Latest Odisha News

BREAKING NEWS

ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଗରିବ ଓ ଅସହାୟଙ୍କ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ପୁଣି ଏକ ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି । ସେ ଏକ ବଡ ଦାୟିତ୍ୱ ନେବାକୁ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡ ଚମୋଲି ବିଭୀଷିକାରେ ଅନାଥ ହୋଇଯାଇଥିବା ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । 

ଉତ୍ତରାଖଣ୍ଡ ଚମୋଲିରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ଆଲମ ସିଂହ ପୁଣ୍ଡରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଲମ ସେତେବେଳେ ଟନେଲରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ଯୋଗୁଁ ପୁରା ପରିବାର ଅସହାୟ ଓ ବେସାହାରା ହୋଇଯାଇଛି ।

ଆଲମ ସିଂହ ପୁଣ୍ଡରୀଙ୍କ ୪ ଝିଅ । ପିତାଙ୍କ ମୃତ୍ୟୁ ପରେ ସେମାନେ କିଭଳି ଜୀବନ କାଟିବେ କିଛି ବୁଝି ପାରୁନଥିଲେ । ଏ ଅସହାୟଙ୍କ ସମ୍ପର୍କରେ ଜାଣିବା ପରେ ଅଭିନେତା ସୋନୁ ସୁଦ ସାହାଯ୍ୟର ହାତ ବଢ଼ାଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଝିଅଙ୍କ ଫଟୋ ସେୟାର କରି ଲେଖିଛନ୍ତି ଏହି ପରିବାର ବର୍ତ୍ତମାନ ଆମର ।

ଏହି ଝିଅଙ୍କ ପାଠ ପଢାରୁ ଆରମ୍ଭ କରି ବିବାହ ଯାଏଁ ଏମାନଙ୍କ ସବୁ ଦାୟିତ୍ୱ ସୋନୁ ସୁଦ ନେବା ପାଇଁ ଚାହୁଁଛନ୍ତି । କଷ୍ଟ ସମୟରେ ସାହାଯ୍ୟର ହାତ ବଢାଇବା ସବୁ ନାଗରିକଙ୍କ ଦାୟିତ୍ୱ ବୋଲି ସୋନୁ କହିଛନ୍ତି । ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଯେଉଁ କ୍ଷତି ହୋଇଛି ସେଠାରେ ଜନତାଙ୍କୁ ନିଜ ଆଡୁ ଯେତିକି ସମ୍ଭବ ସାହାଯ୍ୟ କରିବ ଉଚିତ । 

ଏହି ପଦକ୍ଷେପ ନେଇ ପୁଣିଥରେ ମାନବିକତାର ଓ ଜଣେ ହୃଦୟବାନ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି ସୋନୁ ସୁଦ୍ । ଯାହା ପ୍ରକୃତରେ ପ୍ରଶଂସା ଯୋଗ୍ୟ ।

Leave A Reply

Your email address will not be published.