ନୂଆଦିଲ୍ଲୀ: ୨୦୨୦ କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନରେ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ଚର୍ଚ୍ଚାକୁ ଆସିଥିଲେ।। ଲକଡାଉନ୍ ସମୟରେ ସୋନୁ ଦେଶ ତଥା ବିଦେଶରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସମ୍ପତ୍ତି ମଧ୍ଯ ବନ୍ଧା ପକାଇଦେଇଥିଲେ।
ତେବେ ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କୁ ଅନେକ ହାଇ-ପ୍ରୋଫାଇଲ୍ ଅଫର ମିଳିବା ସତ୍ବେ ମଧ୍ଯ ସେ ରାଜନୀତି କୁ ଆସିନଥିଲେ। ମୋତେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୁହାଯାଇଥିଲା। କିନ୍ତୁ ମୁଁ ଯେତେବେଳେ ମନା କଲି ମତେ ସେମାନେ ଡେପୁଟି ସିଏମ୍ ହେବାର ଅଫର ଦେଇଥିଲେ। ବହୁ ପ୍ରଭାବଶାଳୀ ବ୍ୟକ୍ତି ମୋତେ ରାଜ୍ୟସଭାରେ ଟିକେଟ ମିଳିଯିବ ବୋଲି କହି ସେମାନଙ୍କ ସହ ମିଶିବା ପାଇଁ କହିଥିଲେ। ତେବେ ସେତେବେଳେ ରାଜନୀତି ରେ ମୋତେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାନ୍ତା କାରଣ ସେତେବେଳେ ବହୁ ପ୍ରଭାବଶାଳୀ ଓ ଶକ୍ତିଶାଳୀ ଲୋକମାନେ ମତେ ଭେଟିବାକୁ ଚାହୁଁଥିଲେ।
ସୋନୁ ଆହୁରି କହିଛନ୍ତି ଯେ ଲୋକ ଦୁଇଟି କାରଣରୁ ରାଜନୀତିରେ ଆସନ୍ତି। ଟଙ୍କା ଏବଂ ପାୱାର ପାଇଁ। ମତେ ଏହା ମଧ୍ଯରୁ କୌଣସିରେ ଲୋଭ ନାହିଁ। ଯଦି ଏହାର ମୂଳ ଉଦ୍ଦେଶ୍ଯ ଲୋକଙ୍କୁ ସାହାଯ୍ୟ କରିବା ଅଟେ ତେବେ ମୁଁ ପୂର୍ବରୁ ହିଁ ଏହି ସବୁ କାମ କରି ଆସୁଛି ଏବଂ କାହାକୁ ପଚାରିବାର ଆବଶ୍ୟକତା ମଧ୍ଯ ପଡୁନାହିଁ। ଜାତି, ଧର୍ମ, ଭାଷା ନିର୍ବିଶେଷରେ ମୁଁ ସମସ୍ତଙ୍କୁ ସ୍ବାଧୀନ ଭାବେ ସାହାଯ୍ୟ କରିପାରୁଛି। ତେଣୁ ମୁଁ ମୋର ସ୍ୱାଧୀନତା ହରାଇବାକୁ ଚାହେଁ ନାହିଁ।
ତେବେ ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ଫତେହ’ ରିଲିଜ୍ ହେବାକୁ ଯାଉଛି। ମୁଁ ସିନେମାକୁ ଭଲ ପାଏ। ଯେତେବେଳେ ମୁଁ ସିନେମାରୁ ସନ୍ୟାସ ନେବି ସେତେବେଳେ ଯାଇ ଅନ୍ୟ କିଛି ବିଷୟରେ ଚିନ୍ତା କରିବି। କିନ୍ତୁ ବର୍ତ୍ତମାନ ମୁଁ ଅଭିନୟ ଏବଂ ନିର୍ଦ୍ଦେଶନା ଜାରି ରଖିବି ବୋଲି ସେ ପ୍ରକାଶ କରିଛନ୍ତି।