Latest Odisha News

କଂଗ୍ରେସର ବଡ ଘୋଷଣା, ସୋନିଆ କହିଲେ ମହିଳାମାନଙ୍କୁ ପ୍ରତିବର୍ଷ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ:  ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ବର୍ତମାନ ଭାରତରେ  ମହିଳାମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତଥାପି, ଆଜି ଆମର ମହିଳାମାନେ ଭୟଙ୍କର ମୁଦ୍ରାସ୍ଫୀତି ସଙ୍କଟର ସମ୍ମୁଖିନ ହେଉଛନ୍ତି । ସେମାନଙ୍କର କଠିନ ପରିଶ୍ରମକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବୈପ୍ଳବିକ ଗ୍ୟାରେଣ୍ଟି ନେଇ ଆସୁଛି ।

ଗରିବ ପରିବାର ମହିଳାମାନଙ୍କୁ ସଙ୍କଟରୁ ମୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ମହାଲକ୍ଷ୍ମୀ ଯୋଜନା  ଆଣୁଛୁ  ।ଏହି ଯୋଜନାରେ ପରିବାରର ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଦିଆଯିବ। କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ଆମର ଗ୍ୟାରେଣ୍ଟି ଅନେକ ପରିବାରର ଜୀବନ ବଦଳାଇ ସାରିଛିବୋଲି କହିଛନ୍ତି ସୋନିଆ । ସୂଚନା ଅଧିକାର, ଶିକ୍ଷା ଅଧିକାର କିମ୍ବା ଖାଦ୍ୟ ସୁରକ୍ଷା ଭଳି ଯୋଜନା ମାଧ୍ୟମରେ କଂଗ୍ରେସ ଦଳ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସଶକ୍ତ କରିଛି। ଆମର କାର୍ଯ୍ୟକୁ ଆଗକୁ ନେବା ପାଇଁ  ମହାଲକ୍ଷ୍ମୀ ହେଉଛି ସର୍ବଶେଷ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ଆଜିର ଏହି କଷ୍ଟ ସମୟରେ କେବଳ କଂଗ୍ରେସର ହାତ ଆପଣଙ୍କ ସ୍ଥିତିକୁ ବଦଳାଇବ । ପାଞ୍ଚଟି  ନ୍ୟାୟ ସ୍ତମ୍ଭ ଆଧାର କରି ଲୋକଙ୍କୁ ନ୍ୟାୟ ଦେବାରେ କଂଗ୍ରେସ କାମ କରେ  ।

Comments are closed.