ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଏକ ବଡ଼ ଖବର ଆସିଛି। ଚିତା ଗାମିନୀ ତିନୋଟି ଶାବକଙ୍କୁ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ ଚିତା ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୁଧବାର ଘୋଷଣା କରିଛନ୍ତି।
ଦକ୍ଷିଣ ଆଫ୍ରିକାରୁ ଗାମିନୀକୁ ଭାରତକୁ ଅଣାଯାଇଥିଲା। କିଛି ଦଶନ୍ଧି ପୂର୍ବରୁ ଦେଶରୁ ଚିତା ଲୋପ ପାଇବା ପରେ ଭାରତରେ ଚିତା ବଂଶକୁ ବୃଦ୍ଧି କରିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ତେବେ ଗାମିନୀ ଦ୍ୱିତୀୟ ଥର ପାଇଁ ଜନ୍ମ ଦେଇଛି ଏବଂ ଏହା କୁନୋ ଜାତୀୟ ଉଦ୍ୟାନରେ ନବମ ସଫଳ ଚିତା ଜନ୍ମ।
ଏହି ୩ ନୂଆ ଶାବକ ସହିତ ଭାରତରେ ଜନ୍ମଗ୍ରହଣ କରୁଥିବା ଜୀବନ୍ତ ଶାବକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ଯେ, ଏହା ଦେଶର ସଂରକ୍ଷଣ ପ୍ରୟାସ ପାଇଁ ଏକ ବଡ଼ ସଫଳତା। କୁନୋ ଜାତୀୟ ଉଦ୍ୟାନରେ ଚିତା ସ୍ଥାନାନ୍ତର ପ୍ରକଳ୍ପକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି ଏବଂ ଏପର୍ଯ୍ୟନ୍ତ ସକାରାତ୍ମକ ଫଳାଫଳ ମିଳୁଛି।