କଟକ: ଯୌନ ନିର୍ଯାତନା ସହିତ ଠକେଇ କରିଥିବା ଅଭିଯୋଗର ସମ୍ମୁଖୀନ ହୋଇଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଶେଷରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି।
ଏହି ପ୍ରସଙ୍ଗରେ ନିରବତା ବଜାୟ ରଖିଥିବା ସୌରିନ୍ ଭଟ୍ଟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସମସ୍ତ ଅଭିଯୋଗ ମିଥ୍ୟା। ସଂପୃକ୍ତ ମହିଳାଙ୍କୁ ସେ ଚିହ୍ନନ୍ତି ନାହିଁ ବୋଲି କହିଛନ୍ତି। ଅପେକ୍ଷା କରନ୍ତୁ ସବୁକିଛି ପ୍ରମାଣିତ ହୋଇଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୧୨ ତାରିଖରେ ଜଣେ ମହିଳା ସଂପୃକ୍ତ ଓଲିଉଡ୍ କଣ୍ଠଶିଳ୍ପୀଙ୍କ ବିରୋଧରେ ଯୌନ ନିର୍ଯାତନା ସହ ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗ ଆଣିଥିଲେ। ଏହାପରେ କମିସନରେଟ୍ ପୁଲିସର ଏକ ଚାରି ଜଣିଆ ଟିମ୍ ଗତ ୨୨ ତାରିଖରେ କୋଲକାତାସ୍ଥିତ ସୌରିନ୍ ଭଟ୍ଟଙ୍କ ବାସଭବନକୁ ଯାଇଥିଲେ। ତେବେ ଏହି ସମୟରେ ଗାୟକ ନୂଆଦିଲ୍ଲୀରେ ଥିବାରୁ ସେମାନଙ୍କୁ ଖାଲି ହାତରେ ବାହାରକୁ ଆସିବାକୁ ପଡ଼ିଥିଲା।
କଟକରେ ରହୁଥିବା ଅଭିଯୋଗକାରୀ ଜଣକ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ୨୦୧୫ରେ ସେ ଗାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଦାବି କରିଛନ୍ତି।
ଅଗଷ୍ଟ ୧ ତାରିଖରେ ଆଗୁଆ ଜାମିନ ପାଇଁ ଆବେଦନ କରିବା ପରେ ଓଡ଼ିଶା ହାଇକୋର୍ଟ ସୌରିନ୍ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଆବଶ୍ୟକସ୍ଥଳେ ପ୍ଲେବ୍ୟାକ୍ ସିଙ୍ଗର ପୁଲିସ ତଦନ୍ତରେ ସହଯୋଗ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.