କଟକ: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବସ୍ ଓ ଟ୍ରକ୍ ମାଲିକ ସଙ୍ଘ ସହ STAର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବସ୍ ଓ ଟ୍ରକ ମାଲିକମାନେ ପର୍ଯ୍ୟାପ୍ତ ଇନ୍ଧନ ପାଉନଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବାରେ କୌଣସି ବିଘ୍ନ ନଉପୁଜେ ସେଥିପାଇଁ ଏହି ବୈଠକରେ ଅନେକ ସ୍ୱଳ୍ପକାଳୀନ ନିଷ୍ପତ୍ତି ନିଆଯାଇଛି ।
ଯେଉଁଥିରେ ପ୍ରତି ଜିଲ୍ଲାରେ ବସ୍ ଏବଂ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ (Reserve) ରଖିବା ସହ ଗାଡ଼ି ମାଲିକମାନେ ପୂର୍ବରୁ ବ୍ୟବହାର କରୁଥିବା ତେଲ ଟାଙ୍କିର ଏକ ସୂଚୀ ପ୍ରଦାନ କରିବେ ଏବଂ ଚିହ୍ନଟ ହୋଇଥିବା ସେହି ନିର୍ଦ୍ଦିଷ୍ଟ ଆଉଟ୍ଲେଟ୍ ଗୁଡ଼ିକରେ ସର୍ବଦା ଆବଶ୍ୟକୀୟ ଇନ୍ଧନ ମହଜୁଦ ରଖାଯିବ ।
ଏହା ସହିତ ଟ୍ରକଗୁଡ଼ିକ ସୁବିଧା ପାଇଁ ଜାତୀୟ ରାଜପଥ (ହାଇୱେ) କଡ଼ରେ ପ୍ରତି ଜିଲ୍ଲାରେ ପେଟ୍ରୋଲ ପମ୍ପ ଚିହ୍ନଟ କରାଯିବ ଏବଂ ଗାଡ଼ିଗୁଡ଼ିକର ଦୈନିକ ଆବଶ୍ୟକତା ଅନୁଯାୟୀ ସେହି ନିର୍ଦ୍ଦିଷ୍ଟ ପମ୍ପଗୁଡ଼ିକୁ ତୈଳ ଯୋଗାଣ ପ୍ରକ୍ରିୟାକୁ ସରକାର ଓ ତୈଳ କମ୍ପାନୀ ସିଧାସଳଖ ମନିଟରିଂ କରିବେ ।
ଇନ୍ଧନ ପ୍ରସଙ୍ଗରେ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ଅନୁରୋଧ କରାଯାଇଛି । ପବ୍ଲିକ ଟ୍ରାନ୍ସପୋର୍ଟ ସ୍ୱାଭାବିକ ରହିବ ବୋଲି ଆଶ୍ୱାସନା ଦିଆଯାଇଛି । ଏହି ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।