Latest Odisha News

BREAKING NEWS

ଯାଜପୁରରୁ ଯୁକ୍ତରାଷ୍ଟ୍ର ଆମେରିକା, ଦିନ ମଜୁରିଆଙ୍କ ପୁଅ ହେଲେ ନାସା ବୈଜ୍ଞାନିକ

ଯାଜପୁର : ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଯାଜପୁର ଜିଲ୍ଲା ଧର୍ମଶାଳାର ରାଇଛନ୍ଦା ଗ୍ରାମର ହେମନ୍ତ କୁମାର ଓଝା ପ୍ରମାଣିତ କରିଛନ୍ତି ।

ମାତ୍ର ୨୫ ବର୍ଷ ବୟସରେ ସେ ନାସାର ବୈଜ୍ଞାନିକ ଭାବେ ଯୋଗ୍ୟତା ଅର୍ଜନ କରି ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।

ହେମନ୍ତ ହେଉଛନ୍ତି ଧର୍ମଶାଳା ବ୍ଲକର ରାଇଛନ୍ଦା ଗ୍ରାମର ଜଣେ ଦିନ ମଜୁରି ଲାଗି ପଥର କାଟୁଥିବା ଅର୍ଜୁନ ଓଝା ଓ ସାବିତ୍ରୀ ଓଝାଙ୍କ ସାନ ପୁଅ ।

ପରିବାରର ଆର୍ଥିକ ଅନାଟନ ମଧ୍ୟରେ ହେମନ୍ତ ୨୦୦୯ ମସିହାରେ ମାଟ୍ରିକ ପାସ କରିଥିଲେ । ସେହି ବର୍ଷ ଅର୍ଥାଭାବରୁ କଲେଜରେ ନାମ ଲେଖାଇ ପାରିନଥିଲେ । ପ୍ରତିଭାଶାଳୀ ହେମନ୍ତ କିନ୍ତୁ ଏତିକିରେ ହାର ମାନିନଥିଲେ । ସେଥିପାଇଁ ପରିବାରର ଅଭାବ ଅନଟନକୁ ଦେଖି ସେ ଟିଉସନ କରି ଅର୍ଜିତ ଟଙ୍କାରେ ରେଭନ୍ସାରେ ଯୁକ୍ତ ତିନି ପରେ ମାଡ୍ରାସ୍ ଆଇଆଇଟିରେ ଇଣ୍ଟିଗ୍ରେଟେଡ଼୍ ପିଏଚଡି କରିଥିଲେ ।

ପରବର୍ତ୍ତୀ ସମୟରେ ଜଳବାୟୁ ପରିବର୍ତ୍ତନ ଓ ସେଟେଲାଇଟ୍ ମେସେଜ୍ ଉପରେ ହେମନ୍ତ କରିଥିବା ଏକ ପ୍ରୋଜେକ୍ଟ ନାସାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହା ପରେ ତାଙ୍କ ନିକଟକୁ ଆମେରିକାର ନାସାରୁ କନିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରିବା ପାଇଁ ଚିଠି ଆସିଛି । ଆସନ୍ତା ମାର୍ଚ୍ଚ ୧୩ରେ ନାସାରେ ଯୋଗ ଦେବାକୁ ତାଙ୍କୁ କୁହାଯାଇଛି ।

“ଆମେ ଭଗବାନଙ୍କ ନିକଟରେ ଖୁବ୍ କୃତଜ୍ଞ ଅଟୁ, ଯାହା ଫଳରେ ତାଙ୍କ କୃପାରୁ ଆମ ପୁଅ ଆଜି ଏଭଳି ଏକ ସଫଳତା ହାସଲ କରିପାରିଛି । ଗାଁ ତଥା ରାଜ୍ୟ ପାଇଁ ସେ ଆହୁରି ଗୌରବ ଅର୍ଜନ କରୁ” ବୋଲି ତାଙ୍କ ବାପା ଅର୍ଜୁନ ଓଝା ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଛନ୍ତି ।

Leave A Reply

Your email address will not be published.