Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ : ସୂର୍ଯ୍ୟ ଚମକିଲେ, ମିଲର ସାଜିଲେ କିଲର

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ୧୩୩ ରନର ଆଭରେଜ ସ୍କୋର କରିଥିଲା । ସୂର୍ଯ୍ୟକୁମାର ଯାଦବ ପୁନର୍ବାର ଚମତ୍କାର ଇନିଂସ ଖେଳି ଭାରତର ସମ୍ମାନ ରଖିଥିଲେ । ରୋହିତ ଶର୍ମା ୧୫ ଓ ବିରାଟ କୋହଲି ୧୨ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁପାରି ନ ଥିଲେ । ଲୁଙ୍ଗି ଏନଗିଡି ୪ଟି ଏବଂ ୱେନ ପାର୍ଣ୍ଣେଲ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୩୪ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ନାକେଦମ ହେବାକୁ ପଡିଥିଲା । ୨୪ ରନରେ ୩ଟି ୱିକେଟ ହରାଇବା ପରେ ଆଇଡେନ ମାର୍କରାମ(୫୨) ଓ ଡେଭିଡ ମିଲର ଅର୍ଦ୍ଧଶତକ ହାସଲ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ମିଲର ୫୯ ରନ କରି ନଟଆଉଟ ରହିଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ୨ଟି ଏବଂ ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଏନଗିଡିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲା । ଦକ୍ଷିଣ ଆଫ୍ରିକା ୩ ମ୍ୟାଚରୁ ୫ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୪ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.