Latest Odisha News

BREAKING NEWS

ସ୍ୱାଧୀନତା ସଂଗ୍ରାମୀଙ୍କ ଅପଢା ପୃଷ୍ଠା: ଦିନେ ବ୍ରିଟିଶ ଗୁଳିରୁ ବଞ୍ଚିବା ପାଇଁ ଡେଇଁ ପଡ଼ିଥିଲେ ଭରାନଦୀକୁ

ନବରଙ୍ଗପୁର:ରାତି ପାହିଲେ ଅଗଷ୍ଟ ୨୪ । ସେଇ ମାସ ସେଇ ତାରିଖ  । ଏ ମାସ ବାର ମନେ ପଡିଗଲେ  ଗାଁ ଲୋକଙ୍କ ଛାତି ଭିତରଟା କୋରି ହୋଇଯାଏ । ଅଜଣା କୋହ ସେମାନଙ୍କ ନିଃଶ୍ୱାସ ରୁନ୍ଧିଦିଏ । ଏହି ସହିଦ ସ୍ତମ୍ଭ ସେମାନଙ୍କ ବୀରତ୍ୱର କାହାଣୀ କହେ । ଗାଁ ମୁଣ୍ଡର ତୁରୀ ନଦୀ ବୀର ପୁତ୍ରଙ୍କ ସ୍ମୃତି ଗାନ କରେ ।  ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ସେଦିନ ଦେଶ ପ୍ରେମର ନିଆଁ ଏ ଗାଁରେ ବି ଜଳୁଥିଲା । ସେ ନିଆଁରେ ଝାସ ଦେଇଥିଲେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ  ଗାଁର ଶତାଧିକ ବ୍ୟକ୍ତି । ଜୀବନ ହାରିଦେଲେ । ହେଲେ ସେମାନଙ୍କୁ ନା ମିଳିଲା ସ୍ୱାଧୀନତା ସଂଗ୍ରାମୀର ପରିଚୟ ନା ଦେଶଭକ୍ତର ସମ୍ମାନ !

ସେଦିନ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ  ।  ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନର ଡ଼ାକରାରେ ଉଦବୁଦ୍ଧ ହୋଇ ନବରଙ୍ଗପୁର ଜିଲ୍ଲାର ହଜାର ହଜାର ସ୍ୱାଧୀନତାସଂଗ୍ରାମୀ ନନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଯିବାର ଥିଲା ଡାବୁଗାଁ ।  ହେଲେ  ପାପଡାହାଣ୍ଡି ତୁରିନଦୀ କୂଳରେ ପହଂଚିବା କ୍ଷଣି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉପରକୁ ବ୍ରିଟିଶ ପକ୍ଷରୁ ହୋଇଥିଲା  ଗୁଳି ବର୍ଷା ।    ବ୍ରିଟିଶ ଗୁଳିରେ ସହିଦ ହୋଇଥିଲେ ୧୯  ସ୍ୱାଧୀନତା ସଂଗ୍ରାମୀ । ବୀର ରକ୍ତରେ  ରଞ୍ଜିତ ହୋଇଯାଇଥିଲା ତୁରିନଦୀର ପାଣି । ଆଉ କିଛି ଗୁରୁତର ଓ ଆହତ ହୋଇଥିଲେ ।

୯୨ ଜଣ ସ୍ୱାଧୀନତା ସଂଗ୍ରାମୀ ଗିରଫ ହୋଇଥିଲେ । ୫୦ ରୁ ଅଧିକ  ସଂଗ୍ରାମୀ ଜୀବନ ବଞ୍ଚାଇବାକୁ ତୁରିନଦୀର ପ୍ରଖର ଜଳରେ ଡେଇଁ ପଡ଼ିଥିଲେ । ତା ପରଠାରୁ ସେମାନଙ୍କର ଖୋଜ ଖବର କିଛି ନାହିଁ ।  ନା ଜୀବିତ ଅବସ୍ଥାରେ ଫେରିଥିଲେ ନା ମିଳିଥିଲା ମୃତଦେହ ।   ପାତ୍ରପୁଟ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ମହାଦେବ ଅମନାତ୍ୟଙ୍କୁ ସରକାରୀ ସାକ୍ଷୀ ହେବାପାଇଁ ବ୍ରିଟିଶ ପୋଲିସ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ ।  ଏହି ନିର୍ଯ୍ୟାତନା ସହିନପାରି ମହାଦେବ ଘରେ ଆତ୍ମହତ୍ୟା କରିଥିଲେ । ସେହିପରି   ଅନେକ ନିଖୋଜ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁରଗାଁର ପୀତବାସ ପାତ୍ର ବି ଜଣେ ।

ସାରା ଜିଲ୍ଲାରୁ ଆସିଥିବା ତାଙ୍କପରି  ଅନେକ ସ୍ୱାଧୀନତା ସଂଗ୍ରାମୀ  ସେଦିନ ତୁରୀ ନଦୀ ପାଣିରେ ନିଖୋଜ ହେଇ ଯାଇଥିଲେ ।   ନିଖୋଜ ହୋଇଥିବା ସଂଗ୍ରାମୀ ପରିବାର ସଦସ୍ୟଙ୍କ ମନରେ ଗୋଟିଏ ଦୁଃଖ ।  ସେଦିନରୁ ନିଖୋଜ ତାଲିକାରେ ଏହି ବ୍ୟକ୍ତିଙ୍କ ନାଁ ସେମିତି ବନ୍ଦ ହୋଇ ରହିଛି ।  ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ମିଳିଛି ନା ମିଳିଛି ସହିଦର ମାନ୍ୟତା।

ସହିଦଙ୍କ  ସ୍ମୃତିରେ ତୁରିନଦୀ କୂଳରେ ନିର୍ମାଣ ହୋଇଛି ସହିଦ ମିନାର  ।  ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ସହିଦ ସମ୍ମୁର୍ତି ଦିବସ ।  ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ମାନଙ୍କୁ ଗୋଟିଏ ସାଲ ଦେଇ ସମ୍ମାନିତ କରି କର୍ତ୍ତବ୍ୟ ସମ୍ପାଦନ କରୁଛି ପ୍ରଶାସନ। ହେଲେ ସହିଦଙ୍କ ଦାୟାଦମାନେ ଶୋଚନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ସେମାନେ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ । କୁଳିମଜୁରୀ କଲେ ପେଟକୁ ମୁଠାଏ ଖାଇବାକୁ ମିଳେ ।

ତେଣୁ ଏହି ସହିଦଙ୍କ ପରିବାରଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା, ନିଖୋଜ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମାନ୍ୟତା ଦେବାକୁ ଦାବି ହୋଇଛି । ଏହାବ୍ୟତୀତ ସରକାରୀ ରିପୋର୍ଟ ଅନୁସାରେ ବ୍ରିଟିଶ ଗୁଳିରେ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପ୍ରକୃତରେ ମୃତ୍ୟୁ ସହିଦଙ୍କ ସଂଖ୍ୟା ଅଧିକ ରହିଛି ।   ଏହି ଘଟଣାର ତଦନ୍ତ କରି ସହିଦ ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି ନବରଙ୍ଗପୁର ଜିଲ୍ଲା ସହିଦ ସ୍ମୃତି ସଂସଦ।

ନବରଙ୍ଗପୁରରୁ  ସନ୍ତୋଷ  କୁମାରଙ୍କ ରିପୋର୍ଟ; ଓଡ଼ିଶା ସମ୍ବାଦ

Leave A Reply

Your email address will not be published.