ଲକ୍ଷ୍ନୌ: ବିଦ୍ୟୁତ୍ ଚୋରି କରିବା ଜଣେ ସମାବବାଦୀ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ସପା ସାଂସଦ ଜିଆଉ ରେହମାନଙ୍କ ଉପରେ ପଡ଼ିଛି ଫାଇନ୍। ବିଦ୍ୟୁତ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ଏହି ଘଟଣାକୁ ନେଇ ପୁଣିଥରେ ସମସ୍ୟାରେ ପଡିଛନ୍ତି। ସପା ସାଂସଦ ଚୋରି ବିଜୁଳିର ବ୍ୟବହାର କରୁଥିଲେ। ତାଙ୍କ ଘର ମିଟର ଯାଞ୍ଚ ପରେ ପୋଲିସ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି।
ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଫାଇନ୍ । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି। କେବଳ ସେତିକି ନୁହେଁ, ରେହମାନଙ୍କ ସମେତ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଗତକାଲି ସକାଳୁ ପୋଲିସ ଫୋର୍ସ ସହ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚିଥିଲା। ବିଭାଗୀୟ ଅଧିକାରୀ ନୂଆ କରି ଲାଗିଥିବା ସ୍ମାର୍ଟ ମିଟର ରିଡିଂକୁ ଯାଞ୍ଚ କରି ଯାହା ଦେଖିବାକୁ ପାଇଥିଲେ ସେମାନେ ତାଜୁବ ହୋଇ ଯାଇଥିଲେ।
ସାଂସଦଙ୍କ ଘରେ ଲାଗିଥିବା ଦୁଇଟି ମିଟରରେ ଟାମ୍ପରିଂର ପ୍ରମାଣ ମିଳିଥିବା ବେଳେ ଯାଞ୍ଚ ପାଇଁ ଯାଇଥିବା ପୁଲିସ ଓ ବିଦ୍ୟୁତ୍ ବିଭାଗ ଟିମ୍କୁ ସାଂସଦ ଧମକାଇଥିବା ଅଭିଯୋଗ ହୋଇଛି। ଏହାପରେ ସାଂସଦଙ୍କ ନାଁରେ ଧାରା ୧୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି। କେବଳ ସାଂସଦ ନୁହନ୍ତି ଡ୍ୟୁଟିରେ ଯାଇଥିବା ଅଧିକାରୀଙ୍କୁ ଧମକାଇବା ଅଭିଯୋଗରେ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି।