ଭୁବନେଶ୍ୱର: ସାରା ଦେଶରେ ଆଜି ପାଳିତ ହୋଇଛି ରାଷ୍ଟ୍ରୀୟ ଯୁବ ଦିବସ । ଏହି ଅବସରରେ ରାଜଧାନୀରେ ଯୁବ ସମାବେଶ କରିଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ଦଳରୁ ବାହାରିବା ପରେ ଆଜି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯୁବକମାନେ ଏକ ହୁଅ ଏବଂ ଦେଶକୁ ଆଗକୁ ନିଅ ବୋଲି ସେ ଆହ୍ୱାନ ଦେଇଛନ୍ତି । ଫେରିବ ଗୌରବ, ଦରକାର ଆଉ ଏକ ବିପ୍ଳବ- ନାରା ଦେଇଛନ୍ତି ସେ । ମୋ ଓଡିଶା ମୋ ଦାୟିତ୍ୱ ବୋଲି କହି ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ କଥା ମନେ ପକାଇଛନ୍ତି । ରାଜ୍ୟରେ ହେଉଥିବା ଲୁଣ୍ଠନ, ଚୋରି ଡକାୟତି ପାଇଁ ମଦକୁ ସେ ଦାୟି କରିଛନ୍ତି । ଯଦି ଯୁବପିଢୀ ଚାହିଁବେ ତେବେ ରାଜ୍ୟ ତଥା ଦେଶ ଆଗକୁ ଯାଇ ପାରିବ । ଆଗାମୀ ଦିନରେ ହେବାକୁ ଥିବା ନୂଆ ଦଳ ସମ୍ପର୍କରେ ସେ ସୂଚନା ଦେଇନାହାଁନ୍ତି । ଖୁବଶୀଘ୍ର ନିଶ୍ଚୟ ଏକ ଦଳ ଓଡିଶା ରାଜନୀତିରେ ନୂଆ ଫର୍ଦ୍ଦ ଯୋଡିବ ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ ବର୍ତ୍ତମାନ ନୂଆ ଦଳ ଘୋଷଣା ହୋଇନାହିଁ , ତଥାପି ଆଗାମୀ ଦିନରେ ସେମିତି ଏକ ଦଳ ଘୋଷଣା ହୋଇପାରେ ବୋଲି କହିଛନ୍ତି ।
ମହମ୍ମଦ ମୋକିମଙ୍କ ଏହି ସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କୁ ଦେଖିବାକୁ ମିଳିଥିଲା । ବାପାଙ୍କ ସମର୍ଥନରେ ସେ ବାହାରିଛନ୍ତି । ବାପା ଯାହା କୁହନ୍ତି ଠିକ କୁହନ୍ତି, ବାପାଙ୍କ ପାଇଁ କଟକବାସୀ ତାଙ୍କୁ ଭରଷା କରି ବିଧାନସଭାକୁ ପଠାଇଛନ୍ତି । ସେବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ତେବେ ମୋକିମଙ୍କ ସଭାରେ କଂଗ୍ରେସ ବିଧାୟିକା ଯୋଗ ଦେଇଥିବାରୁ ରାଜନୈତିକ ପାଣିପାଗ ଗୋଳିଆ ହୋଇଛି । ସୋଫିଆଙ୍କ ସହ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହଙ୍କ ନାଁ ପୋଷ୍ଟରରେ ଉଲ୍ଲେଖ ହୋଇଥିଲା । ହେଲେ ସେମାନେ ଆସିନଥିଲେ । ତେବେ ମୋକିମଙ୍କ ଏହି ସଭାକୁ ସେମାନେ ନଆସିବା ଦ୍ୱାରା ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।
ମୋକିମ ଏବେ ନିଜ ଦଳ ପାଇଁ ବଳ ଗୋଟାଉଥିବା ବେଳେ ତାଙ୍କ ଝିଅ ବ୍ୟତୀତ ସେଭଳି କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିନଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକମାନେ ଏକାଠି ହୋଇଥିଲେ ହେଁ ବଡ ଚେହେରା ଏହି ସଭାକୁ ନ ଆସିବା ମୋକିମଙ୍କ ପାଇଁ ଚିନ୍ତା ବଢାଇଥିବା ଆଲୋଚନା ହେଉଛି । ବୋଧହୁଏ ଆଗାମୀ ଦିନରେ ଦଳ ସଂଗଠିତ କରିବା ସମୟରେ ବଡ ନେତା ଆସି ପାରନ୍ତି ବୋଲି ମୋକିମଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି । ତେବେ ମୋକିମ ଯେଉଁ ଲକ୍ଷ୍ୟ ନେଇ ବାହାରିଛନ୍ତି ତାହା କେତେଦୂର ସଫଳ ହେଉଛି ତାହା ଆଗାମୀ ଦିନରେ ହିଁ ଜଣାପଡିବ ।