Latest Odisha News

BREAKING NEWS

ପେସ ଆଉ ସ୍ପିନ କିଛି ଖେଳି ପାରୁନି ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ୩୧୪ ରନରେ ଅଗ୍ରଣୀ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆ ଅସୁବିଧାରେ ପଡିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩୧୪ ରନର ଅଗ୍ରଣୀ ହାସଲ କରି ନେଇଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୪୮୯ ରନ ଜବାବରେ ଭାରତ ୨୦୧ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରଥମ ଟେଷ୍ଟରେ ସ୍ପିନ ଏବଂ ଚଳିତ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପେସ ଜାଲରେ ଭାରତ ଫସିଛି । ଯଶସ୍ୱୀ ଜୈସୱାଲ ୫୮ ଓ ୱାଶିଂଟନ ସୁନ୍ଦର ୪୮ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନାହାନ୍ତି । ୯୫ ରନରେ ୨ଟି ୱିକେଟ ହରାଇଥିବା ଭାରତ ୧୨୨ ରନରେ ୭ଟି ୱିକେଟ ହରାଇଥିଲା । ସୁନ୍ଦରଙ୍କ ବ୍ୟାଟିଂ ଯୋଗୁ ଦଳ ୨୦୦ ସ୍କୋର କରିପାରିଥିଲା । ମାର୍କୋ ୟାନେସନ ୬ଟି ୱିକେଟ ଅକ୍ତିଆର କରି ଭାରତକୁ ହରଡଘଣାରେ ପକାଇଥିଲେ ।

୨୮୮ ରନର ଅଗ୍ରଣୀ ସତ୍ୱେ ଦକ୍ଷିଣ ଆଫ୍ରିକା ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା କୌଣସି ୱିକେଟ ନ ହରାଇ ୨୬ ରନ କରିଛି । ର‌୍ୟାନ ରିକେଲଟନ ୧୩ ଓ ଆଇଡେନ ମାର୍କରାମ ୧୨ ରନ କରି ଅପରାଜିତ ଅଛନ୍ତି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ପରାଜିତ ହୋଇଛି । ସିରିଜ ବଂଚାଇବାକୁ ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ । ତେବେ ବର୍ତମାନ ପରିସ୍ଥିତିରେ ଏହା ସମ୍ଭବପର ମନେ ହେଉନି । ମ୍ୟାଚ ଡ୍ର ରହିଲେ ବି ଦକ୍ଷିଣ ଆଫ୍ରିକା ସିରିଜ ଜିତିନେବ ।

Comments are closed.