest Odisha News

BREAKING NEWS

‘ବାପା, ମା’ ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା ଦାବି କରିପାରିବନି’

ମୁମ୍ବାଇ:  ବାପା-ମା’ ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା କିମ୍ବା ଭାଗ ଦାବି କରିପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି। ବାପାଙ୍କୁ ବିଧି ସଂରକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ହୋଇଥିବା ପୁଅର ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ଖାରଜ କରିଦେଇଛନ୍ତି।

ଦୁଇ ବିବାହିତା ଝିଅଙ୍କ ସହ ମା’ କୋର୍ଟରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ଆବେଦନ କରିଥିଲେ। ତାଙ୍କ ସ୍ୱାମୀ ଡିମେନସିଆ ରୋଗରେ ପୀଡ଼ିତ। ସେ ପଢ଼ିପାରିବେ ନାହିଁ କି ଲେଖିପାରିବେ ନାହିଁ। ଫଳରେ ସେମାନେ ଦସ୍ତଖତ କରିପାରୁନାହାନ୍ତି। ଚାଲି ପାରୁନାହାନ୍ତି।ଏଭଳି ସ୍ଥିତିରେ ସ୍ୱାମୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ତାଙ୍କୁ ବିଧି ସଂରକ୍ଷକ ବା ଆଇନଗତ ଅଭିଭାବକ ଭାବେ ନିଯୁକ୍ତ କରାଯାଉ। ଏହାଫଳରେ ସେ ତାଙ୍କ ଦୁଇଟି ଫ୍ଲାଟକୁ ସମ୍ଭାଳିପାରିବେ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିପାରିବେ ବେଲି ମହିଳା ଜଣଙ୍କ ଆବେଦନରେ ଦର୍ଶାଇଥିଲେ।

ଆଉ ଏହାକୁ ଚ୍ୟାଲେଞ୍ଜ କରି କୋର୍ଟରେ କାଉଣ୍ଟର ଆବେଦନ କରିଥିଲେ ବାପା, ମାଙ୍କଠୁ ଦୂରରେ ରହୁଥିବା ପୁଅ । ଆବେଦନ ପତ୍ରରେ ପୁଅ ଦାବି କରିଥିଲେ ଯେ ମୁମ୍ବାଇର ମାରୋଲ ଅଞ୍ଚଳରେ ତାଙ୍କର ମଧ୍ୟ ଦୁଇଟି ଫ୍ଲାଟ୍ ଅଛି। ହେଲେ ଏହାର ମାଲିକ ହେଉଛନ୍ତି ତାଙ୍କ ବାପା ଓ ମା । ଗୋଟିଏ ଫ୍ଲାଟ ବାପାଙ୍କ ନାମରେ ଆଉ ଗୋଟିଏ ମାଙ୍କ ନାମରେ ରହିଛି । ସେ ପୁଅ ହୋଇଥିବାରୁ ତାଙ୍କୁ ସେହି ଫ୍ଲାଟର ମାଲିକାନା ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଥିଲେ ।

ବମ୍ବେ ହାଇକୋର୍ଟର ଜଷ୍ଟିସ ଗୌତମ ପଟେଲ ଓ ଜଷ୍ଟିସ ମାଧବ ଜାମଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି କହିଛନ୍ତି, ପୁଅର ବାପାମା ଜୀବିତ ଅଛନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କ ବାପାଙ୍କ ସମ୍ପତ୍ତି ଉପରେ ବର୍ତ୍ତମାନ ପାଇଁ ଆପଣଙ୍କର କୌଣସି ଅଧିକାର ନାହିଁ। ଆପଣଙ୍କ ବାପା ଚାହିଁଲେ ବିକି ପାରିବେ। ଏଥିପାଇଁ ଆପଣଙ୍କ ଅନୁମତିର ଆବଶ୍ୟକତା ନାହିଁ।

ଶୁଣାଣି ସମୟରେ ଖଣ୍ଡପୀଠ ତାଙ୍କ ପୁଅକୁ ପଚାରିଥିଲେ ଯେ, ସେ କେବେ ତାଙ୍କ ବାପାଙ୍କୁ ହସ୍ପିଟାଲ ନେଇ ଯାଇଛନ୍ତି କି? ବାପାଙ୍କ ଚିକିତ୍ସା ଖର୍ଚ୍ଚ ଭରଣା କରିଛନ୍ତି କି? ଯେତେବେଳେ କି ଆପଣଙ୍କ ମା’ ଚିକିତ୍ସା ପାଇଁ ଅନେକ ବିଲ୍ ପୈଠ କରିଛନ୍ତି। ଯାହାକୁ ପିଟିସନ ସହ ଯୋଡା ଯାଇଛି। ସେପଟେ ପୁଅର ଓକିଲ କହିଛନ୍ତି, ତାଙ୍କ ମହକିଲଙ୍କ ପାଖରେ ବାପାଙ୍କ ସମ୍ପତ୍ତିର ଆଇନଗତ ଅଧିକାର ପାଇବାର ଅଧିକାର ରହିଛି। ତେବେ ଖଣ୍ଡପୀଠ ଏହାକୁ ଅଯୁକ୍ତିକର ଦର୍ଶାଇ କହିଛନ୍ତି ଯେ ଉତ୍ତରାଧିକାରୀ ଆଇନରେ କୌଣସି ପୁଅ ଜୀବିତ ଥିବା ବେଳେ ବାପାମାଆ କିଣିଥିବା ଘରେ ରହିବାର ଅଧିକାର ଦିଆଯାଇନାହିଁ।

ଖଣ୍ଡପୀଠ କହିଛନ୍ତି, ଏ ମାମଲାରେ ପୁଅ ସେପରି କିଛି ପ୍ରମାଣ ଉପସ୍ଥାପନ କରିନାହାନ୍ତି, ଯାହା ଦର୍ଶାଉଛି ଯେ ସେ ନିଜ ବାପାଙ୍କ ଯତ୍ନ ପାଇଁ ଚିନ୍ତିତ ନୁହେଁ। ତେଣୁ ପୁଅର ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଏହି ମାମଲାରେ ପୁଅ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ତାଙ୍କ ପ୍ରକୃତ ସ୍ୱଭାବ ଓ ହୃଦୟହୀନ ସ୍ୱଭାବକୁ ପ୍ରତିଫଳିତ କରୁଛି। ପିଟିସନ ବିଚାରାଧୀନ ଥିବାରୁ ମା’ଙ୍କୁ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ବ୍ୟାଙ୍କ ଆକାଉଣ୍ଟ ଚଳାଇବା ଏବଂ ଫ୍ଲାଟ୍ ବିକ୍ରି ପାଇଁ ଆଲୋଚନା କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.