ବାଲେଶ୍ବର: ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ସୌମ୍ୟାଶ୍ରୀ ବିଶିଙ୍କ ପାର୍ଥିବ ଶରୀର । ସୌମ୍ୟାଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଏମ୍ସରେ ବ୍ୟବଛେଦ ହୋଇଥିଲା । ସୌମ୍ୟାଶ୍ରୀଙ୍କ ମୃତଦେହକୁ କଡା ସୁରକ୍ଷା ଭିତରେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇର ତାଙ୍କ ଗାଁ ପଳାସିଆକୁ ନିଆଯାଇଛି । କାନ୍ଦବୋବାଳିରେ ଫାଟିପଡୁଛି ପୂରା ପଳାସିଆ ଗାଁ । ଆଉ କିଛି ସମୟ ପରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ।
ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସମଗ୍ର ଗାଁ ଏକାଠି ହୋଇଛି । ନିଜ ଝିଅକୁ ହରାଇ ସ୍ଥାଣି ପାଲଟିଯାଇଛନ୍ତି ବାପା ମାଆ । ଝିଅ ଆଉ ଏ ଦୁନିଆରେ ନାହିଁ ବୋଲି ନିଜକୁ ବୁଝାଇ ପାରୁନାହାନ୍ତି ସୌମ୍ୟାଙ୍କ ମାଆ । ମୃତଦେହ ଦେଖି କହୁଛନ୍ତି ମୋ ଝିଅ ମରିନି ବଞ୍ଚିଛି । ଛାତି ଫଟାଇ କାନ୍ଦୁଛି ପୁରା ପରିବାର । ମୁଣ୍ଡ ବାଡେଇ କାନ୍ଦୁଛି ଜେଜେ ମା’, ଭଉଣୀକୁ ଝୁରି କାନ୍ଦୁଛନ୍ତି ଭାଇ ଭଉଣୀ । ଏ ହୃଦୟ ଥରା ଦୃଶ୍ୟ ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି ।
ବର୍ତ୍ତମାନ ଘଟଣାସ୍ଥଳରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଅଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଏହା ଅତ୍ୟନ୍ତ ମର୍ମନ୍ତୁଦ ଘଟଣା, ମନକୁ ବିଚଳିତ କରୁଛି । ଘଟଣା ପଛରେ କଲେଜ ପ୍ରିନ୍ସିପାଲଙ୍କ ଗୁରୁତର ତ୍ରୁଟି ଥିଲା । ଇଣ୍ଟରନାଲ୍ କମିଟିର ମନିଟରିଂ କରୁ ନଥିଲେ ପ୍ରିନ୍ସିପାଲ୍ ।
କିଛି ପିଲା କାନ୍ଦିବାର ନାଟକ କରୁଛନ୍ତି, ଆତ୍ମହତ୍ୟା ପାଇଁ ଉସୁକାଇଥିଲେ । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ, ସରକାର ତ୍ବରିତ ପଦକ୍ଷେପ ନେଇଛନ୍ତି । ୧୨ ଘଣ୍ଟା ମଧ୍ୟରେ ସସପେଣ୍ଡ ଓ ଗିରଫ କରାଗଲା । ତଦନ୍ତ ଠିକ୍ ବାଟରେ ଚାଲିଛି, ନ୍ୟାୟ ନିଶ୍ଚୟ ମିଳିବ ବୋଲି କହିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ।
ସାଂସଦ ଷଡଙ୍ଗୀଙ୍କ ସମେତ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ମଧ୍ୟ ସେଠାରେ ଅଛନ୍ତି । ସୌମ୍ୟାଶ୍ରୀଙ୍କ ଗାଁ ପଳାସିଆରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ ସୌମ୍ୟାଶ୍ରୀ ବିଶି । ତାଙ୍କ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନେଇନଥିଲେ। ଯେଉଁଥି ପାଇଁ ଜୁଲାଇ ୧୨ ତାରିଖ ଶନିବାର ଦିନ ସେ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।
ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ ଚିକିତ୍ସା କରାଯାଉଥିଲା । ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡନୀ, ଫୁସଫୁସ୍ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା । ପାଖାପାଖି ୬୦ ଘଣ୍ଟା ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଗତକାଲି ରାତିରେ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ ସୌମ୍ୟାଶ୍ରୀ ।
ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁଲାଇ ୧୨ ତାରିଖରେ ଏଫଏମ୍ କଲେଜ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷ ଓ ଏଜୁକେସନ୍ ବିଭାଗ HOD ସମୀର ସାହୁଙ୍କୁ ସସପେଣ୍ଡ କରାଯାଇଥିଲା । ଏହା ପରେ ୧୨ରେ ନିଲମ୍ବିତ HOD ସମୀର ସାହୁଙ୍କୁ ଗିରଫ କରାଯାଇଥିଲା । ୧୩ ତାରିଖରେ କଲେଜରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ହୋଇଥିଲା । ୧୪ ତାରିଖରେ ନିଲମ୍ବିତ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା ।
Comments are closed.