Latest Odisha News

BREAKING NEWS

ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ; ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ମହାପ୍ରଭୁ ଜଗନ୍ନାଥ ନିଜେ ଅବତାର, ନିଜେ ଅବତାରୀ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଟ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ମଠବାଡି ମାନଙ୍କରେ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ ।

ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିବେ । ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ ।

ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁରହିବ ।

ସେପଟେ ଶ୍ରୀକୃଷ୍ଣ ଜନ୍ମନିତି ଏକ ଅନନ୍ୟ ପରମ୍ପରା । ଯେଉଁଥିରେ ଜଗନ୍ନାଥ ମହାପ୍ରଭୁ ନିଜେ ଦେବକୀ ରୂପରେ ନିଜ ଗର୍ଭରେ କୃଷ୍ଣଙ୍କୁ ଧାରଣ କରି ଜନ୍ମ ଦେବେ । ମହାପ୍ରଭୁଙ୍କ ଏହି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ଭିତରକାଠ ନିକଟରେ ଦର୍ଶନ କରି ସାନିଧ୍ୟ ନେଉଛନ୍ତି । ଶ୍ରୀକୃଷ୍ଣ ଧରାବତରଣ କରିବାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ସଜଫୁଲରେ ସଜାଯାଇଛି । ସେପଟେ ଆଜି ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆସନ୍ତାକାଲି ବିଭିନ୍ନ ମଠବାଡିରେ ମଧ୍ୟ ନନ୍ଦୋତ୍ସବ ବଡ ଧୁମଧାମରେ ପାଳନ ହେବାର ପରମ୍ପରା ରହିଛି ।

Comments are closed.