Odisha Assembly Chaos: ବିଶୃଙ୍ଖଳା ଭିତରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ, ଦୁଇ ଦିନ ଗୃହ ଅଚଳ ଯୋଗୁଁ ଅବଧି ସରିଯାଇଛି କହିଲେ ବାଚସ୍ପତି…
ଭୁବନେଶ୍ବର: ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥାରେ ଚାଲିଛି ଗୃହ । ଏହାରି ଭିତରେ ଆଜି ଅପରାହ୍ଣ ୪ଟା ପରେ ଟିକିଏ ଗୃହ ଚାଲିଥିବା ବେଳେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ କରିଛନ୍ତି ସୁରମା ପାଢୀ । ବାଚସ୍ପତି କହିଛନ୍ତି, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ସେପ୍ଟେମ୍ବର ୧୯ କଂଗ୍ରେସ ନେତାମାନଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଗୃହରେ ଗ୍ରହଣ କରାଯାଇ ପାରିନଥିଲା। ଆଉ ଏବେ ଏହାର ଅବଧି ଶେଷ ହୋଇଯାଇଥିବାରୁ ଏବେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯାଇଛି । ବାଚସ୍ପତି ପାଢୀ ସ୍ପଷ୍ଟ କରିଥିଲେ ଯେ ବିଧାନସଭା କାର୍ଯ୍ୟ ବାରମ୍ବାର ବନ୍ଦ ହୋଇ ଆଲୋଚନା ପାଇଁ କୌଣସି ସ୍ଥାନ ନ ଥିବାରୁ ପ୍ରସ୍ତାବ ଗ୍ରହଣ କରାଯାଇପାରିବ ନାହିଁ।
ଯାହାକୁ ନେଇ ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ଘୋଷଣା ପରେ, କଂଗ୍ରେସ ବିଧାୟକମାନେ ପ୍ରତିବାଦରେ ଉତ୍ତେଜିତ ହୋଇ ଗୃହର ମଧ୍ୟ ଭାଗକୁ ଧସେଇ ପଶି ସ୍ଲୋଗାନ ଦେଇଥିଲେ। ପରେ କଂଗ୍ରେସ ସଦସ୍ୟ ୱାକ ଆଉଟ୍ କରିଥିଲେ । ଯାହାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ସଦସ୍ୟ । ଏଥିସହିତ ବାଚସ୍ପତିଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରସ୍ତାବକୁ ଅବରୋଧ କରିବାର ଏବଂ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ ସେମାନେ ସମୟ ମଧ୍ୟରେ ପ୍ରସ୍ତାବ ଦାଖଲ କରିଛନ୍ତି ଏବଂ ଶାସକ ଦଳକୁ ଏହାର ଗ୍ରହଣୀୟତାକୁ ରୋକିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରିବାକୁ ଦାୟୀ କରିଛନ୍ତି। ଏହି ଘଟଣା ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଉତ୍ତେଜନାକୁ ତୀବ୍ର କରିଛି, କଂଗ୍ରେସ ବିଧାନସଭା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ଦାବି କରିଛି ।
ତେବେ ୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବା ପରେ ଗୃହ କେବଳ ମୁଲତବୀରେ ହିଁ ଚାଲିଛି । ବିରୋଧୀ ବିଜେଡି ସାର ଅଭାବ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ଜାରି ରଖିଛି । କେତେ ବେଳେ ୪ ମିନିଟ ତ, ଆଉ କେତେବେଳେ ୭ ମିନିଟ ଚାଲିବା ବରେ ବାଧ୍ୟ ହୋଇ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଯାହାକୁ ନେଇ ବିଜେଡି ଏବଂ ବିଜେପି ମିଶିକି ଷଡଯନ୍ତ୍ର କରିଥିବାର ଅଭିଯୋଗ କରିଛି କଂଗ୍ରେସ । ବିଜେପି- ବିଜେଡି ଭାଇ ଭାଇ ଜାଣିଶୁଣି ଗୃହ ଚଲାଇ ଦେଇନଥିବାର ଅଭିଯୋଗ କରି ଆଜି କଂଗ୍ରେସ ଗୃହରେ ପ୍ଲା କାର୍ଡ ଧରି ବିରୋଧ କରିଥିଲା । ଯାହା ବିଧାନସଭା କାର୍ଯ୍ୟସୂଚୀକୁ ଆହୁରି ଜଟିଳ କରିଛି।
Comments are closed.