ମହାନ୍ ସାରସ୍ଵତ ସାଧକ, କାଳଜୟୀ ସୃଷ୍ଟି ରାମ ଚରିତ ମାନସ ସ୍ରଷ୍ଟା ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା ।
ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ସନ୍ଥ ତୁଳସୀ ଦାସ ଜଣେ ଶ୍ରୀରାମଭକ୍ତ ଭାବେ ଆଜି ବି ପୂଜିତ ଓ ସମ୍ମାନିତ । କୁହାଯାଏ ଯେ, ତୁଳସୀ ଦାସ ମୋଗଲ ସମ୍ରାଟ୍ ଆକବରଙ୍କ ଦ୍ୱାରା କାରାଗାରରେ ବନ୍ଦୀ ଥିବା ବେଳେ ହନୁମାନ ଚାଳିସା ରଚନା କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେହରେ ଶ୍ରୀରାମଙ୍କୁ ଦର୍ଶନ କଲେ ସନ୍ଥ ତୁଳସୀ ଦାସ –
‘‘ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ’’
ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମଙ୍କୁ ଦର୍ଶନ କଲେ, ମନ ହୃଦୟ ଦିବ୍ୟସତ୍ତାର ଅନୁଭବ କରେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ସ୍ୱୟଂ ପରଂବ୍ରହ୍ମ ତାହା ଅନେକଥର ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ପ୍ରମାଣିତ ହୋଇଛି । ଏହି ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜିତ ହୋଇ ମାନବୀୟ ଲୀଳାଖେଳା କରୁଛନ୍ତି ଦାରୁବ୍ରହ୍ମରୂପୀ ସ୍ୱୟଂ ପରଂବ୍ରହ୍ମ । ପରଂବ୍ରହ୍ମଙ୍କର ସେହି ଅପୂର୍ବ ରୂପକୁ ଦର୍ଶନ କରିବା ଲାଗି ଅନେକ ମହାପୁରୁଷ, ଜ୍ଞାନୀ, ଗୁଣୀ ତଥା ଅନେକ ଧର୍ମ ପ୍ରବର୍ତ୍ତକ ଛୁଟିଆସିଛନ୍ତି ଶ୍ରୀକ୍ଷେତ୍ରକୁ । ପ୍ରଭୁ ଯୀଶୁଙ୍କଠାରୁ ଆରମ୍ଭ କରି ଧର୍ମପ୍ରବର୍ତ୍ତକ ଗୁରୁ ନାନକ ଏହି ପବିତ୍ର ଧାମକୁ ଆସିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶହ ଶହ ଭକ୍ତ ରତ୍ନ ସିଂହାସନରେ ପରଂବ୍ରହ୍ମଙ୍କ ସତ୍ତା ଅନୁଭବ କରି ନିଜକୁ କୃତାର୍ଥ କରିଛନ୍ତି । ସେହିପରି ଶୀରାମ ଭକ୍ତ ସନ୍ଥ ତୁଳସୀ ଦାସ ରତ୍ନ ସିଂହାସନ ଉପରେ ନିଜ ଚର୍ମଚକ୍ଷୁରେ ଶ୍ରୀରାମଙ୍କ ରୂପ ଦର୍ଶନ କରି ନିଜକୁ ମହିମାନ୍ୱିତ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କ ମୁଖ ନିଃସୃତ ନିର୍ଦ୍ଦେଶରେ ସନ୍ଥ ତୁଳସୀ ଲେଖିଛନ୍ତି ଶ୍ରୀରାମ ଚରିତ ମାନସ ।
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସ ଓ ଶ୍ରୀହନୁମାନ ଚାଳିଶା ଆଜି ବି ଘରେ ଘରେ ପରିଚିତ । ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସନ୍ଥ ତୁଳସୀ ଦାସ ପୁରୀରେ ତାଙ୍କ ରହଣୀ ସମୟରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତଥା ଶ୍ରୀଜଗନ୍ନାଥଙ୍କ ଆଦେଶାନୁସାରେ ଶ୍ରୀରାମଚରିତ ମାନସ ରଚନା କରିଛନ୍ତି । ସୁଦୂର ଅଯୋଧ୍ୟାରେ ରହି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପାସନା କରୁଥିବା ସନ୍ଥ ତୁଳସୀ ଏକଦା ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନସ୍ଥ କଲେ । ଅସଂଖ୍ୟ ନଈ-ନାଳ, ପାହାଡ଼-ପର୍ବତ ତଥା ବଣ-ଜଙ୍ଗଲର କଣ୍ଟକିତ ପଥ ଅତିକ୍ରମ କରି ସେ ଶ୍ରୀକ୍ଷେତ୍ରରେ ପହଁଚିଲେ । ପୁରୀରେ ରାତ୍ରି ଅବସ୍ଥାନ କରି ତହିଁ ପରଦିନ ପ୍ରାତଃକାଳରେ ତୁଳସୀ ଚାଲିଲେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ଶ୍ରୀରାମ ଭକ୍ତ ସନ୍ଥ ତୁଳସୀ ଦାସ ସିଂହଦ୍ୱାରରେ ପହଞ୍ଚି ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରିବା ମାତ୍ରେ ଆଚମ୍ବିତ ହୋଇପଡ଼ିଲେ ।
ତିନିଠାକୁରଙ୍କ ଅଧାଗଢା ହସ୍ତ ପଦାଦି ନଥିବା ଅବୟବ ଦେଖି ଭକ୍ତ ସନ୍ଥ ତୁଳସୀ ଦାସଙ୍କ ମନ ଦୁଃଖ ଓ କ୍ଷୋଭରେ ଜର୍ଜରିତ ହୋଇ ପଡ଼ିଲା । ସେଇଠି ଦଣ୍ଡେ ଛିଡ଼ା ହୋଇ ତୁଳସୀ ଭାବିବାକୁ ଲାଗିଲେ, ମୋ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚନ୍ଦ୍ର ପରି ବଦନ, କେତେ ସୁନ୍ଦର ତଥା ଭ୍ରାତା ଲକ୍ଷ୍ମଣ ଓ ମାତା ସୀତା ତଥା ଭକ୍ତ ହନୁମାନଙ୍କ ସହିତ ରାଜସିଂହାସନରେ ବସିଥିବାର ମୂର୍ତ୍ତି କେତେ ଅପୂର୍ବ ! ମୁଁ କଣ ଏଠି ଦେଖୁଛି ? ହାତ ପାଦ ନଥିବା ତଥା ମୁହଁ କଳାରେ ପରିପୂର୍ଣ୍ଣ ଥିବା କାଠର ଅବୟବରେ ନା ନାସାଗ୍ର ଅଛି ନା କର୍ଣ୍ଣ ଦ୍ୱୟ ଦୃଷ୍ଟି ଗୋଚର ହେଉଛି ? ଇଏ ମୋର ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱରୁପ କଦାପି ନୁହେଁ ।
ଶ୍ରୀରାମ ଭକ୍ତ ତୁଳସୀ ସେଠାରେ ଶ୍ରୀଜଗନ୍ନାଥଙ୍କୁ ଦଣ୍ଡବତ କରିବାକୁ ଭୁଲିଯାଇ ଆଉ ଦଣ୍ଡେ ମାତ୍ର ସେଠାରେ ନରହି ସେଠାରୁ ଗୃହ ଅଭିମୁଖେ ପ୍ରସ୍ଥାନ କଲେ । ପୁରୀରେ ସେହି ରାତ୍ରି ବିଶ୍ରାମ କରି ପରଦିନ ସକାଳୁ ଅଯୋଧ୍ୟା ଅଭିମୁଖେ ଗମନ କରିବାକୁ ଦୁଃଖ ଜଜ୍ଜରିତ ମନରେ ମନସ୍ଥ କଲେ । ଅଯୋଧ୍ୟାରୁ କେତେ ମନକରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କଳିଯୁଗରେ ଅବତାର ଦର୍ଶନ କରିବାର ଆଶା ନେଇ ଆସିଥିବା ଶ୍ରୀରାମ ଭକ୍ତ ସନ୍ଥ ତୁଳସୀଦାସ ସେଦିନ ରାତିରେ କିଛି ନଖାଇ ଉପାସରେ ନିରାଶରେ କାନ୍ଦି ଶୋଇ ପଡ଼ିଲେ । ରାତି ଅଧ ବେଳକୁ ସେ ଏକ ସ୍ୱପ୍ନ ଦେଖିଲେ । ତୁଳସୀଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ର କହୁଛନ୍ତି, ଆରେ ତୁଳସୀ ତମେ ମୋତେ ଆଜି ଦର୍ଶନ କଲ ଅଥଚ ପ୍ରଣାମ କଲ ନାହିଁ ? ମୋ ସହିତ ଟିକେ ବି କଥା ହେଲ ନାହିଁ ? କ’ଣ ତୁମର ହୋଇଛି ତୁଳସୀ ?
