Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରତ୍ନସିଂହାସନରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମିଶାଇ ୩୯ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ୬ ଜଣ ଅତିରିକ୍ତ ଏସ୍‌ପି ଓ ଡେପୁଟି କମାଣ୍ଟାଣ୍ଟ, ୧୮ ଡିଏସ୍‌ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୩୨ ଜଣ ଇନ୍ସପେକ୍ଟର ଓ ସବ୍‌ ଇନ୍ସପେକ୍ଟର, ୧୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୯ ଜଣ ହାବିଲଦାର, ୧୬୭ ଜଣ କନଷ୍ଟେବଳ, ୫୪ ଜଣ ଟ୍ରାଫିକ କନଷ୍ଟେବଳ, ୪୩୨ ଜଣ ହୋମ୍‌ଗାର୍ଡ ନିୟୋଜିତ ହେବେ । ସମୁଦ୍ରକୂଳରେ ୪୦ ଜଣ ହୋମ୍‌ଗାର୍ଡ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । କିନ୍ତୁ ଜରୁରୀ ସେବାରେ ନିୟୋଜିତ ଯେପରି କି, ଆମ୍ବୁଲାନ୍ସ, ଗଣମାଧ୍ୟ ଗାଡ଼ି ଚଳାଚଳ ଉପରେ କଟକଣା ରହିବ ନାହିଁ । ଅଗ୍ନିଶମ ଗାଡି ମଧ୍ୟ ଚଳାଚଳ କରିବ । ଭୁବନେଶ୍ୱର, କୋଣାର୍କ ଏବଂ ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ବଡି ଭୋରୁ ସମୁଦ୍ର ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲୋକେ ଡଙ୍ଗା ଭସାଇବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସମୁଦ୍ରକୂଳ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ପ୍ରଭୃତି ତୀର୍ଥ ପୁଷ୍କରିଣୀରେ ଫୋର୍ସ ମୁତୟନ ରହିବେ । ପୁରୀ ସମୁଦ୍ର ବେଳାଭୂମିରେ ମଧ୍ୟ ପୋଲିସ ଛାଉଣୀ ରହିବ ବୋଲି କହିଛନ୍ତି ଏସପି । ବେଳାଭୂମିରେ ପୋଲିସ ସହିତ ଲାଇଫଗାର୍ଡ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହେବେ ।

Leave A Reply

Your email address will not be published.