ଜାଗା ଖୋଜୁଛନ୍ତି ? ପାଉ ନାହାନ୍ତି କି ? ଏଠି ଗାଁ ବିକ୍ରି ହେଉଛି । ଦାମ ବି ବେଶି ନୁହେଁ । ମାତ୍ର ୨ କୋଟି । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କଥାଟି କିନ୍ତୁ ବିଲକୁଲ ସତ । ଭଲ ଜାଗା ଖଣ୍ଡେ କିଣି ଘର ତିଆରି କରିବା ପାଇଁ ମୋଟା ଅଙ୍କର ଅର୍ଥ ଦରକାର । ହେଲେ ମାତ୍ର ୨ କୋଟିରେ ଗାଁ କିଣିବାକୁ ମିଳୁଛି ସ୍ପେନରେ । ତେବେ ଏହି ଗାଁ ବିକ୍ରି ପଛର କାହାଣୀ କ’ଣ ରହିଛି ଆସନ୍ତୁ ଶୁଣିବା ।
ବିବିସି ରିପୋର୍ଟ ଅନୁଯାୟୀ, ସ୍ପେନର ଏମିତି ଏକ ଗାଁ ରହିଛି ଯାହା ଦୀର୍ଘ ୩୦ ବର୍ଷ ହେଲା ଜନଶୂନ୍ୟ ହୋଇ ପଡ଼ିଛି ।ଏହି ଗାଁର ନାଁ Salto de Castro` । ଏହି ଗାଁକୁ ବିକ୍ରି କରିବା ପାଇଁ ଦାମ ରଖାଯାଇଛି ୨୭ ହଜାର ୟୁରୋ ଅର୍ଥାତ ୨ କୋଟି ୧୬ ଲକ୍ଷ ୮୭ ହଜାର ୮୩୧ ଟଙ୍କା ।
ସ୍ପେନ ଓପର୍ତ୍ତୁଗାଲ ସୀମାରେ ପାହାଡ ଶିଖରରେ ରହିଛି ଏହି ଗାଁ । ଗାଁରେ ଥିବା ଘରଗୁଡ଼ିକ ଦୀର୍ଘ ଦିନ ଧରି ମରାମତି ହୋଇ ନ ଥିବାରୁ ଭାଙ୍ଗିରୁଜି ଗଲାଣି । ମାଡ୍ରିଡ ସହରରୁ ମାତ୍ର ୩ ଘଣ୍ଟାର ଦୂର । ଗାଁରେ ୪୪ଟି ଘର ବ୍ୟତୀତ ଏକ ହୋଟେଲ, ଏକ ସ୍କୁଲ, ମ୍ୟୁନିସପାଲଟି ପକ୍ଷରୁ ଏକ ସୁଇମିଂ ପୁଲ, ଏକ ଚର୍ଚ୍ଚ, ସ୍ପୋର୍ଟସ କମ୍ପ୍ଲେକ୍ସ, ବାରାକ ଇତ୍ୟାଦି ବି ରହିଛି ।
କୁହାଯାଏ, ଏହି ଗାଁକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲକ୍ଷ୍ୟ ନେଇ ରୟାଲ ଇନଭେଷ୍ଟ ନାମକ ଏକ କମ୍ପାନୀ ୨୦୦୦ ମସିହାରେ କିଣିଥିଲା । ହେଲେ ଆର୍ଥିକ ସଙ୍କଟ ଏବଂ ଅନ୍ୟାନ ସମସ୍ୟା ଯୋଗୁ ଯୋଜନାକୁ ଶୀତଳଭଣ୍ଡାରରେ ରହିଗଲା। କମ୍ପାନୀ ମାଲିକ ରାନୀ ରୋଡ୍ରିଗେଜଙ୍କ କହିବା ଅନୁଯାୟୀ, ତାଙ୍କର ସ୍ୱପ୍ନ ଥିଲା ଏହି ଗାଁରେ ଏକ ହୋଟେଲ କରିବା ପାଇଁ ।ହେଲେ ଏ ସ୍ୱପ୍ନ ତାଙ୍କ ସ୍ୱପ୍ନରେ ରହିଗଲା ।
ସେ ଏକ ସ୍ପେନିଶ :ୱେବ ସାଇଟରେ ଏହି ଗାଁକୁ ବିକ୍ରି କରିବା ପାଇଁ ଘୋଷଣା କରିଛନ୍ତି । ଏଥିରେ ସେ ଲେଖି କରିଛନ୍ତି, ମୁଁ ଏ ଗାଁର ମାଲିକ । ଏହାକୁ ମୁଁ ବିକ୍ରି କରିବାକୁ ଚାହୁଁଛି । କାରଣ ମୁଁ ସହରର ବାସିନ୍ଦା । ତେଣୁ ଗାଁର ରକ୍ଷଣାବେକ୍ଷଣ କରିପାରୁନି । ସେ ଏହି ବିଜ୍ଞାପନ ସୂଚକ ଲେଖା ଆଇଡିଆାଲିଷ୍ଟ ୱେବ ସାଇଟରେ ଦେଇଛନ୍ତି ଯାହା ଗାଁ ବିକ୍ରି ପାଇଁ ଲିଷ୍ଟେଡ ଅଟେ ।
Comments are closed.