ସେହି ସ୍ୱପ୍ନ ଦେଖୁଥିବା ଅବସ୍ଥାରେ ହିଁ ସନ୍ଥ ତୁଳସୀ କାନ୍ଦି କାନ୍ଦି ତାଙ୍କ ପ୍ରଭୁଙ୍କୁ କହିଲେ, – ମୁଁ ଅଯୋଧ୍ୟାରେ ଯେପରି ଆପଣଙ୍କ ଦର୍ଶନ କରିଥିଲି ସେଠାରେ ତାହା ଦେଖିବାକୁ ପାଇଲି ନାହିଁ ବରଂ ଏକ ଭୟାନକ କଳା କଳା ମୁଖ ଓ ଅଧାଗଢା ଅବସ୍ଥାରେ ମାଦଳପ୍ରାୟ ତିନୋଟି କାଠର ଅବୟବ କିପରି ମୋର ପ୍ରଭୁ ଶ୍ରୀରାମଚନ୍ଦ୍ର ହୋଇ ପାରିବେ ? ତେଣୁ ମନ ଦୁଃଖରେ ତଥା ଅତିଶୟ ଯନ୍ତ୍ରଣାସିକ୍ତ ହୃଦୟରେ ଜାଣିଶୁଣି ଦଣ୍ଡବତ କଲି ନାହିଁ । ପ୍ରଭୁ ଶ୍ରୀରାମଚନ୍ଦ୍ର କହିଲେ, ଶ୍ରୀକ୍ଷେତ୍ରରେ ମୁଁ ସେହି ଶ୍ରୀରାମଚନ୍ଦ୍ର, ତମେ ଯାହାଙ୍କୁ ଅଯୋଧ୍ୟାରେ ପୂଜା କରୁଛ । ମୁଁ ଜଗନ୍ନାଥଙ୍କ ଦାରୁବ୍ରହ୍ମ ରୂପରେ କଳିଯୁଗରେ ଏଠାରେ ଅବସ୍ଥାନ କରୁଛି ।
ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମଧ୍ୟରେ ଟିକିଏ ବି ଫରକ ନାହିଁ । ତମେ କାଲି ପ୍ରାତଃକାଳରେ ପୁନର୍ବାର ରତ୍ନସିଂହାସନ ନିକଟକୁ ଆସ । ତମେ ଯେଉଁ ରୂପରେ ମୋତେ ଦେଖିବାକୁ ଚାହୁଁଛ ଦେଖି ପାରିବ ? ଏହି ସ୍ୱପ୍ନ ଦେଖିବା ପରେ ତୁଳସୀଙ୍କ ନିଦ ଚାଉଁକିନା ଭାଙ୍ଗିଗଲା । ସକାଳୁ ସକାଳୁ ତୁଳସୀ ସିଧା ଚାଲିଲେ ମନ୍ଦିର ଅଭିମୁଖେ ତାଙ୍କ ପ୍ରଭୁଙ୍କୁ ଦର୍ଶନ କରିବାକୁ । ରତ୍ନ ସିଂହାସନ ସାମ୍ନାରେ ଆଖି ବନ୍ଦ କରି ଆଖି ଖୋଲିଲା ବେଳକୁ ଭକ୍ତ ତୁଳସୀ ତାଙ୍କର ଆରାଧ୍ୟ ଦେବତା ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କଲେ । ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ଦର୍ଶନ କରିବା ସହିତ ମାତା ସୀତା, ଭ୍ରାତା ଲକ୍ଷ୍ମଣ ଓ ଶ୍ରୀହନୁମାନଙ୍କ ସାକ୍ଷାତ ଉପସ୍ଥିତି ରତ୍ନ ସିଂହାସନରେ ଦେଖି ନିଜକୁ କୃତାର୍ଥ ମନେ କଲେ । ସେହିଠାରେ ହିଁ ଖୁସିରେ କାନ୍ଦି କାନ୍ଦି ଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ଭକ୍ତ ସନ୍ଥ ତୁଳସୀ ଦାସ । ଅପୂର୍ବ ଖୁସିରେ ତୁଳସୀଦାସ ନାଚିନାଚି କହି ଚାଲିଥିଲେ ଜୟ ଜଗନ୍ନାଥ ଜୟ ଶ୍ରୀରାମ ଜୟ ଜଗନ୍ନାଥ ।
ରତ୍ନସିଂହାସନ ଉପରୁ ସେହିକ୍ଷଣି ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ କହୁଥିଲେ, – ତୁଳସୀ ତମେ ଆଜିଠାରୁ ଶ୍ରୀରାମ ଚରିତ ମାନସ ରଚନା ଆରମ୍ଭ କର, ମୁଁ ତୁମକୁ ସବୁପ୍ରକାର ସହାୟତା କରିବି । ସେହି ଶ୍ରୀମନ୍ଦିରରୁ ହିଁ ସନ୍ଥ ତୁଳସୀ ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କର ମହାନ ଗ୍ରନ୍ଥ ଶ୍ରୀରାମଚରିତ ମାନସର ରଚନା ଆରମ୍ଭ କରିଥିଲେ । ପ୍ରକୃତରେ ଭକ୍ତର ପ୍ରଚୁର ବିଶ୍ୱାସ ଓ ନିରନ୍ତର ଭକ୍ତି ଭାବନାରେ ହିଁ ଯୁଗେ ଯୁଗେ ବନ୍ଧା ସ୍ୱୟଂ ଭଗବାନ ।
‘ବିନୁ ପଦ୍ ଚଳଇ ସୁନ ଇ ବିନୁ କାନା ।
କର ଵିନୁ କରମ୍ କରଇ ବିଧୀ ନାନା କ୍ଷ।
ଅନନ୍ ରହିତ୍ ସକଳ ରସ ଭୋଗୀ ।
ଵିନୁ ବାଣୀ ବକତ ବଡ଼ ଯୋଗୀ ।’
(ଗୋସ୍ୱାମୀ ତୁଳସୀ ଦାସ, ରାମଚରିତମାନସ )
ସେ (ବ୍ରହ୍ମ) ବିନା ପାଦ ରେ ଚାଲିଥାଏ । ବିନା କାନରେ ଶୁଣୁ ଥାଏ । ବିନା ହାତରେ ଅନେକ କାମ କରିଥାଏ । ବିନା ମୁହଁରେ ସମସ୍ତ ରସ ର ଆସ୍ୱାଧନ୍ କରି ଥାଏ । ଆଉ ଶବ୍ଦ ଉଚ୍ଚାରଣ ନକରିବି ବହୁତ୍ ବଡ଼ ବକ୍ତା ଅଟେ ।
ଜୟ ଜଗନ୍ନାଥ ! ଜୟ ଜଗନ୍ନାଥ !! ଜୟ ଜଗନ୍ନାଥ !!
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.