Latest Odisha News

BREAKING NEWS

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ପାଠ୍ୟକ୍ରମ, ବିଦ୍ୟାର୍ଥୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ସ୍ବତନ୍ତ୍ର ପାଠ୍ୟକ୍ରମ ଆଣିବାକୁ ଯାଉଛି । ବିଶେଷ କରି ମାଧ୍ୟମିକ ସ୍କୁଲ ପିଲାଙ୍କ ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନ ବୃଦ୍ଧି ଦିଗରେ ଏହା ସହାୟକ ହେବ। ଗଣଶିକ୍ଷା ଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯାଇ ଏନେଇ ପଦକ୍ଷେପମାନ ଗ୍ରହଣ କରାଯାଉଛି। ପୂର୍ବରୁ ଏକାଧିକ ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବାବେଲେ ଏଣିକି ଏହି ବିଷୟଗୁଡ଼ିକରେ ପିଲାଙ୍କ ସୃଜନଶୀଳତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି।

ବିଭିନ୍ନ ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପିଲାମାନେ ଖାସ କରି ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନରେ ଦୁର୍ବଳ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି। ସୂଚନା ମୁତାବକ ଏଣିକି ବିଭିନ୍ନ ବିଷୟରେ ଅନୁଷ୍ଠିତ ହେଉଥିବା ୟୁନିଟ୍‌‌ ଟେଷ୍ଟକୁ ଆଧାର କରି ଛାତ୍ରଛାତ୍ରୀଙ୍କ ଦକ୍ଷତା ଆଧାରରେ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯିବ ଓ ଏହି ତାଲିକା ଅନୁସାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଉପରେ ବିଭାଗୀୟ ଶିକ୍ଷକ ବା ଶିକ୍ଷୟିତ୍ରୀ ଅଧିକ ଧ୍ୟାନ ଦେବେ । ଆବଶ୍ୟକ ସ୍ଥଳେ ସେହି ପିଲାଙ୍କୁ ସୁଧାରତ୍ମକ ବର୍ଗରେ ଶିକ୍ଷା ସହିତ ସ୍ୱତନ୍ତ୍ର ପାଠ୍ୟ ସାମଗ୍ରୀ ପ୍ରଦାନ କରାଯିବ। ଯାହାର ପରିଚାଳନା ଦାୟିତ୍ୱ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସହ ସିଆରସିସି, ବିଇଓମାନଙ୍କ ଉପରେ ରହିବ ଓ ଏହାକୁ ନିୟମିତ ଭାବେ ସେମାନେ ଅନୁଧ୍ୟାନ କରିବେ। ବିଭିନ୍ନ ଅନ୍ତରାଳରେ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କ ମେଧା ଶକ୍ତି ବଢ଼଼ାଇବା ସହ ସାମଗ୍ରିକ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି।

ସେହିପରି ପିଲାଙ୍କ ସାଧାରଣ ଜ୍ଞାନକୁ ଅଧିକ ବିକଶିତ କରିବାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। ଫଳରେ ସେମାନେ ବିଦ୍ୟାଳୟସ୍ତରରୁ ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ସକ୍ଷମ ହେବେ। ଯେଉଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଶେଷ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.