ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର) ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବ ।
ସ୍ପେନର ପୁରୁଷ ହକି ଦଳ ଫେବୃଆରୀ ୧୫ ଏବଂ ୧୬ରେ ଆୟୋଜକ ଭାରତ ଦଳ ସହ ମୁକାବିଲା କରିବ । ସେହିପରି ଫେବୃଆରୀ ୧୮ଓ ୧୯ରେ ଇଂଲଣ୍ଡକୁ ଭେଟିବ ସ୍ପେନର ପୁରୁଷ ଦଳ । ସ୍ପେନର ମହିଳା ଦଳ ଫେବୃଆରୀ ୧୮ଓ ୧୯ରେ ଘରୋଇ ଦଳ ଭାରତ ସହ ମୁକାବିଲା କରିବ । ଏହା ପୂର୍ବରୁ ସ୍ପେନର ମହିଳା ଦଳ ଫେବୃଆରୀ ୧୫ ଏବଂ ୧୬ ରେ ଜର୍ମାନୀକୁ ଭେଟିବ ।
JioCinema ଓ Sports18ରେ ଏଫଆଇଏଚ୍ ପ୍ରୋ ଲିଗ୍ ର ସିଧାପ୍ରସାରଣ ଦେଖିପାରିବେ । ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ମିଳିବ ଟିକେଟ୍ । ଭର୍ଚୁଆଲ୍ ଟିକେଟ୍ ପାଇବା ପାଇଁ ପ୍ରଶଂସକମାନେ www.ticketgenie.in ମାଧ୍ୟମରେ ସେମାନଙ୍କର ବିବରଣୀ ପ୍ରବେଶ କରି ସହଜରେ ସେମାନଙ୍କର ଟିକେଟ୍ ସୁରକ୍ଷିତ କରିପାରିବେ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୁଷ ଦଳର ଅଧିନାୟକ ଆଲଭାରୋ ଇଗ୍ଲେସିଆ ଭାରତରେ ଖେଳିବାକୁ ନେଇ ସେ କହିଛନ୍ତି ଯେ , “ଆମେ ଭାରତକୁ ଆସି ବହୁତ ଉତ୍ସାହିତ ଅଛୁ । ଆମେ ଚାରିଟି ମ୍ୟାଚ ପାଇଁ ଅଷ୍ଟ୍ରେଲିଆରେ ଥିଲୁ, କିନ୍ତୁ ଆମକୁ ଆମ ଖେଳରେ ଉନ୍ନତି କରିବାକୁ ପଡିବ । ଅଧିକ ମ୍ୟାଚ ଜିତିବାର ଆଶା ରଖିଛୁ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସବୁବେଳେ ଭାରତରେ ଖେଳିବାକୁ ଭଲ ପାଉ କାରଣ ଏଠାରେ ହକି ବହୁତ ଲୋକପ୍ରିୟ ଏବଂ ଷ୍ଟାଡିୟମରେ ପ୍ରଶଂସକଙ୍କ ଭିଡ ଥାଏ ।
ସେହିପରି ମହିଳା ଦଳର ଅଧିନାୟକ ଲୁସିଆ ଜିମିନେଜ କହିଛନ୍ତି, “ଭୁବନେଶ୍ୱର ହକି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଫ୍ୟାନ୍ସରେ ଭରପୂର ଥିବା ଷ୍ଟାଡିୟମରେ ଖେଳିବାକୁ ଆମେ ଅତ୍ୟଧିକ ଉତ୍ସାହିତ ଅଛୁ। ବାସ୍ତବରେ ଏହି ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଆସନ୍ତା ବର୍ଷ ଏଫଆଇଏଚ୍ ପ୍ରୋ ଲିଗରେ ରହିବାକୁ ଚାହୁଁଛୁ । ତେଣୁ ଜିତିବା ଆମ ପାଇଁ ଜରୁରୀ ବୋଲି ଜାଣିଛୁ । ପ୍ରତ୍ୟେକ ମ୍ୟାଚ୍ ଜିତିବା ପାଇଁ ଆମେ ଆମର ସର୍ବୋତ୍ତମ ହକି ଖେଳିବାକୁ ଚେଷ୍ଟା କରିବୁ। ”
Comments are closed.