ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ନିର୍ବାଚନ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଏଥିଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ଆମ୍ ଆଦମୀ ପାର୍ଟି ପୁରୋହିତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ଦିର ଏବଂ ଗୁରୁଦ୍ୱାରରେ ପୂଜା କରୁଥିବା ପୁଜାରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପୁରୋହିତମାନଙ୍କ ପାଇଁ ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି। ପୂଜାରୀ ଗ୍ରନ୍ଥୀ ସାମନ୍ ଯୋଜନା ( PUJARI Granthi Samman Yojna )ଅଧୀନରେ ମନ୍ଦିରରେ ପୂଜା କରୁଥିବା ପୁରୋହିତ ଏବଂ ଗୁରୁଦ୍ୱାରରେ ପୂଜା କରୁଥିବା ଗ୍ରନ୍ଥୀଙ୍କୁ ପ୍ରତି ମାସରେ ଅନୁଦାନ ଅର୍ଥ ପ୍ରଦାନ କରାଯିବ।
ଏହି ଯୋଜନା ଅଧୀନରେ ମନ୍ଦିରରେ ପୂଜା କରୁଥିବା ପୁରୋହିତ ଏବଂ ଗୁରୁଦ୍ୱାରରେ ପୂଜା କରୁଥିବା ଗ୍ରନ୍ଥୀମାନଙ୍କୁ ପ୍ରତି ମାସରେ ସମ୍ମାନ ପ୍ରଦାନ କରାଯିବ। ଏହି ଯୋଜନା ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘ପୁରୋହିତ ଈଶ୍ବରଙ୍କ ଉପାସନା କରନ୍ତି, ଯିଏ ଶତାବ୍ଦୀ ଧରି ଆମର ପରମ୍ପରା ଓ ରୀତିନୀତିକୁ ପିଢ଼ି ପରେ ପିଢ଼ି ଧରି ରଖିଛନ୍ତି। ଆମେ ପୁରୋହିତଙ୍କ ପ୍ରତି କୌଣସି ଧ୍ୟାନ ଦେଇନାହୁଁ। ଆଜି ଏହି ଯୋଜନା ମାଧ୍ୟମରେ ମୁଁ ଏହାକୁ ବେତନ କିମ୍ବା ଅନୁଗ୍ରହ ବୋଲି କହିବି ନାହିଁ, କିନ୍ତୁ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଁ ଘୋଷଣା କରୁଛି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନ ପରେ ମାସିକ ପ୍ରାୟ ୧୮,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ।’
ଦେଶରେ ଏହା ପ୍ରଥମ ଥର ପାଇଁ ଘଟୁଛି। ଏହା ପୂର୍ବରୁ କୌଣସି ରାଜ୍ୟରେ ଏପରି ଘୋଷଣା ହୋଇ ନାହିଁ। ଆମେ ପ୍ରଥମ ଥର ପାଇଁ ଅନେକ କାର୍ଯ୍ୟ ଆରମ୍ଭ କରିଥିଲୁ। ଚଳିତ ଥର ମଧ୍ୟ ଆମେ ସାଧାରଣ ଲୋକଙ୍କ ହିତରେ ଅନେକ କାମ କରିବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ।
Comments are closed.