ଭୁବନେଶ୍ୱର: ରାଜ୍ୟରେ ପୁଣି ପାଣ୍ଡିଆନ୍ ତାତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରେ ଥିବା ବେଳୁ ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଆସୁଛି। ବିଜେଡିରେ ପାଣ୍ଡିଆନ୍ ଫ୍ୟାକ୍ଟର ନେଇ ପୁଣି ବର୍ଷିଛନ୍ତି ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ପାଣ୍ଡିଆନଙ୍କ ଉପରେ ଅତିରିକ୍ତ ଭରସାକୁ ନେଇ ନବୀନଙ୍କୁ ସେ ସମାଲୋଚନା କରିଛନ୍ତି।
ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆଧାରିତ ରୁବେନ ବାନାର୍ଜୀଙ୍କ ଲିଖିତ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ପାଣ୍ଡିଆନ୍ ଏବଂ ନବୀନଙ୍କ ସମ୍ପର୍କ ନେଇ ଟାର୍ଗେଟ୍ କରିଥିଲେ ସୌମ୍ୟରଞ୍ଜନ। ସୌମ୍ୟ କହିଥିଲେ, 5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଛି। ଏହି ପାପକୁ ଧୋଇବାକୁ ବିଜେଡିକୁ ଆଉ ୫ରୁ ୧୦ ବର୍ଷ ଲାଗିବ। ନବୀନଙ୍କୁ ଓଡ଼ିଶାବାସୀ ଏକତରଫା ପ୍ରେମ କରିଥିଲେ। ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ଧ ଭକ୍ତର ପ୍ରେମ କାହାଣୀ ଚାଲିଥିଲା। ନବୀନ ବାବୁ ୨ଟି ପର୍ଯ୍ୟାୟରେ କ୍ଷମତା ହସ୍ତାନ୍ତର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ୟାରୀଙ୍କୁ, ୨ୟ ପର୍ଯ୍ୟାୟରେ ଶହେ ଭାଗ ପାଣ୍ଡିଆନଙ୍କୁ କ୍ଷମତା ଦେଇଥିଲେ। ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଅପବାଦ ଥିଲା। ଫଳରେ ଏଥର ନିର୍ବାଚନରେ ପ୍ରତିକୂଳ ଜନାଦେଶର ସାମ୍ନା କରିବାକୁ ବାଧ୍ୟ ହେଲେ।
ଏଥର ପାଣ୍ଡିଆନଙ୍କ ଅପେକ୍ଷା ନବୀନଙ୍କୁ ଅଧିକ ଦୋଷ ଦେଇଛନ୍ତି ସୌମ୍ୟ। ଏହାସହ ପାଣ୍ଡିଆନଙ୍କୁ ସମର୍ଥନ ଦେଇଥିବା ନେତାଙ୍କୁ ସେ କଡ଼ା ଟାର୍ଗେଟ କରିଛନ୍ତି।
Comments are closed.