Latest Odisha News

ବିଦାୟ ଉତ୍ତମ: ଅଭିମାନ କରି ଆସିଥିଲେ ବିଦ୍ୟାରାଣ ପକାଇ ଚାଲିଗଲେ

ଭୁବନେଶ୍ଵର: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଉଜ୍ଜ୍ବଳ ତାରକାଙ୍କ ଜୀବନ ଦୀପ । ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍‌ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ । ଅଭିମାନ କରି ଆସିଥିଲେ ଆଉ ଶେଷରେ ବିଦ୍ୟାରାଣ ପକାଇ ଚାଲିଗଲେ ଉତ୍ତମ । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା ।

୭୦ ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ । ତାଙ୍କ ରୋମାଣ୍ଟିକ୍ ଅନ୍ଦାଜ୍ ସିନେ ପ୍ରେମୀଙ୍କୁ ଆକୃଷ୍ଟ କରୁଥିଲା । ଆଉ ସେ କାନ୍ଦିଲେ ଦର୍ଶକଙ୍କ ଆଖିରେ ଆପେ ଆପେ ଲୁହ ଆସିଯାଉଥିଲା । ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ସେ ପାଲଟିଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର । ୪୮ ବର୍ଷ ଧରି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଉତ୍ତମଙ୍କ ଥିଲା ରାଜ ।କେବେବି ଅଭିନେତା ହେବାକୁ ଭାବିନଥିବା ମଣିଷଟା ପରିବର୍ତ୍ତୀ ସମୟରେ ହୋଇଯାଇଥିଲେ ସୁପରଷ୍ଟାର ଆଉ ପ୍ରତିଟି ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ। କଲେଜ ଛୁଟିରେ ଯେତେବେଳେ ସେ ଘରକୁ ଯାଇଥିଲେ ସେତେବେଳେ ତାଙ୍କୁ ଫିଲ୍ମ ‘ଅଭିମାନ’ ପାଇଁ ଅଫର ମିଳିଥିଲା।

ଇଚ୍ଛା ନଥିଲେ ବି କଲେଜ ଛୁଟି ଥିବାରୁ ମନା କରିପାରିନଥିଲେ ଉତ୍ତମ । କିନ୍ତୁ ଅଭିମାନରେ ଅଭିନୟ କରୁକରୁ ଅଭିନୟରେ ମନ ଲାଗିଯାଇଥିଲା। ଆଉ କତେବେଳେ ଅଭିନୟ ତାଙ୍କ ଜୀବନ ପାଲଟିଗଲା ତାହା ବି ସେ ଜାଣିପାରିନଥିଲେ । ମୋଟ ୧୩୫ଟି ଓଡ଼ିଆ ଫିଲ୍ମ, ୩୦ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମା ‘ନୟା ଜେହେର’ ରେ କାମ କରିଛନ୍ତି ଉତ୍ତମ। ୧୯୭୭ ମସିହାରେ ‘ଅଭିମାନ’ ଫିଲ୍ମ ସହ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ୧୯୭୭ରୁ ୨୦୨୫ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ । ୨୦୨୨ରେ ରିଲିଜ ହୋଇଥିବା ‘ବିଦ୍ୟାରାଣ’ରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା ।

୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ। ଦଣ୍ଡା ବାଳୁଙ୍ଗା, ସରପଞ୍ଚ ବାବୁ ଫିଲ୍ମ ରେ ତାଙ୍କୁ ପରିଚୟ ଆଣି ଦେଇଥିଲା। ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥି, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ , ଅସ୍ତରଙ୍ଗ , ଦେଖ ଖବର ରଖ ନଜର, ଜ୍ବାଇଁ ପୁଅ, ଅଭିଳାଷା, ଝିଅଟି ସୀତା ପରି, ରାମ ରହିମ, ଜାଈ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ପୂଜା ଫୁଲ, ସମୟ ବଡ ବଳବାନ, ସଂଖ୍ୟା ସିନ୍ଦୂର, ସହରୀ ବାଘ, ସତ୍ କେବେ ଲୁଚି ରହେନା, ଚକା ଆଖି ସବୁ ଦେଖୁଛି, ଫୁଲ ଚନ୍ଦନ , ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ପୁଅ ମୋର କଳା ଠାକୁର ଆଦି ଚଳଚ୍ଚିତ୍ର ରେ ଛାପ ଛାଡିଛନ୍ତି ସ୍ୱର୍ଗୀୟ ଉତ୍ତମ ମହାନ୍ତି ।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର, ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।

Comments are closed.