ଢେଙ୍କାନାଳ: କ୍ଷମତା ଥିଲା । ଅର୍ଥ ରୋଜଗାର କରବାର ଯଥେଷ୍ଟ ସୁଯୋଗ ଥିଲା । ହେଲେ ସେ ଆସିଥିଲେ ସେବା କରିବା ପାଇଁ । ଜନତାଙ୍କ ସେବା । ତେଣୁ ଅର୍ଥ ଆଉ କ୍ଷମତାର ପ୍ରଲୋଭନ ତାଙ୍କୁ ବାଟବଣା କରିପାରି ନ ଥିଲା । ପୁରୁଣା ଡ୍ରେସ ହଳେ ପିନ୍ଧି ପୁରୁଣା ସାଇକେଲରେ ବୁଲୁଥିବା ଏଇ ବ୍ୟକ୍ତିଙ୍କୁ ଦେଖିଲେ କେହି କହିବେନି ସେ ଦୁଇଦୁଇ ଥର ସରପଞ୍ଚ ହୋଇଛନ୍ତି ବୋଲି ।
ଦୁଇହଳ ଡ୍ରେସ ଏବଂ ପୁରୁଣା ଏଇ ସାଇକେଲ ହିଁ ତାଙ୍କର ସମ୍ପତ୍ତି । ଜୀବନରେ ନା ଘର ଖଣ୍ଡିଏ କରିପାରିଲେ ନା କିଛି ସମ୍ପତ୍ତି ଅର୍ଜି ପାରିଲେ । ସେବା ମନୋବୃତ୍ତି ନେଇ ରାଜନୀତିକୁ ଆସିଥିଲେ । ଆଜି ବି ସେ ଲୋକଙ୍କ ସେବା କରୁଛନ୍ତି । ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରଜୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ହେଉଛନ୍ତି ଅଚ୍ୟୁତାନନ୍ଦ ପ୍ରଧାନ ।
ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ଅଚ୍ୟୁତ ହେଉଛନ୍ତି ସମସ୍ତଙ୍କ ଠାରୁ ଭିନ୍ନ । ୩ ବର୍ଷ ବୟସରେ ମା’ଙ୍କୁ ହରାଇବା ପରେ ବାପା ଅଭିମନ୍ୟୁ ପ୍ରଧାନଙ୍କ ସାହାରାରେ ଆଗକୁ ବଢ଼ିଥିଲେ । ହେଲେ ବାପା ମଧ୍ୟ ହାତ ଛାଡି ଚାଲିଗଲେ ଆରପାରିକୁ । ସେତିକିରେ ଶେଷ ହୋଇନଥିଲା ଅଚ୍ୟୁତଙ୍କ ଜୀବନ ସଂଘର୍ଷର କାହାଣୀ । ୧୯୮୪ରେ ମାଟ୍ରିକ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ । ହେଲେ ଉଚ୍ଚ ଶିକ୍ଷା କରିବା ପାଇଁ ଅର୍ଥ ସାଜିଥିଲା ବାଧକ । ପାଠ ପଢାରେ ଡୋରି ବାନ୍ଧି ରୋଡ଼ଙ୍ଗ ଗାଁରେ “ନବ ଉତ୍କଳ ଯୁବକ ସଂଘ”ରେ ସାମିଲ ହୋଇ ଲୋକଙ୍କ ସେବାରେ ଲାଗିଥଲେ ଅଚ୍ୟୁତ।
୧୯୯୨ ମସିହାରେ ପଞ୍ଚାୟତର ସରପଞ୍ଚ ଭାବେ ଛିଡା ହୋଇଥଲେ । ତାଙ୍କର ସେବା ଯୋଗୁଁ ସେ ବିପୁଳ ପରିମାଣରେ ବିଜୟଲାଭ ମଧ୍ୟ କରିଥିଲେ । ପ୍ରଥମ ପାଳିରେ ୧୯୯୨ ରୁ ୧୯୯୫ ଏବଂ ଦ୍ୱିତୀୟ ପାଳିରେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ସେ କେରଜୋଳି ପଞ୍ଚାୟତର ସରପଞ୍ଚ ହୋଇଥିଲେ । ୨୦୨୨ ମସିହାରେ ସରପଞ୍ଚ ଭାବେ ଛିଡା ହୋଇ ହାରି ଯାଇଥିଲେ ଅଚ୍ୟୁତ ।
ତାଙ୍କ ଭଙ୍ଗା କୁଡିଆକୁ ଦେଖିଲେ କେହି କହିବେନି ସେ ଦୁଇ ଦୁଇ ଥରର ସରପଞ୍ଚ ବୋଲି । ଚାଳ ସଜାଡ଼ିବାକୁ ତାଙ୍କ ପାଖରେ ଅର୍ଥର ଅଭାବ। ଦୁଇ ହଳ ପ୍ୟାଣ୍ଟ ,ଦୁଇଟି ଲୁଙ୍ଗି ଓ ଗୋଟିଏ ଗାମୁଛାରେ ଜୀବନ ବିତାଉଛନ୍ତି । ସକାଳୁ ଉଠିଲେ ସାଇକେଲ ଧରି ବାହାରି ପଡନ୍ତି ଲୋକଙ୍କ ସାହାଯ୍ୟ ସହଯୋଗ କରିବାକୁ । ଘର ଘର ବୁଲି ଲୋକଙ୍କ ଦୁଃଖ ସୁଖ ପଚାରନ୍ତି । ଆଉ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଳେଇ ଯାଆନ୍ତି ।
ଘର ଭିତରେ ଷ୍ଟୋଭ ମାରି ରୋଷେଇ କରନ୍ତି ଏବଂ ପାଣି ଆଣିବା ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟକୁ ସେ ତୁଲାଇ ଥାନ୍ତି । ତାଙ୍କ ସମୟରେ ଗାଁରେ ହୋଇଥିବା ରାସ୍ତା ,ଗାଁ ବିଦ୍ୟାଳୟ ,ଆବାସିକ ସ୍କୁଲ ହେଉଛି ତାଙ୍କ ସେବାର ଜ୍ୱଳନ୍ତ ଉଦାହରଣ । ନିଃସ୍ୱାର୍ଥପର ସେବା କରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି ଅଚ୍ୟୁତ । ଲୋକଙ୍କ ସେବା ପରେ ଯେଉଁ ଅବସର ସମୟ ମିଳେ ସେ ଭାରତର ମହାନ ପୁରୁଷ ମାନଙ୍କ ବହି ଗୁଡିକ ପଢିବା ସହ ନିଜେ ମଧ୍ୟ କିଛି ଲେଖାଲେଖି କରନ୍ତି । ତେବେ ଅଚ୍ୟୁତଙ୍କ ସାଇକେଲରେ ଯିବା ଆସିବା ଦେଖି ତାଙ୍କ ସହଯୋଗୀ ବନ୍ଧୁମାନେ ତାଙ୍କୁ ଏକ ବାଇକ ଉପହାର କରିଛନ୍ତି । ତେବେ ବୟସର ଏ ସମୟରେ ତାଙ୍କୁ ଗାଡି ଚଲେଇବା ପସନ୍ଦ ନଥିବା ସେ କହିଛନ୍ତି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ନିଃସ୍ୱାର୍ଥପର ସେବା କରିବେ ବୋଲି ସେ ଦୃଢ଼ ସଂକଳ୍ପ କରିଛନ୍ତି । ନିଜ କୁଡ଼ିଆକୁ ସଜାଡି ନପାରିଲେ କ’ଣ ହେଲା ଅନ୍ୟମାନଙ୍କ କୁଡ଼ିଆ ପାଇଁ ସଂଘର୍ଷ କରିବା,ତାଙ୍କୁ ବେଶ ଆତ୍ମସନ୍ତୋଷ ଦେଇପାରିଛି ବୋଲି କହନ୍ତି ।
Comments are closed.